ବାରବାଟୀ ଟ୍ବେଣ୍ଟି-୨୦ ମ୍ୟାଚ୍‌: ଦିନକ ଆଗରୁ ଗ୍ୟାଲେରି ଭର୍ତ୍ତି

କଟକ(ଦୀପ୍ତିରଂଜନ ସାମଲ): ବାରବାଟୀ ଟ୍ବେଣ୍ଟି-୨୦ ମ୍ୟାଚ୍‌ ରବିବାର ସନ୍ଧ୍ୟାରେ ଖେଳାଯିବ। ହେଲେ ଗୋଟିଏ ଦିନ ପୂର୍ବରୁ ଖେଳାଳିଙ୍କୁ ଦେଖିବା ପାଇଁ ଗ୍ୟାଲେରିରେ ଭିଡ଼ ଜମି ଯାଇଥିଲା। ଭାରତ ଓ ଦକ୍ଷିଣ ଆଫ୍ରିକା ଦଳ ଶନିବାର ବାରବାଟୀରେ ଅଭ୍ୟାସ କରିବାକୁ ଆସିଥିବାରୁ ଏହାକୁ ଉପଭୋଗ କରିବା ପାଇଁ ସାଧାରଣ ଦର୍ଶକଙ୍କ ପାଇଁ ୬ ଓ ୭ ନମ୍ବର ଗ୍ୟାଲେରି ଖୋଲାଯାଇଥିଲା। ଖେଳାଳିମାନେ ଷ୍ଟାଡିୟମକୁ ଆସିବାର ଯଥେଷ୍ଟ ପୂର୍ବରୁ ଦର୍ଶକମାନେ ଏହି ଦୁଇ ଗ୍ୟାଲେରିରେ ଗହଳି ଲଗାଇଥିଲେ। ପ୍ରଥମେ ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ଅପରାହ୍ନ ୧ଟାରେ ବାରବାଟୀରେ ପହଞ୍ଚିଥିଲା ବେଳେ ତେମ୍ବା ବଭୂମାଙ୍କ ନେତୃତ୍ବାଧୀନ ଦଳ ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ଝାଳ ବୁହାଇଥିଲେ। ଅପରାହ୍ନ ପ୍ରାୟ ୩ଟା ବେଳକୁ ଭାରତୀୟ ଖେଳାଳିମାନେ ବାରବାଟୀରେ ପହଞ୍ଚିଥିଲେ। ଭାରତୀୟ ଖେଳାଳିମାନେ ବାରବାଟୀରେ ପହଞ୍ଚିବା ପରେ ଦର୍ଶକଙ୍କ ରୋମାଞ୍ଚ ଦେଖିବାଭଳି ଥିଲା। ପ୍ରଥମେ ବାଟରେ ଆସିବା ବେଳେ ଭାରତୀୟ ଖେଳାଳିଙ୍କ ବସ୍‌କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ବେଳେ ବାରବାଟୀରେ ପହଞ୍ଚିବା ବେଳକୁ ଦର୍ଶକମାନେ ସେମାନଙ୍କ ପସନ୍ଦର ଖେଳାଳିଙ୍କ ଫଟୋ ଉଠାଇବାକୁ ଗେଟ୍‌ ପାଖରେ ଭିଡ଼ ଜମାଇଥିଲେ। ତେବେ ଖେଳାଳିମାନେ ପଡ଼ିଆରେ ପ୍ରବେଶ କରିବାମାତ୍ରେ ୬ ନମ୍ବର ଗ୍ୟାଲେରିରୁ ଗର୍ଜନ ଶୁଣାଯାଇଥିଲା। କୋହଲି, ରୋହିତ, ସାମି, ବୁମ୍‌ରା ଦଳରେ ନଥିଲେ ମଧ୍ୟ ଋଷଭ ପନ୍ତ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ତ୍ୟା, ଶ୍ରେୟସ ଆୟର, ୟୁଜବେନ୍ଦ୍ର ଚହଲଙ୍କ ଭଳି ତାରକା ଖେଳାଳିଙ୍କୁ ପାଖରୁ ଦେଖିବା ଓ ସେମାନଙ୍କ ଅଭ୍ୟାସକୁ ଉପଭୋଗ କରିବା ଦର୍ଶକଙ୍କ ପାଇଁ ନିଆରା ଅନୁଭୂତି ଥିଲା। ତେବେ ଦର୍ଶକଙ୍କୁ ଅଧିକ ମନୋର˚ଜନ ଯୋଗାଇଥିଲେ ଭାରତୀୟ ଅଧିନାୟକ ଋଷଭ ପନ୍ତ। ମୁଖ୍ୟ ପିଚ୍‌ କଡ଼ରେ ସେ ବଡ଼ ସଟ୍‌ ଅଭ୍ୟାସ କରୁଥିଲା ବେଳେ ପ୍ରତ୍ୟେକ ବଲ୍‌ରେ ଛକା ମାରି ଦର୍ଶକଙ୍କୁ ମନୋର˚ଜନର ଖୋରାକ ଯୋଗାଉଥିଲେ। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ସମାନ ସ୍ଥାନରେ ଅଭ୍ୟାସ କରି ଚୌକା, ଛକାର ବର୍ଷା କରିଥିଲେ।

ସାଙ୍ଗରେ କ’ଣ ଆଣିପାରିବେନି?
