ମେସିଙ୍କ ଗୋଲ୍‌ରେ ବାର୍ସିଲୋନାକୁ ଲା’ ଲିଗା ମୁକୁଟ

ବାର୍ସି‌ଲୋନା: ଆର୍ଜେଣ୍ଟିନା ଫୁଟ୍‌ବଲ୍‌ ତାରକା ଲିଓନେଲ ମେସିଙ୍କ ଏକମାତ୍ର ଗୋଲ୍‌ ବଳରେ ବାର୍ସିଲୋନା ଶନିବାର ୨୬ତମ ଲା’ ଲିଗା ମୁକୁଟ କରାୟତ କରିଛି। ଲେଭା‌ଣ୍ଟେ ବିପକ୍ଷ ଏହି ମ୍ୟାଚ୍‌ର ୬୧ତମ ମିନିଟ୍‌ରେ ଆର୍ତୁର ଭିଦାଲଙ୍କ ହେ‌ଡର୍‌କୁ ମେସି ଗୋଲ୍‌ ପୋ‌ଷ୍ଟ୍‌କୁ ପଠାଇ ବାର୍ସିଲୋନାକୁ ୧୧ ବର୍ଷରେ ଅଷ୍ଟମ ଲା ଲିଗା ଟ୍ରଫି ଭେଟି ଦେଇଥି‌ଲେ। ଏହି ଗୋଲ୍‌ ଦେଇ ମେସି ଚଳିତ ଋତୁରେ ୩୨ ମ୍ୟାଚ୍‌ରୁ ୩୪ ଗୋଲ୍‌ ଦେବା ସହ ପ୍ରଥମ ବାର୍ସିଲୋନା ଖେଳାଳି ଭାବେ ଦଶମ ଲା ଲିଗା ଟ୍ରଫି ଧରିବାର କୀର୍ତିମାନ କରିଥି‌ଲେ। ମୋଟ ଉପରେ କୌଣସି କ୍ଲବ୍‌ ପକ୍ଷରୁ ସର୍ବାଧିକ ଥର ଟ୍ରଫି ଜିତିବା କ୍ଷେତ୍ରରେ ମେସି ତୃତୀୟ ଖେଳାଳି ହୋଇଛନ୍ତି। ତାଙ୍କ ପୂର୍ବରୁ ପୂର୍ବତନ ରିଅଲ୍‌ ମାଦ୍ରିଦ୍‌ ୱିଙ୍ଗର ପାକୋ ଜେଣ୍ଟୋ ସର୍ବାଧିକ ୧୨ ଟ୍ରଫି ଜିତି ସ୍ପାନିସ୍‌ ଲିଗ୍‌ କୀର୍ତିମାନ ନିଜ ନାମରେ ରଖିଥିଲା ବେଳେ ତାଙ୍କ ପୁରୁଣା ଦଳୀୟ ସାଥୀ ପିରି ୧୦ ଥର ଲା ଲିଗା ଟ୍ରଫି ଜିତିଛନ୍ତି। ୨୦୦୫ରେ ମେସି ପ୍ରଥମ ଥର ଲାଗି ବାର୍ସଲୋନା ପାଇଁ ଟ୍ରଫି ଜିତିଥିଲେ। ଇତି ମଧ୍ୟରେ ମେସିଙ୍କ ଗୋଲ୍‌ ସଂଖ୍ୟା ୫୯୮ରେ ପହଞ୍ଚିଯାଇଛି। ଏହି ବିଜୟ ଫଳରେ ବାର୍ସିଲୋନା ୩୫ ମ୍ୟାଚ୍‌ରୁ ୮୩ ପଏଣ୍ଟ୍‌ ପାଇ ଶୀର୍ଷ ସ୍ଥାନ ଅଧିକାର କରି ଟ୍ରଫି ନିଶ୍ଚିତ କରିଥିଲା। ସମାନ ମ୍ୟାଚ୍‌ ଖେଳି ଆଟ୍‌ଲେଟିକୋ ମାଦ୍ରିଦ୍‌ (୭୪) ବାର୍ସିଲୋନାଠୁ ୯ ପଏଣ୍ଟ୍‌ ପଛରେ ରହି ଦ୍ବିତୀୟ ଏବଂ ୩୪ ମ୍ୟାଚ୍‌ରୁ ରିଅଲ୍‌ ମାଦ୍ରିଦ୍ ୬୫ ପଏଣ୍ଟ୍‌ ସହ ତୃତୀୟରେ ରହିଛି। ବାର୍ସିଲୋନା ଏବେ ସର୍ବାଧିକ ଥର ଟ୍ରଫି ଜିତିବାରେ ରିଅଲ୍‌ ମାଦ୍ରିଦ୍‌ (୩୩)ଠୁ ୭ ପଛରେ ରହିଛି।

ସମ୍ବନ୍ଧିତ ଖବର