କିଂବଦନ୍ତି କୋବ୍‌ଙ୍କ ଅକାଳ ବିୟୋଗ, ହେଲିକପ୍ଟର ଦୁର୍ଘଟଣାରେ ବାପ-ଝିଅଙ୍କ ମୃତ୍ୟୁ

32

ନ୍ୟୁୟର୍କ: ହେଲିକପ୍ଟର ଦୁର୍ଘଟଣାରେ ଆମେରିକୀୟ ବାସ୍କେଟବଲ୍ କିଂବଦନ୍ତି କୋବ୍ ବ୍ରାୟନ୍ତ ଏବଂ ତାଙ୍କ ୧୩ ବର୍ଷୀୟା ଝିଅ ଜିଆନାଙ୍କର ପରଲୋକ ହୋଇଯାଇଛି। ଆମେରିକାର ଲସଏଞ୍ଜେଲ୍ସ ସହରର କାଲାବାସାସ୍‌ ପାର୍ବତ୍ୟାଞ୍ଚଳରେ ଘଟିଥିବା ଏହି ଭୟାବହ ଦୁର୍ଘଟଣାରେ ହେଲିକପ୍ଟର ପାଇଲଟଙ୍କ ସହ ସମସ୍ତ ୯ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ରବିବାର ସକାଳେ ଆସିଥିବା ଏହି ଦୁଃଖଦ ତଥା ହୃଦୟ ବିଦାରକ ଖବର ଆମେରିକା ସହ ସାରା ବିଶ୍ବର କ୍ରୀଡ଼ା ଦୁନିଆରେ ଶୋକର ଛାୟା ଖେଳାଇ ଦେଇଛି। ପ୍ରଶଂସକ, ପରିବାର ତଥା ସାଥୀ ତାରକା କୋବ୍‌ଙ୍କ ଭଳି ମହାନ ଖେଳାଳି ଏଭଳି ଭାବେ ସେମାନଙ୍କୁ ଛାଡ଼ି ଚାଲିଯିବାକୁ ବିଶ୍ବାସ କରି ପାରୁ ନାହାନ୍ତି। ମୃତକଙ୍କ ମଧ୍ୟରେ ବେସ୍ ବଲ୍ ପ୍ରଶିକ୍ଷକ ଜନ୍ ଆଲଟୋବେଲି, ତାଙ୍କ ପତ୍ନୀ କେରି ଓ ଝିଅ ଆଲିସା ମଧ୍ୟ ଅଛନ୍ତି। ରବିବାର ସକାଳେ ୪୧ ବର୍ଷୀୟ କୋବ୍‌ ଓ ଜିଆନିଙ୍କ ସହ ଅନ୍ୟ ୭ ଜଣ ଯାତ୍ରୀଙ୍କୁ ନେଇ ହେଲିକପ୍ଟରଟି ସ୍ଥାନୀୟ ସମୟ ସକାଳ ୯ଟା ୬ରେ ଉଡ଼ାଣ ଭରିଥିଲା। ତେବେ ମାତ୍ର ୫୦ରୁ ୫୫ ମିନିଟ୍ ମଧ୍ୟରେ ଏହା ଦୁର୍ଘଟଣାର ଶିକାର ହୋଇ ଯାଇଥିଲା। ଦୁର୍ଘଟଣା ପରେ ହେଲିକପ୍ଟର ଅଗ୍ନିପିଣ୍ଡୁଳାରେ ପରିଣତ ହେବା ସହ ଜଙ୍ଗଲରେ ନିଆଁ ଲାଗି ଯାଇଥିଲା। ଖବର ପାଇ ଏକଡଜନରୁ ଅଧିକ ଅଗ୍ନିଶମ କର୍ମଚାରୀ ତୁରନ୍ତ ସେଠାରେ ପହଞ୍ଚି ଯାଇଥିଲେ। ତେବେ ସେମାନେ ପହଞ୍ଚିଲା ବେଳକୁ ଜଣେ ହେଲେ ବି ଯାତ୍ରୀ ଜୀବିତ ନଥିଲେ। ଦୁର୍ଘଟଣାର ତଦନ୍ତ ପାଇଁ ଆମେରିକୀୟ ଜାତୀୟ ପରିବହନ ସୁରକ୍ଷା ବୋର୍ଡ ୧୮ ଜଣିଆ ଦଳ ଘୋଷଣା କରିଛି। ଏ ପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ଜଣାପଡ଼ି ନଥିଲା ବେଳେ ଆମେରିକୀୟ ଅଧିକାରୀମାନେ ତଦନ୍ତ ଜାରି ରଖିଛନ୍ତି। କୋବ୍ ଓ ଅନ୍ୟମାନେ ବସିଥିବା ସିର୍କୋସ୍କି ଏସ୍-୭୬ ନାମକ ପୁରୁଣା ହେଲିକପ୍ଟରଟି ୨୯ ବର୍ଷ ତଳେ ନିର୍ମାଣ କରାଯାଇଥିଲା। ଯାନ୍ତ୍ରୀକ ତ୍ରୁଟି କିମ୍ବା ମାତ୍ରାଧିକ କୁହୁଡ଼ି ସହ ଖରାପ ପାଗ ଯୋଗୁଁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ତଦନ୍ତକାରୀ ଦଳ ଅନୁମାନ କରୁଛନ୍ତି। ଘଞ୍ଚ ଜଙ୍ଗଲ ଏବଂ ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ହେଲିକପ୍ଟରଟିର ଧ୍ବଂସାବଶେଷ ପଡ଼ି ରହିଥିଲା ବେଳେ ମୃତକଙ୍କ ଶବ ଉଦ୍ଧାର କରିବାକୁ ଏକାଧିକ ଦିନ ଲାଗିବାର ଆଶଙ୍କା ରହିଛି।

