ପ୍ୟାରିସ୍: ଅଷ୍ଟ୍ରେଲିଆର ଆସ୍ଲେ ବାର୍ଟି ରୋଲାଁ ଗ୍ୟାରସ୍ରେ ନୂଆ ବିଜୟିନୀ ହୋଇଛନ୍ତି। ଅଣମାନ୍ୟତାପ୍ରାପ୍ତ ଚେକ୍ ଗଣରାଜ୍ୟ ଲଳନା ମର୍କେଟା ଭନ୍ଦ୍ରୋସୋଭାଙ୍କୁ ଶନିବାର ଫାଇନାଲ୍ରେ ପରାସ୍ତ କରି ଅଷ୍ଟମ ମାନ୍ୟତାପ୍ରାପ୍ତ ବାର୍ଟି ଚଳିତ ଫ୍ରେଞ୍ଚ୍ ଓପନ୍ ଗ୍ରାଣ୍ଡ୍ସ୍ଲାମ୍ ଟେନିସ୍ ପ୍ରତିଯୋଗିତାର ମହିଳା ଏକକ ଟ୍ରଫି କରାୟତ କରିଛନ୍ତି। ଏହା ମଧ୍ୟ ବାର୍ଟିଙ୍କ ଜୀବନର ପ୍ରଥମ ଗ୍ରାଣ୍ଡ୍ ସ୍ଲାମ୍ ଟ୍ରଫି। ସେମିଫାଇନାଲ୍ରେ ୨୬ତମ ମାନ୍ୟତାପ୍ରାପ୍ତ ବ୍ରିଟେନ୍ ମହିଳା ଜୋହାନା କୋଣ୍ଟାଙ୍କୁ ପରାସ୍ତ କରି ୨୦୦୭ ପରେ ସର୍ବକନିଷ୍ଠ ଖେଳାଳି ଭାବେ ଫ୍ରେଞ୍ଚ୍ ଓପନ୍ ଫାଇନାଲ୍ ପହଞ୍ଚିଥିବା ମର୍କେଟା ଆଉ ଆଗକୁ ବଢ଼ି ପାରିନଥିଲେ। ଫାଇନାଲ୍ରେ ବାର୍ଟିଙ୍କ ନିକଟରେ ସେ ସଂପୂର୍ଣ୍ଣ ଆତ୍ମସମର୍ପଣ କରିଥିଲେ। ବାର୍ଟି ସିଧାସଳଖ ୬-୧ ଓ ୬-୩ ସେଟ୍ରେ ମର୍କେଟାଙ୍କୁ ପରାସ୍ତ କରି ଫ୍ରେଞ୍ଚ୍ ଓପନ୍ ମୁକୁଟ ପରିଧାନ କଲେ। ସାମନ୍ଥା ସ୍ତୋସୁର (୨୦୧୦)ଙ୍କ ପରେ ପ୍ରଥମ ଅଷ୍ଟ୍ରେଲୀୟ ଖେଳାଳି ଭାବେ ଫାଇନାଲ୍ ପ୍ରବେଶ କରିଥିବା ବାର୍ଟି ଟ୍ରଫି ହାତଛଡ଼ା କରିନଥିଲେ। ଏଥି ସହିତ ମାର୍ଗାରେଟ୍ କୋର୍ଟ (୧୯୭୩)ଙ୍କ ପରେ ବାର୍ଟି ପ୍ରଥମ ଅଷ୍ଟ୍ରେଲୀୟ ମହିଳା ଭାବେ ଫ୍ରେଞ୍ଚ୍ ଓପନ୍ ଏକକ ଟ୍ରଫି ଜିତିବାର ଗୌରବ ବହନ କଲେ। ବାର୍ଟି ମଧ୍ୟ ପ୍ରଥମ ଟେନିସ୍ ଖେଳାଳି ଯିଏକି ଟେନିସ୍ରୁ କ୍ରିକେଟ୍ ଏବଂ ପୁଣି କ୍ରିକେଟ୍ରୁ ଟେନିସ୍ ଖେଳାଳି ବନିବା ପରେ ଏକ ଗ୍ରାଣ୍ଡ୍ ସ୍ଲାମ୍ ଟ୍ରଫି ହାସଲ କଲେ। ଆଉ ଫ୍ରେଞ୍ଚ୍ ଓପନ୍ ଟ୍ରଫି ଜିତିବାର ପୁରସ୍କାର ସ୍ବରୂପ ବାର୍ଟି ଡବ୍ଲୁଟିଏ ମାନ୍ୟତାର ଦ୍ବିତୀୟ ସ୍ଥାନକୁ ଲମ୍ଫ ମାରିଛନ୍ତି। ସେ ଏକକାଳୀନ ୬ ସ୍ଥାନ ଉପରକୁ ଉଠିଛନ୍ତି।
ଜୋକୋଭିକ୍ ବିଦା, ଟ୍ରଫି ଲଢ଼େଇରେ ନାଦାଲ-ଥିମ୍
