ପ୍ୟାରିସ: ଆହତ ଯୋଗୁଁ ଚଳିତ ଫ୍ରେଞ୍ଚ ଓପନ୍ ଟେନିସ ପ୍ରତିଯୋଗିତାରୁ ବିଶ୍ବର ଏକ ନମ୍ବର ଖେଳାଳି ଆସ୍ଲେ ବାର୍ଟି ଓହରି ଯାଇଛନ୍ତି। ଗୁରୁବାର ପୋଲାଣ୍ଡର ମାଗ୍ଦା ଲିନେଟ୍ଙ୍କ ବିପକ୍ଷ ଦ୍ବିତୀୟ ପର୍ଯ୍ୟାୟ ମ୍ୟାଚ୍ ବେଳେ ଅଷ୍ଟ୍ରେଲିଆର ଏହି ୨୦୧୯ ରୋଲାଁ ଗାରୋସ ବିଜୟିନୀଙ୍କ ଆହତ ହୋଇଥିଲେ। ପ୍ରଥମ ପର୍ଯ୍ୟାୟର ପ୍ରଥମ ସେଟ୍ରେ ୧-୬ରେ ପଛୁଆ ରହିଥିବା ବାର୍ଟି ବାମ ଗୋଇଠିରେ ଯନ୍ତ୍ରଣା ହେବାରୁ ଚିକିତ୍ସା ଲାଗି କୋର୍ଟ ଛାଡ଼ିଥିଲେ। ଏହାପରେ ପୁଣି ଫେରି ଦ୍ବିତୀୟ ସେଟ୍ ଖେଳିଥିଲେ। ଏହି ସେଟ୍ରେ ୨-୨ରେ ଥିଲା ବେଳେ ତାଙ୍କ ଯନ୍ତ୍ରଣା ବଢ଼ିଥିଲା ଏବଂ ସେ ଓହରିଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେ ଓହରିଯିବାରୁ ଲିନେଟ ସହଜରେ ତୃତୀୟ ପର୍ଯ୍ୟାୟରେ ପହଞ୍ଚି ଯାଇଛନ୍ତି। ବାର୍ଟି ଓହରିବା ପରେ ଏହି ପ୍ରତିଯୋଗିତାରେ ବିଶ୍ବର ଶୀର୍ଷ ୩ ଖେଳାଳି ବିନା ଚାଲିବ। ତାଙ୍କ ପୂର୍ବରୁ ୨ ନମ୍ବର ଖେଳାଳି ନାଓମି ଓସକା ସାମ୍ବାଦିକ ସମ୍ମିଳନୀ ବିବାଦ ଯୋଗୁଁ ଦ୍ବିତୀୟ ପର୍ଯ୍ୟାୟରୁ ଏବଂ ୩ ନମ୍ବର ସିମୋନା ହାଲେପ ଆହତ ପାଇଁ ପ୍ରତିଯୋଗିତା ପୂର୍ବରୁ ଓହରି ଯାଇଥିଲେ।
ବାର୍ଟିଙ୍କ ସହ ଗୁରୁବାର ଅନ୍ୟ ଦୁଇ ତାରକା ଖେଳାଳି କାରୋଲିନା ପ୍ଲିସକୋଭା (ନବମ) ଏବଂ ଗେଲ୍ ମନଫିଲ୍ସ (ଚର୍ତୁଦଶ) ବିଦାୟ ନେଇଛନ୍ତି। ମହିଳା ଏକକ ଦ୍ବିତୀୟ ପର୍ଯ୍ୟାୟରେ ଚେକ୍ଗଣରାଜ୍ୟର ପ୍ଲିସକୋଭା ୭-୫, ୬-୧ ସେଟ୍ରେ ୨୦୧୮ ଫାଇନାଲିଷ୍ଟ ଆମେରିକାର ସ୍ଲୋଆନେ ଷ୍ଟିଫେନ୍ସଙ୍କଠୁ ଏବଂ ପୁରୁଷ ଏକକରେ ଫ୍ରାନ୍ସର ମନ୍ଫିଲ୍ସ ୦-୬, ୬-୨, ୪-୬, ୩-୬ ସେଟ୍ରେ ସ୍ବିଡେନ୍ର ମାଇକେଲ ୟମିରଙ୍କଠୁ ହାରିଯାଇଥିଲେ। ତେବେ ମହିଳା ଏକକ ତୃତୀୟ ପର୍ଯ୍ୟାୟରେ ଗତବର୍ଷର ଉପବିଜୟିନୀ ସୋଫିଆ କେନିନ (ଚତୁର୍ଥ) ଓ ପଞ୍ଚମ ମାନ୍ୟତାପ୍ରାପ୍ତ ଏଲିନା ସ୍ବିତୋଲିନା ପହଞ୍ଚି ଯାଇଛନ୍ତି। ୟୁକ୍ରେନର ସ୍ବିତୋଲିନା ୬-୦, ୬-୪ ସେଟ୍ରେ ଆମେରିକାର ଆନ୍ ଲି’ଙ୍କୁ ଏବଂ ଆମେରିକାର କେନିନ ୭-୫, ୬-୩ ସେଟ୍ରେ ନିଜ ଦେଶର ହାଇଲେ ବାପ୍ଟିଷ୍ଟ୍ଙ୍କୁ ପରାସ୍ତ କରିଥିଲେ।
ସେହିଭଳି ପୁରୁଷ ଏକକରେ ଶୀର୍ଷ ମାନ୍ୟତାପ୍ରାପ୍ତ ନୋଭାକ ଜୋକୋଭିକ ସହ ରୁଷିଆର ଡାନିଲ ମେଦଭେଦେବ (ଦ୍ବିତୀୟ), ରୋଜର ଫେଡେରର୍ (ଅଷ୍ଟମ), ଇଟାଲିର ମାତିଓ ବର୍ତେନିନି (ନବମ), ଆର୍ଜେଣ୍ଟିନାର ଡିଏଗୋ ସ୍ବର୍ଜମାନ (ଦଶମ) ଦ୍ବିତୀୟ ପର୍ଯ୍ୟାୟ ବାଧା ଅତିକ୍ରମ କରିଛନ୍ତି। ସର୍ବିଆ ତାରକା ଜୋକୋଭିକ ୬-୩, ୬-୨, ୬-୪ ସେଟ୍ରେ ଉରୁଗୁଏର ପବ୍ଲୋ କୁବାସଙ୍କୁ, ମେଦଭେଦେବ ୩-୬, ୬-୧, ୬-୪, ୬-୩ ସେଟ୍ରେ ଆମେରିକାର ଟମି ପଲ୍ଙ୍କୁ, ସ୍ବିଜରଲାଣ୍ଡର ଫେଡେରର୍ ୬-୨, ୨-୬, ୭-୬, ୬-୨ ସେଟ୍ରେ କ୍ରୋଏସିଆର ମାରିନ ସିଲିକ୍ଙ୍କୁ, ବର୍ତେନିନି ୬-୩, ୬-୩, ୬-୨ ସେଟ୍ରେ ଆର୍ଜେଣ୍ଟିନାର ଫେଡେରିକୋ କୋରିଆଙ୍କୁ ଏବଂ ସ୍ବର୍ଜମାନ ୬-୪, ୬-୨, ୬-୪ ସେଟ୍ରେ ସ୍ଲୋଭନିଆର ଅଲ୍ଜାଜ ବେଡେନେଙ୍କୁ ପରାସ୍ତ କରିଥିଲେ।