ବାସ୍କେଟବଲ୍ କୋର୍ଟର ବ୍ଲାକ୍ ମାମ୍ବା
ଆମେରିକାର ଲୋକପ୍ରିୟ ନ୍ୟାସ୍‌ନାଲ ବାସ୍କେଟବଲ୍ ଲିଗ୍ ବା ‘ଏନ୍‌ବିଏ’ର ଦୁର୍ଦ୍ଧର୍ଷ ଖେଳାଳି କୋବ୍ ନିଜ ପଏଣ୍ଟ୍‌ ଅର୍ଜନ ଦକ୍ଷତା ଲାଗି ଲୋକପ୍ରିୟ ଥିଲେ। ଏଥିଲାଗି ସେ ମଧ୍ୟ ‘ବ୍ଲାକ୍ ମାମ୍ବା’ ଭାବେ ପରିଚିତ ଥିଲେ। ଜଣେ କିଂବଦନ୍ତି ଖେଳାଳି ସହ ଅବସର ପରେ କୋବ୍ ନିଜକୁ ସମାଜ ସେବାରେ ନିୟୋଜିତ କରିଥିଲେ। ସେ ବାସ୍କେଟବଲ୍ ଜଗତର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହେଉଥିଲେ। ମାତ୍ର ୧୭ ବର୍ଷ ବୟସରେ ଏନ୍‌ବିଏ ଖେଳିବା ଆରମ୍ଭ କରିଥିବା କୋବ୍‌ ୧୯୭୮ ମସିହା ଅଗଷ୍ଟ ୨୩ ତାରିଖରେ ଆମେରିକାର ଫିଲାଡେଲଫିଆରେ ଜନ୍ମଗ୍ରହଣ କରିଥିଲେ। ନିଜ ଖେଳ ଜୀବନର ୨୦ ଋତୁ ସେ ଲସଏଞ୍ଜେଲ୍ସ ଲେକର ଦଳ ପକ୍ଷରୁ ଖେଳିଥିଲେ। ୬ ଫୁଟ ୬ ଇଞ୍ଚ ଉଚ୍ଚତା ବିଶିଷ୍ଟ କୋବ୍ ସୁଟିଂ ଗାର୍ଡ ପୋଜିସନରେ ଖେଳୁଥିଲେ। ୧୯୯୬ରୁ ୨୦୧୬ ପର୍ଯ୍ୟନ୍ତ ସେ ବାସ୍କେଟବଲ୍ ‌କୋର୍ଟ‌େର ଏକରକମ ଆଧିପତ୍ୟ ବିସ୍ତାର କରିଥିଲେ। ୮ ଓ ୨୪ ନମ୍ବର ଜର୍ସି ପିନ୍ଧି ଖେଳୁଥିବା ଏହି ଲୋକପ୍ରିୟ ଖେଳାଳି ଖୁବଶୀଘ୍ର ଏନବିଏର ହଲ୍ ଅଫ୍ ଫେମରେ ସ୍ଥାନ ପାଇବାର ସମ୍ଭାବନା ଥିଲା। ୨୦୦୦ରୁ ୨୦୦୨ ମଧ୍ୟରେ ଲସଏଞ୍ଜେଲ୍ସ ଲେକର୍ସକୁ ଲଗାତାର ତିନି ଥର ଏନବିଏ ବିଜେତା କରାଇବାରେ ସେ ପ୍ରମୁଖ ଭୂମିକା ତୁଲାଇଥିଲେ। କୋବ୍ ମଧ୍ୟ ଦୁଇ ଥର ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ଜିତିଥିଲେ।

