ମେଲବର୍ଣ୍ଣ: ନ୍ୟୁଜିଲାଣ୍ଡ୍‌ର ଗ୍ରେଗ୍‌ ବାର୍କଲେ ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି)ର ପରବର୍ତ୍ତୀ ଅଧ୍ୟକ୍ଷ ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି। ମେଲ୍‌ବର୍ଣ୍ଣରେ ଶନିବାର ବସିଥିବା ଆଇସିସିର ବୋର୍ଡ ବୈଠକରେ ବାର୍କଲେଙ୍କ ପ୍ରତିଦ୍ବନ୍ଦ୍ବୀ ତଥା ଜିମ୍ବାୱେ କ୍ରିକେଟ୍‌ର ଅଧ୍ୟକ୍ଷ ତାଭେଙ୍ଗୱା ମୁକୁଲାନି ଶେଷ ସମୟରେ ଓହରି ଯିବାରୁ ସେ ଅପ୍ରତିଦ୍ବନ୍ଦ୍ବୀ ଭାବେ ବିଜୟୀ ହୋଇଥିଲେ। ଆସନ୍ତା ୨ ବର୍ଷ ପାଇଁ ବା‌ର୍କଲେ ଆଇସିସି ମୁଖ୍ୟ ପଦରେ ରହିବେ। ବୋର୍ଡ ବୈଠକରେ ବାର୍କଲେଙ୍କ ପ୍ରତି ମୋଟ ୧୭ ସଦସ୍ୟଙ୍କ ମଧ୍ୟରୁ ୧୨ରୁ ଅଧିକ ସଦସ୍ୟଙ୍କ ସମର୍ଥନ ରହିଥିଲା। ଏପରିକି ସବୁଠାରୁ ପ୍ରଭାବଶାଳୀ ବୋର୍ଡ ବିସିସିଆଇ ମଧ୍ୟ ବାର୍କଲେଙ୍କୁ ସମର୍ଥନ କରିବାରୁ ମୁକୁଲାନିଙ୍କ ପାଖରେ ଓହରିଯିବା ଛଡ଼ା ଆଉ ବିକଳ୍ପ ନଥିଲା। ତେବେ ଓହରିବା ପରେ ବାର୍କଲେଙ୍କୁ ମୁକୁଲାନି ପୁଣି ଥରେ ଆଇସିସି ମୁଖ୍ୟ ହେବାକୁ ଯାଉଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ବାର୍କଲେ ମଧ୍ୟ ସମସ୍ତ ଆଇସିସି ନିର୍ଦ୍ଦେଶକଙ୍କୁ କୃତଜ୍ଞତା ଜଣାଇଥିଲେ।

Advertisment

ଅନ୍ୟପକ୍ଷରେ ବିସିସିଆଇ ସମ୍ପାଦକ ଜୟ ଶାହା ଆଇସିସିର ଅର୍ଥ ଓ ବାଣିଜ୍ୟ ବ୍ୟାପାର କମିଟିର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ପୂର୍ବରୁ ପୂର୍ବତନ କ୍ରିକେଟର୍‌ ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି ଏହି କିମିଟିର ସଦସ୍ୟ ଥିଲେ। ତେବେ ଗାଙ୍ଗୁଲିଙ୍କୁ ଆଇସିସି କ୍ରିକେଟ୍‌ କମିଟିର ଅଧ୍ୟକ୍ଷ ଭାବେ ବୋର୍ଡ ମନୋନୀତ କରିଛି।