ସୁରେଶ ସ୍ବାଇଁ
ଭୁବନେଶ୍ବର:‘ଅବସର କେବଳ ଆଉ ଏକ ଆରମ୍ଭ ମାତ୍ର’-ଏଭଳି ଦୁଇ ପଦ ଲେଖି ମହାନ ବ୍ୟାଟର୍ ଚେତେଶ୍ବର ପୂଜାରାଙ୍କ ଅବସରକୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଓଡ଼ିଶା କ୍ରିକେଟ୍ର ଅନ୍ୟତମ ମହାନ ବୋଲର ବସନ୍ତ ମହାନ୍ତି। ରବିବାର ସୋସିଆଲ୍ ମିଡିଆରେ ପୂଜାରା ସମସ୍ତ ଫର୍ମାଟ୍ କ୍ରିକେଟ୍ରୁ ଅବସର ନେବା ଘୋଷଣା କରିବା ମାତ୍ରେ ତାଙ୍କ ସମସାମୟିକ କ୍ରିକେଟର୍ ବସନ୍ତ ଏଭଳି ଲେଖି ନିଜ କୃତଜ୍ଞତା ଜଣାଇଛନ୍ତି। ପୂଜାରାଙ୍କ ସହ ତାଙ୍କ ବନ୍ଧୁତାର ଏକ ଝଲକ ବି ଦେଖାଇଛନ୍ତି ଅନ୍ତରଙ୍ଗ ମୁହୂର୍ତର ଦୁଇଟି ଫଟୋ ଛାଡ଼ି। ଗୋଟିଏ ଫଟୋରେ ପୂଜାରାଙ୍କୁ ବସନ୍ତ ଆଉଟ୍ କରିବା ପରେ ଉଲ୍ଲାସରେ ଉତ୍ସବ ପାଳୁଥିବାବେଳେ ଅନ୍ୟଟିରେ ତାଙ୍କ ସହ ମ୍ୟାଚ୍ ପରବର୍ତ୍ତୀ ବନ୍ଧନର ଏକ ଫଟୋ ରଖିଛନ୍ତି। ନିଜ ୧୬ ବର୍ଷର କ୍ରିକେଟ୍ ଜୀବନରେ ପୂଜାରାଙ୍କ ସହ ତାଙ୍କ ଭଲ ବନ୍ଧୁତା ଥିଲା ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି।
ଓଡ଼ିଶା କ୍ରିକେଟ୍ ପାଇଁ ଏକାଧିକ ମାଇଲ୍ଖୁଣ୍ଟ ରଖିଥିବା ବସନ୍ତ ଭାରତୀୟ କ୍ରିକେଟ୍ର ଏହି ଦୃଢ଼ତମ ୩ ନମ୍ବର ବ୍ୟାଟର୍ଙ୍କୁ ଜୀବନରେ ଥରେ ବୋଲ୍ଡ କରିଦେଇଥିବାର ସ୍ମୃତି ବି ଏବେ ତାଜା ହୋଇଛି। ଆଉଟ୍ କରିବାର ମୁହୂର୍ତଟି ୨୦୧୪ ଦଲିପ ଟ୍ରଫି କ୍ବାର୍ଟରଫାଇନାଲ୍ ଥିଲା। ଏହାର ଚର୍ଚ୍ଚା ବି ଜୋର ଧରିଛି। ମ୍ୟାଚ୍ଟି ହରିୟାଣାର ଲାହଲିରେ ଖେଳାଯାଇଥିବା ବେଳେ ବସନ୍ତ ତାଙ୍କୁ ମାତ୍ର ୧୦ ରନ୍ରେ ବୋଲ୍ଡ କରି ଦେଇଥିଲେ। ନଟରାଜ ବେହେରାଙ୍କ ପୂର୍ବାଞ୍ଚଳ ମଧ୍ୟ ସେହି ବର୍ଷ ବହୁ ପ୍ରତୀକ୍ଷିତ ଦଲିପ ଟ୍ରଫି ବିଜୟ ପାଇଥିଲା। ତେବେ ପୂଜାରାଙ୍କୁ ବୋଲ୍ଡ କରିବା ବସନ୍ତଙ୍କ ପାଇଁ ଏହା ପ୍ରଥମ ନଥିଲା ପରବର୍ତ୍ତୀ ବର୍ଷ ଅର୍ଥାତ୍ ୨୦୧୫ରେ ଐତିହାସିକ ବାରବାଟୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ଓଡ଼ିଶା-ସୌରାଷ୍ଟ୍ର