ବ୍ରିଜ୍‌ଟାଉନ୍‌: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଗ୍ରୁପ୍‌ ପର୍ଯ୍ୟାୟର ଅଧିକାଂଶ ମ୍ୟାଚ୍‌ ଆମେରିକାରେ ଶେଷ ହେବା ପରେ ଏବେ ବିଭିନ୍ନ ଦଳମାନଙ୍କୁ ବାର୍ବାଡସ୍‌ରେ ସ୍ବାଗତ କରାଯାଇଛି। ୱେଷ୍ଟଇଣ୍ଡିଜ୍‌ କ୍ରିକେଟ୍‌ର ମକ୍କା ଭାବେ ପରିଚିତ ବାର୍ବା‌ଡସ୍‌ରେ ଏବେ ବିଶ୍ବକପ୍‌ର ଅସଲ ଲଢ଼େଇ ଦେଖିବାକୁ ମିଳିବ। ଏଠାକାର ବ୍ରିଜ୍‌ଟାଉନ୍‌ରେ ସୁପର-୮ର ତିନିଟି ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ଭାରତ-ଆଫଗାନିସ୍ତାନ ମୁହାଁମୁହିଁ ହେବେ। ଏହି ମ୍ୟାଚ୍‌କୁ ନେଇ ସମଗ୍ର ବାର୍ବାଡସ୍‌ରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହେଉଛି। ବିଶେଷ କରି ଏଠାରେ ବସବାସ କରୁଥିବା ଭାରତୀୟ ବଂଶୋଦ୍ଭବ ଭାରତୀୟ କ୍ରିକେଟର୍‌ଙ୍କ ଖେଳ ଦେଖିବାକୁ ଚାତକ ଭଳି ଚାହି ରହିଛନ୍ତି। ଆଫଗାନିସ୍ତାନ ମଙ୍ଗଳବାର ତାର ‌‌ଶେଷ ଲିଗ୍‌ ମ୍ୟାଚରେ ଘରୋଇ ୱେଷ୍ଟଇଣ୍ଡିଜ୍‌ଠାରୁ ହାରିଥିଲେ ମଧ୍ୟ ଗ୍ରୁପ୍‌-ସି’ର ଉପବିଜେତା ଭାବେ ସୁପର-୮ ଯାଇଛି। ଅନ୍ୟପକ୍ଷ‌ରେ ଭାରତ ଗ୍ରୁପ୍-ଏ’ର ବିଜେତା ଭାବେ ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଉଭୟ ଏସୀୟ ଦଳ ହୋଇଥିବାରୁ ଗୁରୁବାରର ଏହି ମ୍ୟାଚ୍‌ରେ ଏହି ଦୁଇ ଦଳ ପରସ୍ପରକୁ କଡ଼ା ଟକ୍କର ଦେବେ ବୋଲି ଆଶା କରିଛନ୍ତି ସେମାନେ। ତେବେ ବାର୍ବାଡସ୍‌ ପହଞ୍ଚି ସାରିଥିବା ଉଭୟ ଭାରତ ଓ ଆଫଗାନିସ୍ତାନ ଦଳର ଖେଳାଳି ସେଠାକାର ପାଗ ଓ ପରିବେଶକୁ ବେଶ୍ ଉପଯୋଗ କରୁଛନ୍ତି। ସେହିଭଳି ବାର୍ବାଡସ୍‌ର ନିଆରା କ୍ରିକେଟ୍‌ ସଂସ୍କୃତିରୁ ବି ଅନେକ କିଛି ଶିଖୁଛନ୍ତି।

Advertisment