ସତ ହେଲା ଭବିଷ୍ୟବାଣୀ
ଅନେକ ସମୟରେ ହେଲିକପ୍ଟରରେ ଯାତ୍ରା କରୁଥିବା କୋବ୍‌ଙ୍କ ମୃତ୍ୟୁ ଖବର ଆସିବା ପରେ ତାଙ୍କୁ ନେଇ ୮ ବର୍ଷ ତଳେ ହୋଇଥିବା ଭବିଷ୍ୟବାଣୀ ସତ ବୋଲି ପ୍ରମାଣିତ ହୋଇଥିଲା। ୨୦୧୨ ମସିହାରେ ଜଣେ ଅପରିଚିତ ଟ୍ବିଟର ବ୍ୟବହାରକାରୀ ସେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇବ ବୋଲି ଟ୍ବିଟ୍ କରିଥିଲେ। ସୋମବାର ଏହି ଟ୍ବିଟ୍ ପଦାକୁ ଆସିବା ପରେ ପୂରା ଭାଇରାଲ୍ ହୋଇ ଯାଇଥିଲା। କେହି କେହି ଏହାକୁ ନକଲି ଟ୍ବିଟ୍ ବୋଲି ମତ ରଖିଥିଲେ। ତେବେ ପରୀକ୍ଷାନିରୀକ୍ଷା ପରେ ଏହି ଟ୍ବିଟ୍ ୨୦୧୨ରେ କରାଯାଇଥିଲା ବୋଲି ଜଣା ପଡ଼ିଥିଲା।

ସଚିନ, କୋହଲିଙ୍କ ଶୋକ
କୋବ୍ ବ୍ରାୟନ୍ତଙ୍କ ଅକାଳ ବିୟୋଗରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କଠାରୁ ଆରମ୍ଭ କରି ବହୁ କିବଂଦନ୍ତି ଏବଂ ମହାନ ଖେଳାଳି ଶୋକପ୍ରକାଶ କରିଛନ୍ତି। କୋବ୍‌ଙ୍କୁ କୋହଲି କ୍ରୀଡ଼ା ଜଗତର ସଚ୍ଚା କିଂବଦନ୍ତି ଭାବେ ବର୍ଣ୍ଣନା କରିଛନ୍ତି। ଏହି ଶକ୍ତ ଧକ୍କା ସହିବାକୁ କୋବ୍‌ଙ୍କ ପରିବାରକୁ ଭଗବାନ ଶକ୍ତି ଦିଅନ୍ତୁ ବୋଲି ସେ ଟ୍ବିଟ୍ କରିଛନ୍ତି। ସଚିନ ଲେଖିଛନ୍ତି କୋବ୍ ବ୍ରାୟନ୍ତ ଓ ତାଙ୍କ ଝିଅଙ୍କ ଅକାଳ ବିୟୋଗ ଖବର ମୋତେ ମର୍ମାହତ କରିଛି। ତାଙ୍କ ପରିବାର, ବନ୍ଧୁ, ପ୍ରଶଂସକ ଓ ସାଥୀ ଖେଳାଳି ସହ ମୋର ସମବେଦନା ରହିଛି। ମହାନ କ୍ରିକେଟର ଭିଭିଆନ୍ ରିଚାର୍ଡସ, ମହାନ ସ୍ପିନର ସେନ୍ ୱର୍ନ, ଆର ଅଶ୍ବିନ, ଈଶାନ୍ତ ଶର୍ମା ପ୍ରମୁଖ ମଧ୍ୟ ଟ୍ବିଟ୍ କରି ଶୋକପ୍ରକାଶ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ବାରାକ ଓବାମାଙ୍କ ଟ୍ବିଟ୍‌କୁ ପୁନର୍ବାର ପ୍ରକାଶ କରି ଶୋକ ପ୍ରକାଶ କରିଛନ୍ତି। ଏଥିଲାଗି ସାମାଜିକ ଗଣମାଧ୍ୟମରେ ତାଙ୍କୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି।

ସମ୍ବନ୍ଧିତ ଖବର