ରଣଜୀ ଟ୍ରଫି ଗୁରୁତ୍ବପୂର୍ଣ୍ଣ ରିଲିଗେସନ୍ ମୁକାବିଲାରେ ବି ବସନ୍ତ ସେହି ବୋଲ୍ଡ ଆଉଟ୍ କରିଥିଲେ। ସେଥର ପୂଜାରା ପ୍ରଥମ ପାଳିରେ ୨୦ ରନ୍ କରିଥିଲେ। କିନ୍ତୁ ମ୍ୟାଚ୍ ଅବସରରେ ଆହତ ହେବା କାରଣରୁ ଦ୍ବିତୀୟ ପାଳିରେ ୯ ନମ୍ବରରେ ବ୍ୟାଟିଂ କରିବାକୁ ଆସି ମୂଲ୍ୟବାନ ୩୯* ରନ୍ କରିଥିଲେ। ଫଳରେ ଓଡ଼ିଶା ସମ୍ମୁଖରେ ୨୮୩ ରନ୍ ଲକ୍ଷ୍ୟ ରହିଥିଲା। ଅନୁରାଗ ଷଡ଼ଙ୍ଗୀ (୮୩) ଓ ଗୋବିନ୍ଦ ପୋଦ୍ଦାର (୬୪)ଙ୍କ ଅର୍ଦ୍ଧଶତକ ବଳରେ ଓଡ଼ିଶା ଅଗ୍ରସର ହୋଇଥିଲେ ମଧ୍ୟ ୨୬୨/୮ରେ ସଂଘର୍ଷ କରିଥିଲା।
ସେତିକି ବେଳେ ବସନ୍ତ ପୁଣି ସାହା ହୋଇଥିଲେ। ଦୀପକ ବେହେରା (୨୧*) ଓ ବସନ୍ତ (୧୦*) ଅତୁଟ ନବମ ୱିକେଟ୍ରେ ୨୧ ରନ୍ ଯୋଡ଼ିବା ସହ ଓଡ଼ିଶାକୁ ୨ ୱିକେଟ୍ରେ ଉତ୍କଣ୍ଠାପୂର୍ଣ୍ଣ ବିଜୟ ଦେଇଥିଲେ। ସୌରାଷ୍ଟ୍ରକୁ ବି ପ୍ରଥମ ଥର ହରାଇଥିଲା ଓଡ଼ିଶା। ଏଥି ସହ ବ୍ୟକ୍ତିଗତ ଭାବେ ବସନ୍ତ ୨୦୦୮ ତିକ୍ତତାପୂର୍ଣ୍ଣ ମୁକାବିଲାର ପ୍ରତିଶୋଧ ନେଇଯାଇଥିଲେ। ବସନ୍ତ ଘରୋଇ କ୍ରିକେଟ୍ରେ ସମ୍ପୂର୍ଣ୍ଣ ନବାଗତ (ଦ୍ବିତୀୟ ଋତୁ) ଥିବାବେଳେ ରାଜକୋଟରେ ଖେଳାଯାଇଥିବା ୨୦୦୮ ମସିହାର ଏହି ମୁକାବିଲାରେ ଓଡ଼ିଶା ପାଳି ପରାଜୟ ବରଣ କରିଥିଲା। ବସନ୍ତଙ୍କ ୨ ୱିକେଟ୍ ଦଖଲ କାରଣରୁ ସୌରାଷ୍ଟ୍ର ୧୦୦/୪ରେ ସଂଘର୍ଷ କରିଥିଲା। କିନ୍ତୁ ଏହି ସମୟରେ ଓଡ଼ିଶା ବୋଲରଙ୍କୁ ନୟାନ୍ତ କରି ଲୟ ବିଗାଡ଼ିଥିଲେ ଚେତେଶ୍ବର ପୂଜାରା (୩୦୨*) ଓ ରବୀନ୍ଦ୍ର ଜାଡ଼େଜା (୨୩୨*)। ପଞ୍ଚମ ୱିକେଟ୍ ପାଇଁ ବିଶ୍ବ ରେକର୍ଡ ୫୨୦* ରନ୍ ଭାଗୀଦାରି କରିଥିଲେ। ଓଡ଼ିଶା ଉଭୟ ପାଳିରେ ୩୦୨ ଓ ୨୩୪ ରନ୍ କରି ଗୋଟିଏ ପାଳି ଓ ୮୪ ରନ୍ରେ ହାରିଥିଲା।
ରାଜକୋଟ ତିକ୍ତତା, ବାରବାଟୀ ବିଜୟ ଅଭୁଲା
‘‘ରାଜକୋଟ ମ୍ୟାଚ୍କୁ ମୁଁ କେବେ ଭୁଲିପାରବି ନାହିଁ। କିନ୍ତୁ ଖେଳ ଜୀବନରେ ପୂଜାରାଙ୍କ ଭଳି ଦୃଢ଼ ଡିଫେନ୍ସ ରଖୁଥିବା ବ୍ୟାଟର୍ଙ୍କ ୱିକେଟ୍କୁ ଏକାଧିକ ବାର ନେବା ମୋ ପାଇଁ ସୌଭାଗ୍ୟର ବିଷୟ ହୋଇ ରହିବ। ମୋ ପାଇଁ ଏହା ଅନେକ ବର୍ଷ ମନେରହିବ। ବାରବାଟୀ ବିଜୟ ସହ ଦଲିପ ଟ୍ରଫିରେ ବି ଦୁଇ ଥର ତାଙ୍କ ୱିକେଟ୍ ମୁଁ ଦଖଲ କରିଥିଲି’’ ବୋଲି କହିଛନ୍ତି ବସନ୍ତ। ବସନ୍ତଙ୍କ ବ୍ୟତୀତ ଯୁବ ଦ୍ରୁତ ବୋଲର ଦେବବ୍ରତ ପ୍ରଧାନ ବି ଚେତେଶ୍ବର ପୂଜାରାଙ୍କ ୱିକେଟ୍ ଦଖଲ କରିବାର ବିରଳ ସଫଳତା ରଖିଛନ୍ତି। ୨୦୨୨ରେ ଅହମଦାବାଦର ସର୍ଦାର ପଟେଲ୍ ଷ୍ଟାଡିୟମ୍ରେ ଓଡ଼ିଶା ପାଳି ପରାଜୟ ବରଣ କରିଥିଲା। ବସନ୍ତ ୨ ୱିକେଟ୍ ଅକ୍ତିଆର କରିଥିଲେ ମଧ୍ୟ ପୂଜାରା (୬ ବଲ୍ରୁ ୮ ରନ୍) ସଅଳ ଆଉଟ୍ କରି ପ୍ରାଇଜ୍ ୱିକେଟ୍ ପାଇଥିଲେ ଦେବବ୍ରତ ପ୍ରଧାନ।
ପୂଜାରାଙ୍କ ସହ ଦୁଇଟି ଗସ୍ତରେ ରହିବା କଥାକୁ ବି ଭୁଲିନାହାନ୍ତି ବସନ୍ତ। ନ୍ୟୁଜିଲାଣ୍ଡ୍ ବିପକ୍ଷ ଇଣ୍ଡିଆ ‘ଏ’ ଦିନିକିଆ ଶୃଙ୍ଖଳା ଏବଂ ଆଇପିଏଲ୍ ଆରମ୍ଭ ବର୍ଷ ଇଜ୍ରାଏଲ୍ ଗସ୍ତରେ ପୂଜାରା, ରିଦ୍ଧିମାନ ସାହା, ମୁରଲୀ ବିଜୟ ପ୍ରମୁଖଙ୍କ ସହ ମୁଁ ଥିଲି। ‘ପୂଜାରାଙ୍କୁ ଆଉଟ୍ କରିବା ଏକ ସୌଭାଗ୍ୟଠାରୁ କିଛି କମ୍ ନୁହେଁ। ତାଙ୍କ ୱିକେଟ୍ ପାଇବା ବିରଳ ସଫଳତା, ତାଙ୍କ ଡିଫେନ୍ସ ଏତେ ଦୃଢ଼ ଯେ ବିଟ୍ ବି ହୁଅନ୍ତି ନାହିଁ’ ବୋଲି ପ୍ରକାଶ କରିଛନ୍ତି ସମ୍ପ୍ରତି ଛତିଶଗଡ଼ ରଣଜୀ ଦଳର ବୋଲିଂ ପ୍ରଶିକ୍ଷକ ଭାବେ ଦାୟିତ୍ବ ସମ୍ଭାଳିଥିବା ବସନ୍ତ। ନିଜ ଖେଳ ଜୀବନରେ ବସନ୍ତ ବେଙ୍ଗଲ୍ ବିପକ୍ଷରେ ପଦାର୍ପଣ ଓ ବିଦାୟୀ ମ୍ୟାଚ୍ରେ ବିଜୟ ପାଇଥିବା ବେଳେ ଦିଲ୍ଲୀ ବିପକ୍ଷରେ ହ୍ୟାଟ୍ରିକ୍ ବି ନେଇଥିଲେ। ୧୦୫ ପ୍ରଥମ ଶ୍ରେଣୀ ମ୍ୟାଚ୍ରୁ ୪୦୩ ୱିକେଟ୍ ଅକ୍ତିଆର କରି ଦେବାଶିଷ ମହାନ୍ତି (୧୧୭ ମ୍ୟାଚ୍ରୁ ୪୧୭ ୱିକେଟ୍)ଙ୍କ ତଳକୁ ଦ୍ବିତୀୟରେ ରହିଛନ୍ତି। ଓଡ଼ିଶା ପାଇଁ ଖେଳି ନଥିଲେ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟର୍ ପ୍ରଜ୍ଞାନ ଓଝା (୧୦୮ ମ୍ୟାଚ୍ରୁ ୪୨୪ ୱିକେଟ୍)ଙ୍କୁ ମିଶାଇଲେ ସେ ଶୀର୍ଷରେ ରହିବେ।