ବ୍ରିଜଟାଉନ୍‌: ଗ୍ରୁପ୍‌-ଏ’ ଟପ୍ପର ହୋଇ ସୁପର-୮କୁ ଖେଳିବାକୁ ଆସିଥିବା ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍‌ ମାଟିରେ ଅଭ୍ୟାସ ଆରମ୍ଭ କରିଛି। ୨୦ ତାରିଖରେ ଆଫଗାନିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବ ଭାରତ। କିନ୍ତୁ ନ୍ୟୁୟର୍କ ଓ ଲାଉଡରହିଲ୍‌ରେ ଯେଉଁଭଳି ପିଚ୍‌ରେ ଭାରତ ଖେଳିଥିଲା, ତାହା ସମସ୍ତଙ୍କ ପାଇଁ ଦୁଃସ୍ବପ୍ନ ପାଲଟିଯାଇଛି। ଦ୍ରୁତ ବୋଲରଙ୍କୁ ବେଶ୍‌ ସୁହାଉଥିବା ଉକ୍ତ ଦୁଇ ପଡ଼ିଆରେ ବ୍ୟାଟର୍‌ମାନେ ହାତ ଖୋଲି ଖେଳିପାରି ନଥିଲେ। ଆଇପିଏଲ୍‌ରେ ଯେତେବେଳେ ହାରାହାରି ସ୍କୋର ୨୦୦ ଉପରେ ରହୁଥିଲା, ଏଠାରେ କେହି ତାହାର ପାଖାପାଖି ପହଞ୍ଚିପାରି ନାହାନ୍ତି। ଚଳିତ ବିଶ୍ବକପ୍‌ରେ ଦୁଇଥର ୨୦୦ରୁ ଅଧିକ ସ୍କୋର ହୋଇଛି। ସେସବୁ ପୁଣି ୱେଷ୍ଟଇଣ୍ଡିଜ୍‌ ମାଟିରେ। କିନ୍ତୁ ଆମେରିକାରେ ୧୫୦ ରନ୍‌, ସମସ୍ତଙ୍କୁ ଗୋଟିଏ ପାହାଡ଼ ଭଳି ଲାଗୁଥିଲା।

ୱେଷ୍ଟଇଣ୍ଡିଜ୍‌ରେ ଭାରତ ପୂର୍ବରୁ ଅନେକ ମ୍ୟାଚ୍‌ ଖେଳିଥିଲେ ମଧ୍ୟ ଆମେରିକା ଭଳି ଏଠାରେ ହିନସ୍ତା ଭୋଗିବାକୁ ପଡ଼ିପାରେ ବୋଲି ଭାରତୀୟ କ୍ରିକେଟର୍‌ଙ୍କ ପାଖରେ ଛନକା ପଶିଛି। ଯେଉଁଥି ପାଇଁ ରୋହିତ ଶର୍ମା ଅଭ୍ୟାସ ପଡ଼ିଆରେ ପ୍ରବେଶ କଲା ବେଳକୁ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରାଙ୍କୁ ‘ପିଚ୍‌ କେମିତି ଅଛି’ ବୋଲି ପଚାରିଥିଲେ। ବୁମ୍‌ରା ମଧ୍ୟ ପିଚ୍‌କୁ ନେଇ ସନ୍ତୁଷ୍ଟ ଥିବା କହିଥିଲେ। ଭାରତୀୟ ଖେଳାଳିମାନେ ୱାର୍ମଅପ୍‌ କରିବା ପରେ ବିରାଟ କୋହଲି ପ୍ରଥମ ବ୍ୟକ୍ତି, ଯିଏ କି ନେଟ୍ସକୁ ଓହ୍ଲାଇଥିଲେ। ତାଙ୍କ ସହିତ ରବୀନ୍ଦ୍ର ଜାଡ଼େଜା ମଧ୍ୟ ଅଭ୍ୟାସ ପାଇଁ‌ ପାଖ ନେଟ୍ସକୁ ଯାଇଥିଲେ। କୋହଲି ପାଖାପାଖି ୩୦ ମିନିଟ୍‌ ପର୍ଯ୍ୟନ୍ତ ଥ୍ରୋଡାଉନ୍‌ରେ ଅଭ୍ୟାସ କରିଥିଲେ ଏବଂ ପରେ କୁଲଦୀପ ୟାଦବ ଓ ହାର୍ଦିକ ପାଣ୍ଡ୍ୟାଙ୍କ ବୋଲିଂକୁ ସାମ୍ନା କରିଥିଲେ। ଅଭ୍ୟାସ ‌ଭିତରେ କୋହଲି ସବୁଠୁ ଅଧିକ ଲଫ୍ଟେଡ୍‌ ଡ୍ରାଇଭ୍‌ ଖେଳୁଥିବା ଦେଖାଯାଇଛି। ପରେ ବୁମ୍‌ରାଙ୍କ ସହିତ ପୁଲ୍‌ ସଟ୍‌ ଖେଳିବା ଅଭ୍ୟାସ କରିଥିଲେ। ସେହିପରି ‌ଜାଡ଼େଜା ନେଟ୍ସରେ ଜଣେ ସ୍ଥାନୀୟ ନେଟ୍‌ ବୋଲରଙ୍କୁ ସ୍ଲଗ୍‌ ସ୍ବିପ୍‌, କଭର ଡ୍ରାଇଭ୍‌ ଇତ୍ୟାଦି ଖେଳିଥିଲେ। ପରେ ୱିକେଟ୍‌ରକ୍ଷକ ବ୍ୟାଟର୍‌ ଋଷଭ ପନ୍ତ୍‌ ନେଟ୍ସରେ ବୁମ୍‌ରା, ହାର୍ଦିକ, କୁଲଦୀପ ଓ ଅକ୍ଷର ପଟେଲ୍‌ଙ୍କୁ ଖେଳିଥିଲେ। ପରେ ହାର୍ଦିକ ମୁଖ୍ୟ ପିଚ୍‌ ପାଖକୁ ଆସି ବଡ ସଟ୍‌ ଅଭ୍ୟାସ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସୂର୍ଯ୍ୟକୁମାର ୟାଦବ, ଶିବମ୍‌ ଦୁବେ, ଯଶସ୍ବୀ ଜୟସ୍ବାଲ୍‌ ଅଭ୍ୟାସ କରିଥିଲେ।

ବିଶ୍ବକପ୍‌ରେ ବର୍ତ୍ତମାନ ସୁଦ୍ଧା ଭାରତ କଠିନ ପରୀକ୍ଷାର ସମ୍ମୁଖୀନ ହୋଇ ଆସିଛି। ଆୟର୍ଲାଣ୍ଡ, ପାକିସ୍ତାନ ଓ ଆମେରିକା ସହିତ କଷ୍ଟସାଧ୍ୟ ନସାଉ କାଉଣ୍ଟି ଆନ୍ତର୍ଜାତିକ କ୍ରିକେଟ୍‌ ଷ୍ଟାଡିୟମ୍‌ ପିଚ୍‌ରେ ଖେଳିଥିଲା। ଲାଉଡରହିଲ୍‌ଠାରେ କାନାଡ଼ା ସହିତ ହେବାକୁ ଥିବା ମ୍ୟାଚ୍‌ ଓଦା ପଡ଼ିଆ ଯୋଗୁ ବାତିଲ ହୋଇଯାଇଥିଲା। ସବୁଠୁ ଚିନ୍ତାଜନକ ରହିଛି ବିରାଟ କୋହଲିଙ୍କ ଖରାପ ବ୍ୟାଟିଂ। କୋହଲି ୩ ମ୍ୟାଚ୍‌ରୁ ମାତ୍ର ୫ ରନ୍‌ କରିଥିବାବେଳେ ସର୍ବୋଚ୍ଚ ପାଳି ହେଉଛି ୪। ସେହିପରି ଜାଡ଼େଜା, ସିରାଜ ଓ ଅକ୍ଷରଙ୍କ ବୋଲିଂ ମଧ୍ୟ ଉତ୍ସାହଜନକ ହୋଇପାରିନି। ଅକ୍ଷର ୩, ସିରାଜ ୧ ୱିକେଟ୍‌ ପାଇଥିଲା ବେଳେ ଅଲ୍‌ରାଉଣ୍ଡର୍‌ ଜାଡ଼େଜା ଏପର୍ଯ୍ୟନ୍ତ ଖାତା ଖୋଲି ନାହାନ୍ତି। ତେଣୁ ୱେଷ୍ଟଇଣ୍ଡିଜ୍‌ର ଭିନ୍ନ ପରିବେଶରେ ଭାରତ ଏକାଦଶ ବଦଳାଉଛି ନା ପୂର୍ବ ଦଳକୁ ନେଇ ଖେଳିବା ଜାରି ରଖିବ ତାହା ଉପରେ ଏବେ ପ୍ରଶଂସକଙ୍କ ନଜର ରହିଛି।