ବାଉଁଶରେ ତିଆରି ହେଲା ବ୍ୟାଟ ଓ ଷ୍ଟମ୍ପ: କାଠ ବ୍ୟାଟଠାରୁ ଅଧିକ ମଜଭୁତ ବାଉଁଶବ୍ୟାଟ

ଅଗରତାଲା: ଯଦି ଆପଣଙ୍କୁ ପଚରାଯାଏ କ୍ରିକେଟ ବ୍ୟାଟ କେଉଁଥିରେ ତିଆରି ହୁଏ? ତେବେ ଆପଣ କହିବେ କ୍ରିକେଟ ବ୍ୟାଟ କାଠ ପଟାରୁ ତିଆରି ହୁଏ | ପିଲାଦିନେ ଆପଣ ବି କାଠପଟାର ଏକ ବ୍ୟାଟ ଧରି ନିଶ୍ଚିତ ଗାଁ ପଡିଆରେ ଖେଳିଥିବେ | ତେବେ ଆମେ ଯଦି ଆପଣଙ୍କୁ କହିବୁ ଯେ, କ୍ରିକେଟ ବ୍ୟାଟ ବାଉଁଶରେ ବି ତିଆରି ହୋଇପାରିବ | ତେବେ ଆପଣ ଏହି କଥାକୁ ବିଶ୍ୱାସ କରିବେ ନାହିଁ | କିନ୍ତୁ ଏକଥା ଏକଦମ ସତ | ଆଉ ଏଭଳି ଏକ ଆଶ୍ଚର୍ଯ୍ୟଜନକ କାମ କରି ଦେଖାଇଛି ତ୍ରିପୁରାରେ ଥିବା ବାଉଁଶ ଓ ବେତ ଉନ୍ନୟନ ପ୍ରତିଷ୍ଠାନ(Bamboo & Cane Development Institute (BCDI) |

ଏହି ଅନୁଷ୍ଠାନରେ ହୋଇଥିବା ଗବେଷଣାରେ ସେମାନେ ବାଉଁଶରୁ ବ୍ୟାଟ ପ୍ରସ୍ତୁତ କରି ଦେଖାଇଛନ୍ତି | ଵିଶିଡ଼ିଆଇର ବୈଜ୍ଞାନିକ ଡ଼.ଅଭିନବ କାନ୍ତ କହିଛନ୍ତି ଯେ ବାଁମ୍ବୁ ବ୍ଲୁ ବୋର୍ଡ ଟେକ୍ନୋଲୋଜିର ବ୍ୟବହାର କରି ଭାରତରେ ପ୍ରଥମ ଥର ପାଇଁ ଏଭଳି ବ୍ୟାଟ ପ୍ରସ୍ତୁତ କରାଯାଇଛି | ସେହିପରି ହିଁ ବ୍ୟାଟକୁ ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଉପହାର ଦିଆଯାଇଥିଲା |

Photo-ANI

ଏହି ବ୍ୟାଟ ଦେଖି ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ଖୁବ ପ୍ରଶଂସା କରିଥିବାବେଳେ କିଭଳି ଏହାକୁ ବ୍ୟବସାୟିକ ଢଙ୍ଗରେ ନିର୍ମାଣ କରି ସାରା ଦେଶକୁ ପଠାଯାଇପାରିବ ଏ ଦିଗରେ କାମ କରିବାକୁ ପ୍ରତିଶୃତି ଦେଇଛନ୍ତି | ଵିଶିଡ଼ିଆଇ ପକ୍ଷରୁ ବର୍ତ୍ତମାନ ବ୍ୟାଟ ଓ ଷ୍ଟମ୍ପ ତିଆରି କରାଯାଇଥିବାବେଳେ ଆଗକୁ ଆହୁରି ନୂଆ ସାମଗ୍ରୀ ପ୍ରସ୍ତୁତ କରାଯିବାକୁ ପ୍ରଚେଷ୍ଟା ଜାରି ରହିଥିବାର ଡ଼.ଅଭିନବ କାନ୍ତ କହିଛନ୍ତି |

ସମ୍ବନ୍ଧିତ ଖବର