କଟକ: ଭାରତ-ଇଂଲଣ୍ଡ ମହାଟକ୍କର’ର ପୂର୍ବଦିନ ଅର୍ଥାତ୍ ଶନିବାର ଭାରତୀୟ ଦଳର ଅଭ୍ୟାସ ଦେଖିବାକୁ ପ୍ରଶଂସକଙ୍କ ଭିତରେ ଅହେତୁକ ଆଗ୍ରହ ଓ ଉତ୍ସାହ ଦେଖିବାକୁ ମିଳିଥିଲା। ଛୋଟ ପିଲା ଓ ମହିଳାଙ୍କୁ ମିଶାଇ ପାଖାପାଖି ୩୦,୦୦୦ ଦର୍ଶକ ଆଜି ଭାରତୀୟ ଖେଳାଳିଙ୍କ ଅଭ୍ୟାସ ଦେଖିବାକୁ ଏକତ୍ର ହୋଇଥିଲେ। ସେମାନେ ଏକଲୟରେ ଭାରତୀୟ ଖେଳାଳିମାନେ ଅପରାହ୍ଣ ୫ଟା ୧୫ରୁ ପାଖାପାଖି ରାତି ୮ଟା ପର୍ଯ୍ୟନ୍ତ କରିଥିବା ଅଭ୍ୟାସ ଦେଖିଥିଲେ। ନିଜ ପ୍ରିୟ ଖେଳାଳିଙ୍କୁ ନିକଟରୁ ଦେଖି ଆନନ୍ଦିତ ଓ ଉଲ୍ଲସିତ ହୋଇଥିଲେ।
ଅପରାହ୍ଣ ୧୨ଟାରୁ ଷ୍ଟାଡିୟମ୍ ଭିତରକୁ ପ୍ରବେଶ କରିବାକୁ ଦର୍ଶକଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଏଥିଲାଗି କ୍ୟାଣ୍ଟନମେଣ୍ଟ୍ ରୋଡ୍ ଓ ବାଲିଯାତ୍ରା ପଡ଼ିଆ ଲୋକାରଣ୍ୟ ହେବା ସହ ଟ୍ରାଫିଜ୍ ଜାମ୍ ହୋଇଯାଇଥିଲା। ଉତ୍ସାହୀ ଦର୍ଶକଙ୍କ ଉପସ୍ଥିତିରେ ବାରବାଟୀର ୫ ନମ୍ବର, ୬ ନମ୍ବର ଓ ୭ ନମ୍ବର ଗ୍ୟାଲେରି ପୂରା ଭର୍ତ୍ତି ହୋଇଯାଇଥିଲା ବେଳେ ୧ ନମ୍ବର ଗ୍ୟାଲେରିର ୯୦ ପ୍ରତିଶତ ଏବଂ ୨ ନମ୍ବର ଗ୍ୟାଲେରିର ଅଧା ଭରି ଯାଇଥିଲା। କିଂବଦନ୍ତି ବିରାଟ କୋହଲି ଏହି ଅବସରରେ ପ୍ରମୁଖ ଆକର୍ଷଣ ପାଲଟିଥିଲେ। ପ୍ରଶଂସକଙ୍କ କୋହଲି.... କୋହଲି ରଡ଼ିରେ ବାରବାଟୀ କମ୍ପି ଉଠିଥିଲା। କେତେକ ଉତ୍ସାହିତ ପ୍ରଶଂସକ ମଧ୍ୟ ତ୍ରିରଙ୍ଗା ହଲାଇ ଭାରତୀୟ ଖେଳାଳିଙ୍କ ମନୋବଳ ବଢ଼ାଇବାରେ ଲାଗିପଡ଼ିଥିଲେ। ଏତେ ସଂଖ୍ୟକ କ୍ରିକେଟ୍ ପ୍ରେମୀଙ୍କୁ ନିୟନ୍ତ୍ରଣ କରିବାକୁ ସୁରକ୍ଷାକର୍ମୀ ନୟାନ୍ତ ହୋଇଥିଲେ। ଖେଳାଳିମାନେ ମଧ୍ୟ ଏଭଳି ଭଲପାଇବା ଓ ସମର୍ଥନ ଦେଖି ଆପାତତଃ ଚକିତ ହୋଇଯାଇଥିଲେ। ଅଭ୍ୟାସ ଦେଖିବାକୁ ଅନୁମତି ଦେଇଥିବାରୁ କିଛି ଦର୍ଶକ ଓସିଏକୁ କୃତଜ୍ଞତା ଜ୍ଞାପନ କରିଥିଲେ। ସମସ୍ତେ କିନ୍ତୁ ରବିବାର ଭାରତ ଜିତିବ ବୋଲି ଦମ୍ଭ ଭରିଥିଲେ।
ଆଜି ଭାରତୀୟ ଖେଳାଳିମାନେ ସର୍ବପ୍ରଥମେ ହାଲ୍କା ଅଭ୍ୟାସ କରିଥିଲେ। ଏହା ପରେ ବିଭିନ୍ନ ଶାରୀରିକ ଅଭ୍ୟାସ ଯଥା ଷ୍ଟ୍ରେଚିଂ, ପୁଲିଂ ଆଦି କରିବା ସହ ନେଟ୍ସରେ ବୋଲିଂ ଓ ବ୍ୟାଟିଂ କରିଥିଲେ। ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ପିଚ୍ ପାଖକୁ ଯାଇ କିଛି ସମୟ ଏହାକୁ ଅନୁଧ୍ୟାନ କରିଥିଲେ। ଫର୍ମ ପାଇଁ ସଂଘର୍ଷ କରୁଥିବା ରୋହିତ ଢେର ସମୟ ପର୍ଯ୍ୟନ୍ତ ବିଭିନ୍ନ ସଟ୍ ଅଭ୍ୟାସ କରିଥିଲେ। ବାମହାତୀ ବୋଲର ଅର୍ଶଦୀପ ସିଂହ ମଧ୍ୟ ଲମ୍ବା ରନ୍ ଅପ୍ ନେଇ ବୋଲିଂ କରିଥିଲେ। ଯାହା ରବିବାର ମ୍ୟାଚ୍ରେ ସେ ଖେଳିବାର ସମ୍ୟକ୍ ସଙ୍କେତ ଥିଲା। ସ୍ପିନର ବରୁଣ ଚକ୍ରବର୍ତ୍ତୀ ମଧ୍ୟ ଢେର ସମୟ ଅଭ୍ୟାସ କରିଥିଲେ। ଭାରତୀୟ ଖେଳାଳିଙ୍କ ଅଭ୍ୟାସ ଲାଗି ବାରବାଟୀରେ ୬ଟି ଅତିରିକ୍ତ ପିଚ୍ ପ୍ରସ୍ତୁତ ହୋଇଥିଲା। ସେଥିମଧ୍ୟରୁ ପୁରୁଣା ପ୍ୟାଭିଲିୟନ୍ ସମ୍ମୁଖରେ ଦୁଇଟି ପିଚ୍ ଥିଲା ବେଳେ ଗ୍ୟାଲେରୀ ନଂ ୩ ସମ୍ମୁଖରେ ଦୁଇଟି ପିଚ୍ ରହିଛି। ଏଥିସହ ମୁଖ୍ୟ ପିଚ୍ର ଉଭୟ ପାର୍ଶ୍ବରେ ମଧ୍ୟ ଖେଳାଳିଙ୍କୁ ଅଭ୍ୟାସ ପାଇଁ ଆଉ ଦୁଇଟି ପିଚ୍ ଥିଲା।