ବାରବାଟୀକୁ ମ୍ୟାଚ୍‌ ଦେଖିବାକୁ ଆସୁଥିବା ଦର୍ଶକମାନେ ସାଙ୍ଗରେ କିଛି ସାମଗ୍ରୀ ଆଣିବାକୁ ବାରଣ କରାଯାଇଛି। ସୁରକ୍ଷା ଜନିତ କାରଣରୁ ବ୍ୟାଗ, ବ୍ରିଫକେସ, ପେଜର, ରେଡିଓ, ଡିଜିଟାଲ ଡାଏରି, ଲ୍ୟାପଟପ, ଟେପ ରେକର୍ଡର, ବାଇନା କୁଲର, ରିମୋଟ କଣ୍ଟ୍ରୋଲ ଡିଭାଇସ୍‌, ମ୍ୟୁଜିକାଲ ଇନଷ୍ଟ୍ରୁମେଣ୍ଟ, ଭିଡିଓ କ୍ୟାମେରା, ହେଲମେଟ, ଡିଜିଟାଲ କ୍ୟାମେରା, ଫୋଟକା ବାଣ, ଥର୍ମୋଫ୍ଲାକ୍ସ, ଅସ୍ତ୍ରଶସ୍ତ୍ର, ଵାଟର ଜଗ, ଛତା, ବିଡ଼ି, ସିଗାରେଟ, ଦିଆସିଲି, ଲାଇଟର, ମିରର, ସିଜର, କାଚ ବସ୍ତୁ, ଛୁରି, ଛୁଞ୍ଚି, ମାରଣାସ୍ତ୍ର, ତରଳ ଖାଦ୍ୟ, ଫଳ, ପାଣି ବୋତଲ, ପାଣି ପାଉଚ, ପଲିଥିନ୍‌ ଆଣିବାକୁ ଓସିଏ ଓ ପୁଲିସ୍‌ ପକ୍ଷରୁ ମନା କରାଯାଇଛି। ଦର୍ଶକମାନଙ୍କୁ ଗ୍ୟାଲେରିରେ ପାନୀୟ ଜଳ ଓ ଶୁଖିଲା ଖାଦ୍ୟ ଯୋଗାଇଦିଆଯିବ ବୋଲି ସୂଚନା ଦିଆଯାଇଛି।

ବିଶୃଙ୍ଖଳା କଲେ କାର୍ଯ୍ୟାନୁଷ୍ଠାନ
୨୦୧୫ରେ ଦକ୍ଷିଣ ଆଫ୍ରିକା ବାରବାଟୀକୁ ଖେଳିବାକୁ ଆସିଥିଲା ବେଳେ ପଡ଼ିଆକୁ ବୋତଲ ମାଡ଼ ଘଟଣା ଚର୍ଚ୍ଚିତ ହୋଇଥିଲା। ଏହି ଦିନଟି ବାରବାଟୀ ଇତିହାସରେ ଏକ କଳାଦିନ ହୋଇ ରହିଯାଇଛି। ତେଣୁ ଚଳିତ ବର୍ଷର ମ୍ୟାଚ୍‌ ଯେପରି ଶାନ୍ତିଶୃଙ୍ଖଳାର ସହ ଶେଷ ହେବ ସେଥିପାଇଁ ଓସିଏ ସହିତ ପୁଲିସ୍‌ ପ୍ରଶାସନ ତତ୍ପର ହୋଇଛି। ଡିସିପିଙ୍କ ନେତୃତ୍ବରେ ଦୁଇଟି ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍‌ ଖୋଲାଯାଇ ଦର୍ଶକଙ୍କ ବ୍ୟବହାର ଓ ଗତିବିଧି ଉପରେ ନଜର ରଖାଯିବ। ତେଣୁ ଷ୍ଟାଡିୟମ ଭିତରେ ଓ ବାହାରେ ପର୍ଯ୍ୟାପ୍ତ ସିସି କ୍ୟାମେରା ଲଗାଯାଇଛି। ଷ୍ଟାଡିୟମରେ ବିଶୃଙ୍ଖଳା କରୁଥିବା କିମ୍ବା ବିନା ଟିକେଟରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ବିରୋଧରେ ପୁଲିସ୍‌ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ଅନଧିକାର ପ୍ରବେଶକୁ ରୋକିବା ପାଇଁ ଷ୍ଟାଡିୟମର ସମସ୍ତ ଗେଟ୍‌ଗୁଡ଼ିକରେ ବାର‌୍‌କୋର୍ଡ ଯାଞ୍ଚ ମେସିନ୍‌ ମାଧ୍ୟମରେ ଟିକେଟ ଯାଞ୍ଚ କରାଯିବ। ସିଟ୍‌ ଓ ଟିକେଟ ନମ୍ବରି˚ ବ୍ୟବସ୍ଥା ହୋଇଥିବାରୁ ଦର୍ଶକମାନେ ଧାର୍ଯ୍ୟ ସ୍ଥାନରେ ବସି ଖେଳ ଉପଭୋଗ କରିପାରିବେ। ହେଲେ ଥରେ ସିଟ୍‌ରେ ବସିବା ପରେ ସେଠାରୁ ଉଠି ଗ୍ୟାଲେରି ବାହାରକୁ ବାହାରିଲେ, ଦ୍ବିତୀୟ ଥର ଭିତରକୁ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ଓସିଏ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଦର୍ଶକ ଓ ଭିଆଇପିଙ୍କ ପାଇଁ ୫ଟି ପାର୍କିଂ ସ୍ଥାନ
ମ୍ୟାଚ୍‌ ଦେଖିବାକୁ ଆସୁଥିବା ଦର୍ଶକ, ଭିଆଇପି ଓ ଅତିଥିଙ୍କ ପାଇଁ ପ୍ରଶାସନ ପକ୍ଷରୁ ୫ଟି ପାର୍କିଂ ସ୍ଥାନର ବ୍ୟବସ୍ଥା କରାଯାଇଛି। ସାଧାରଣ ଦର୍ଶକଙ୍କ ପାଇଁ ତଳ ଓ ଉପର ବାଲିଯାତ୍ରା ପଡ଼ିଆରେ ବ୍ୟବସ୍ଥା କରାଯାଇଛି। ଓସିଏ ସଦସ୍ୟ ଓ ଅନ୍ୟାନ୍ୟ ଅତିଥିଙ୍କ ପାଇଁ ଓଡ଼ିଶା କ୍ରିକେଟ ଏକାଡେମୀରେ, ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ କେମ୍ବ୍ରିଜ ସ୍କୁଲ୍‌ ପରିସରରେ, ବିସିସିଆଇ ଅଫିସିଆଲ, ମ୍ୟାଚ ରେଫରି, ଅମ୍ପାୟାର, ଖେଳାଳି, ଓସିଏ ଅଧିକାରୀ, ଅତିଥିମାନେ ସେଣ୍ଟ ଜାଭିୟର୍ସ ସ୍କୁଲ୍‌ ପରିସରରେ ପାର୍କିଂ କରିପାରିବେ। ସେହିପରି ବିଚାରପତି, ଟିଭି କ୍ରିଉଙ୍କ ପାଇଁ ହର୍ଷ ଗେଟ୍‌ ସମ୍ମୁଖରେ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର