ଇଡେନ୍‌ରେ ଶେଷ ମ୍ୟାଚ୍‌ ଖେଳୁଛନ୍ତି ବସନ୍ତ; ଟ୍ବିଟ୍‌ କରି ଶୁଭେଚ୍ଛା ଜଣାଇଲେ ମନୋଜ ତିୱାରୀ

ଦୁଇ ଦଳ ଦେଲେ ଗାର୍ଡ ଅଫ୍‌ ଅନର, ବୋଲିଂ ମନ୍ତ୍ରଣା ନେଲେ ମୁକେଶ, ଆକାଶଦୀପ

ଭୁବନେଶ୍ବର: ଓଡ଼ିଶା କ୍ରିକେଟ୍‌କୁ ୨୦ ବର୍ଷ ଧରି ସେବା ଯୋଗାଇ ଆସୁଥିବା ବରିଷ୍ଠ ଦ୍ରୁତ ବୋଲର ବସନ୍ତ ମହାନ୍ତି ବେଙ୍ଗଲରେ ତାଙ୍କର ଶେଷ ମ୍ୟାଚ୍‌ ଖେଳୁଛନ୍ତି। ଶୁକ୍ରବାର ମ୍ୟାଚ୍‌ ଶେଷ ହେବା ପରେ ଔପଚାରିକ ଭାବେ ସେ କ୍ରିକେଟ୍‌ରୁ ଅବସର ନେଇଯିବେ। ଏସଂକ୍ରାନ୍ତରେ ଯଦିଓ ସେ ପୂର୍ବରୁ ପରୋକ୍ଷରେ ସଂକେତ ଦେଇଥିଲେ, କିନ୍ତୁ ବୁଧବାର ବେଙ୍ଗଲ କ୍ରୀଡ଼ା ମନ୍ତ୍ରୀ ତଥା କ୍ରିକେଟର ମନୋଜ ତିୱାରୀ ଫେସ୍‌ବୁକ୍‌ ଟ୍ବିଟରରେ ବସନ୍ତଙ୍କ ଫଟୋ ସେୟାର କରି ତାଙ୍କର ଶେଷ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ହୋଇଥିବାରୁ ଶୁଭେଚ୍ଛା ଜଣାଇଥିଲେ। ରଣଜୀ ଟ୍ରଫି ଖେଳିବା ଆରମ୍ଭ କରିବା ଦିନରୁ ମନୋଜ ତିୱାରୀ ତାଙ୍କର ପ୍ରଥମ ୱିକେଟ୍‌ ହୋଇଥିଲେ। ଏବେ ଶେଷ ୱିକେଟ୍‌ ଭାବେ ତିୱାରୀଙ୍କୁ ଆଉଟ୍‌ କରିବାକୁ ସେ ଆଗ୍ରହ ରଖିଥିବା ଉକ୍ତ ପୋଷ୍ଟ୍‌ରେ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ ବୁଧବାର ଓଡ଼ିଶା ବୋଲିଂ କରିବାକୁ ପଡ଼ିଆକୁ ଯିବା ସମୟରେ ଓଡ଼ିଶା ଓ ବେଙ୍ଗଲର ଖେଳାଳିମାନେ ଦୁଇପଟରେ ଛିଡ଼ା ହୋଇ ବସନ୍ତଙ୍କୁ ଶେଷ ମ୍ୟାଚ୍‌ ପାଇଁ ଗାର୍ଡ ଅଫ୍‌ ଅନର ପ୍ରଦାନ କରିଥିଲେ।

ନିକଟରେ ହିମାଚଳ ପ୍ରଦେଶ ବିପକ୍ଷରେ ଖେଳୁଥିବା ବେଳେ ବସନ୍ତ ୪୦୦ ୱିକେଟ୍‌ ମାଇଲ୍‌ଖୁଣ୍ଟରେ ପହଞ୍ଚିଥିଲେ। ୪୦୦ ୱିକେଟ୍‌ ନେବା ପରେ ସେ ପ୍ରଥମ ଶ୍ରେଣୀ କ୍ରିକେଟ୍‌କୁ ଅଲ୍‌ବିଦା ଜଣାଇ‌ବା ନେଇ ପୂର୍ବରୁ ସୂଚନା ଦେଇଥିଲେ। କିନ୍ତୁ ଋତୁ ଅଧାରୁ ଅବସର ନେବା ଅପେକ୍ଷା ସମସ୍ତ ମ୍ୟାଚ୍‌ ଶେ‌ଷ କରିବା ପରେ ଏବିଷୟରେ ଚିନ୍ତା କରିବେ ବୋଲି ‘ସମ୍ବାଦ’କୁ ସୂଚନା ଦେଇଥିଲେ। କିନ୍ତୁ ୪୦୦ ୱିକେଟ୍‌ ମ୍ୟାଚ୍‌ରେ ଏକାଧିକ ଅବସୋସ୍‌ ରହିଯାଇଥିଲା। ମାଇଲ୍‌ଖୁଣ୍ଟ ହାସଲ କରିବା ମ୍ୟାଚ୍‌ରେ ଓଡ଼ିଶାକୁ ଜିତାଇବା କିମ୍ବା ନିଜେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ହେବା ତାଙ୍କର ଇଚ୍ଛା ଥିଲା। କିନ୍ତୁ ଏହି ଦୁଇଟିରୁ କୌଣସି ଗୋଟିଏ ବି ପୂରଣ ହୋଇପାରିନଥିଲା। ଇଡେନ୍‌ ଗାର୍ଡେନ୍‌ରେ ଖେଳୁଥିବା ଶେଷ ମ୍ୟାଚ୍‌କୁ ଜିତିବା ଏବେ ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ ରହିଛି। ଏଠାରେ ଦ୍ବିତୀୟ ଦିନ ସୁଦ୍ଧା ଓଡ଼ିଶା ପ୍ରଥମ ପାଳିରେ ୨୬୫ ରନ୍‌ କରିବା ପରେ ବେଙ୍ଗଲ ପ୍ରଥମ ପାଳି ୩୯/୨ ରହିଛି। ଏହି ଦୁଇ ୱିକେଟ୍‌ରୁ ବସନ୍ତ ଗୋଟିଏ ୱିକେଟ୍‌ (କରଣ ଲାଲ୍‌ ୮) ଅକ୍ତିଆର କରିଛନ୍ତି। ପ୍ରଥମ ପାଳି ବ୍ୟାଟିଂରେ ମଧ୍ୟ ସେ ଅପରାଜିତ ୧୫ ରନ୍‌ ସଂଗ୍ରହ କରିଥିଲେ।

ବସନ୍ତ ୨୦୦୩-୦୪ରେ ପ୍ରଥମ ଥର ପାଇଁ ଓଡ଼ିଶା ୧୯ ବର୍ଷରୁ କମ୍‌ ଦଳରେ ସ୍ଥାନ ପାଇଥିଲେ। ୨୦୦୪-୦୫ ଋତୁରେ ୨୨ ବର୍ଷରୁ କମ୍‌ ସିକେ ନାୟୁଡୁ ଟ୍ରଫି ପାଇଁ ଚୟନ ହେ‌ବା ପରେ ୨୦୦୭ ଡିସେମ୍ବରରେ ବେଙ୍ଗଲ ବିପକ୍ଷରେ ରଣଜୀ ପଦାର୍ପଣ କରିଥିଲେ। ପ୍ରଥମ ମ୍ୟାଚ୍‌ରେ ଆନ୍ତର୍ଜାତିକ କ୍ରିକେଟର ଦେବାଶିଷ ମହାନ୍ତିଙ୍କୁ ସାଥୀ କରି ପ୍ରଥମ ପାଳିରେ ୬ ଓ ଦ୍ବିତୀୟ ପାଳିରେ ୨ ୱିକେଟ୍‌ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣର କେନ୍ଦ୍ର ପାଲଟିଥିଲେ। ମନୋଜ ତିୱାରୀ ତାଙ୍କର ପ୍ରଥମ ଶିକାର ହୋଇଥିଲା ବେଳେ ରିଦ୍ଧିମାନ ସାହ, ଲକ୍ଷ୍ମୀରତନ ଶୁକ୍ଲା, କମଲ ହାସନ ମଣ୍ଡଳ, ସୌରଭ ସରକାର, ଅଶୋକ ଦିଣ୍ଡା ଏବଂ ଦ୍ବିତୀୟ ପାଳିରେ ରଣଦେବ ବୋସ୍‌ ଓ ଶିବଶଙ୍କର ପଲ୍‌ଙ୍କୁ ସେ ଆଉଟ କରିଥିଲେ। ଏହାପରଠୁ ସେ ଆଉ ପଛକୁ ନଫେରି ବର୍ତ୍ତମାନ ସୁଦ୍ଧା ପାଖାପାଖି ୨୧.୦୦ ହାରାହାରିରେ ୪୦୧* ୱିକେଟ୍‌ ନେଇସାରିଛନ୍ତି। ସେଥିମଧ୍ୟରେ ୩ ଥର ୧୦ ୱିକେଟ୍‌ ଓ ୨୩ ଥର ୫ ୱିକେଟ ସଫଳତା ମଧ୍ୟ ପାଇଛନ୍ତି।

ନ୍ୟୁଜିଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିବା ବେଙ୍ଗଲ ଦ୍ରୁତ ବୋଲର ମୁକେଶ କୁମାର ବୁଧବାର ବସନ୍ତ ମହାନ୍ତିଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି। ଶୁକ୍ରବାରଠୁ ଆରମ୍ଭ ହେଉଥିବା ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ପାଇଁ ମୁକେଶ ଗୁରୁବାରଠୁ ରାଞ୍ଚି ଚାଲିଯିବେ। ତେଣୁ ବସନ୍ତଙ୍କ ସହ ଭେଟିବା ସୁଯୋଗ ମିଳିବନି। ତେଣୁ ଇଡେନ୍‌ରେ ଖେଳୁଥିବା ସମୟରେ ମୁକେଶ ତାଙ୍କୁ ସାକ୍ଷତ କରିବାକୁ ଆସିବା ସହ କିଛି ସମୟ ପାଇଁ ପାରିବାରିକ ଜୀବନ, ଖେଳଜୀବନ ବିଷୟରେ ଆଲୋଚନା କରିଥିଲେ। ଏଥିସହିତ ମୁକେଶଙ୍କୁ ଦ୍ରୁତ ବୋଲିଂ ସଂକ୍ରାନ୍ତରେ କିଛି ମନ୍ତ୍ରଣା ଦେଇଥିଲେ ବସନ୍ତ। ସାଥିରେ ଅନ୍ୟତମ ବେଙ୍ଗଲୀ ବୋଲର ଆକାଶଦୀପ ମଧ୍ୟ ଉପସ୍ଥିତ ଥିଲେ। କ୍ଷେତ୍ରରକ୍ଷଣ କରୁଥିବା ବେଳେ ମୁଣ୍ଡରେ ବଲ୍‌ ବାଜିବାରୁ ସେ ଆହତ ହୋଇ ବାହାରକୁ ଚାଲିଯାଇଥିଲେ। ଏହି ସୁଯୋଗରେ ମୁକେଶ ଓ ଆକାଶଦୀପ, ବସନ୍ତଙ୍କଠୁ ଅନେକ କିଛି ଟିପ୍ସ ନେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର