ବାତ୍ରା ପୁଣି ଏଫ୍‌ଆଇଏଚ୍ ସଭାପତି

ନୁଆଦିଲ୍ଲୀ: ତୀବ୍ର ସଂଘର୍ଷପୂର୍ଣ୍ଣ ଭୋଟରେ ବେଲ୍‌ଜିୟମ ହକି ମହାସଂଘର ମୁଖ୍ୟ ମାର୍କ କୋଉଡ୍ରନଙ୍କୁ ମାତ୍ର ଦୁଇଟି ଭୋଟ ବ୍ୟବଧାନରେ ପରାସ୍ତ କରି ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ) ସଭାପତି ତଥା ହକି ଇଣ୍ଡିଆର ପୂର୍ବତନ ସଭାପତି ନରିନ୍ଦର ବାତ୍ରା ଲଗାତାର ଦ୍ବିତୀୟ ଥର ପାଇଁ ଅନ୍ତର୍ଜାତୀୟ ହକି ମହାସଂଘ(ଏଫ୍‌ଆଇଏଚ୍)ର ସଭାପତି ନିର୍ବାଚିତ ହୋଇଛନ୍ତି। ଶନିବାର ବସିଥିବା ଏଫ୍‌ଆଇଏଚ୍‌ର ୪୭ତମ ଭର୍ଚୁଆଲ ପରିଚାଳନା ପରିଷଦ ବୈଠକ ଅବସରରେ ଅନୁଷ୍ଠିତ ଏହି ଭୋଟରେ ବାତ୍ରା ବିଜୟୀ ହେବେ ବୋଲି ଆଶା କରାଯାଉଥିଲା। ହେଲେ ମାର୍କ ତାଙ୍କୁ ଅପ୍ରତ୍ୟାଶିତ ଭାବେ କଡ଼ା ଟକ୍କର ଦେଇଥିଲେ। ମାର୍କ ୬୧ ଭୋଟ ପାଇଥିଲା ବେଳେ ୧୨୪ ସଦସ୍ୟଙ୍କୁ ନେଇ ହୋଇଥିବା ଅନ୍‌ଲାଇନ୍‌ ଭୋଟିଂରେ ୬୩ ଭୋଟ ପାଇ ବାତ୍ରା ଶେଷରେ ବାଜି ମାରି ନେଇଥିଲେ। ବାତ୍ରା ୨୦୨୪ ମସିହା ପର୍ଯ୍ୟନ୍ତ ଏହି ପଦରେ ରହିବେ। ବାତ୍ରାଙ୍କ ବିଜୟ ପରେ ହକି ଇଣ୍ଡିଆ ସହ ସମଗ୍ର ଭାରତୀୟ ହକି ଦୁନିଆରେ ଖୁସିର ଲହରି ଖେଳି ଯାଇଛି।

ଲକ୍ଷ ଲକ୍ଷ ହକି ପ୍ରେମୀ ସାମାଜିକ ଗଣମାଧ୍ୟମରେ ବାତ୍ରାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସମିତିର ଅନ୍ୟତମ ସଦସ୍ୟ ଥିବା ବାତ୍ରା ପ୍ରଥମ ଥର ପାଇଁ ୨୦୧୬ ମସିହାରେ ପ୍ରଥମ ଅଣୟୁରୋପୀୟ ଭାବେ ଏଫ୍‌ଆଇଏଚ୍‌ର ସଭାପତି ନିର୍ବାଚିତ ହୋଇଥିଲେ। ତାଙ୍କ ମାର୍ଗଦର୍ଶନରେ ଅନ୍ତର୍ଜାତୀୟ ହକିରେ ଅନେକ ସଂସ୍କାରମୂଳକ କାର୍ଯ୍ୟ ହୋଇପାରିଛି। ଆଗକୁ ମଧ୍ୟ ଏହି ଧାରା ଜାରି ରହିବ ବୋଲି ତାଙ୍କୁ ସମର୍ଥନ କରିଥିବା ସଦସ୍ୟମାନେ ଆଶା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ଗତବର୍ଷ ନୂଆଦିଲ୍ଲୀରେ ହେବାକୁ ଥିବା ଏଫଆଇଏଚ୍‌ର ପରିଚାଳନା ପରିଷଦ ବୈଠକ କୋଭିଡ୍ ସଙ୍କଟ ପାଇଁ ଆୟୋଜିତ ହୋଇ ପାରି ନଥିବାରୁ ଏଥରର ନୂଆ ସଭାପତିଙ୍କ କାର୍ଯ୍ୟକାଳକୁ ୪ ପରିବର୍ତ୍ତେ ୩ ବର୍ଷକୁ କମାଇ ଦିଆଯାଇଛି। ବାତ୍ରା ପ୍ରଥମ ଏସୀୟ ଭାବେ ଲଗାତାର ଦୁଇଥର ଏଫ୍‌ଆଇଏଚ୍ ସଭାପତି ପଦ ଅଳଙ୍କୃତର କୀର୍ତ୍ତିମାନ ବି କରିଛନ୍ତି।

ସମ୍ବନ୍ଧିତ ଖବର