ଚଳିତ ଫ୍ରେଞ୍ଚ୍ ଓପନ୍ ଗ୍ରାଣ୍ଡ୍ସ୍ଲାମ୍ ଟେନିସ୍ ପ୍ରତିଯୋଗିତାରୁ ଶୀର୍ଷ ମାନ୍ୟତା ପୁରୁଷ ଏକକ ବର୍ଗ ଖେଳାଳି ନୋଭାକ୍ ଜୋକୋଭିକ୍ଙ୍କ ଅଭିଯାନ ଶେଷ ହୋଇଗଲା। ବାରମ୍ବାର ବର୍ଷା ଦ୍ବାରା ବାଧାପ୍ରାପ୍ତ ଦ୍ବିତୀୟ ସେମିଫାଇନାଲ୍ରେ ଘମାଘୋଟ ଲଢ଼େଇ ଶେଷରେ ଏହି ସର୍ବିଆ ତାରକା ଚତୁର୍ଥ ମାନ୍ୟତା ଡୋମିନିକ୍ ଥିମ୍ଙ୍କ ନିକଟରୁ ହାରିଗଲେ। ଶୁକ୍ରବାର ଏହି ମ୍ୟାଚ୍ ଆରମ୍ଭ ହୋଇଥିଲେ ମଧ୍ୟ ତୃତୀୟ ସେଟ୍ ଅଧାରୁ ବର୍ଷା ପାଇଁ ଖେଳ ବନ୍ଦ ରହିଥିଲା। ସେତେବେଳକୁ ଜୋକୋଭିକ୍ ପ୍ରଥମ ସେଟ୍କୁ ୨-୬ରେ ହାରିବା ପରେ ଦ୍ବିତୀୟ ସେଟ୍କୁ ୬-୩ରେ ଜିତିଥିଲେ। ତୃତୀୟ ସେଟ୍ରେ ଜୋକୋଭିକ୍ ୧-୩ରେ ପଛୁଆ ରହିଥିଲେ। ଶନିବାର ଖେଳ ପୁନଃଆରମ୍ଭ ହୋଇଥିଲା। ଏଥିରେ ସେ ତୃତୀୟ ସେଟ୍କୁ ୫-୭ରେ ହାରିଥିଲା ବେଳେ ଚତୁର୍ଥ ସେଟ୍କୁ ୭-୫ରେ ଜିତି ସ୍ଥିତି ୨-୨ କରିଥିଲେ। ଏଥି ସହିତ ମ୍ୟାଚ୍ର ଭାଗ୍ୟ ପଞ୍ଚମ ତଥା ନିର୍ଣ୍ଣାୟକ ସେଟ୍କୁ ଟାଣି ହୋଇଯାଇଥିଲା। ତେବେ ପଞ୍ଚମ ସେଟ୍ ଅଧାରୁ ପୁଣି ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ହୋଇଥିଲା। ଶେଷରେ ଜୋକୋଭିକ୍ ଏହି ସେଟ୍କୁ ମଧ୍ୟ ୫-୭ରେ ହାରି ଦୁଃଖଦ ବିଦାୟ ନେଲେ। ଆଉ ଜୋକୋଭିକ୍ଙ୍କୁ ମାତ୍ ଦେଇଥିବା ଅଷ୍ଟ୍ରିଆ ତାରକା ଥିମ୍ କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ରୋଲାଁ ଗ୍ୟାରସ୍ରେ ଫାଇନାଲ୍ ସ୍ଥାନ ପକ୍କା କରିନେଲେ। ଏବେ ପୁରୁଷ ଏକକ ଟ୍ରଫି ପାଇଁ ଥିମ୍ଙ୍କ ମୁକାବିଲା ଦ୍ବିତୀୟ ମାନ୍ୟତାପ୍ରାପ୍ତ ସ୍ପେନ୍ ତାରକା ରାଫେଲ ନାଦାଲଙ୍କ ସହ ହେବ। ଏହା ମଧ୍ୟ ଗତବର୍ଷ ଫାଇନାଲ୍ର ପୁନରାବୃତ୍ତି ହୋଇଛି। ଗତବର୍ଷ ଫାଇନାଲ୍ରେ ଥିମ୍ଙ୍କୁ ସିଧାସଳଖ ସେଟ୍ରେ ପରାସ୍ତ କରି ନାଦାଲ ବିଜେତା ହୋଇଥିଲେ।