ରାୱଲପିଣ୍ଡି: ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ୍‌ରେ ବ୍ୟାଟର୍‌ଙ୍କ ରାଜୁତି ଜାରି ରହିଛି। ଶନିବାର ତୃତୀୟ ଦିବସ ଶେଷ ସୁଦ୍ଧା ଉଭୟ ଦଳର ୭ ଜଣ ବ୍ୟାଟର୍‌ ଶତକ ଜମାଇ ସାରିଲେଣି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଭ୍ରମଣକାରୀ ଇଂଲଣ୍ଡ ପକ୍ଷରୁ ଜାକ୍‌ କ୍ରଲି (୧୨୨), ବେନ୍‌ ଡକେଟ୍‌ (୧୦୭), ଓଲି ପୋପ୍‌ (୧୦୮) ଓ ହାରି ବ୍ରୁକ୍ସ (୧୫୩) ଶତକୀୟ ପାଳି ଖେଳିଥିଲେ। ପାକିସ୍ତାନ ପ୍ରଥମ ପାଳିରେ ଅବ୍‌ଦୁଲା ସଫିକ୍‌ (୧୧୪), ଇମାମ୍‌ ଉଲ୍‌ ହକ୍‌ (୧୨୧) ଓ ଅଧିନାୟକ ବାବର ଆଜମ୍‌ (୧୩୬) ଶତକୀୟ ପାଳି ସହ ଜବାବ ଦେଇଛନ୍ତି। ଫଳରେ ତୃତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ସୁଦ୍ଧା ପ୍ରଥମ ପାଳି ଶେଷ ହୋଇନଥିଲା ବେଳେ ମୋଟ ୧୧୫୬ ରନ୍‌ ସଂଗୃହୀତ ହୋଇସାରିଛି। ଏମଧ୍ୟରେ ମୋଟ ୧୭ ୱିକେଟ୍‌ର ପତନ ହିଁ ଘଟିଛି। ଇଂଲଣ୍ଡ ପ୍ରଥମ ପାଳିରେ ୬୫୭ ରନ୍‌ କରିଥିଲା ବେଳେ ଏହାର ମୁହଁତୋଡ଼ ଜବାବ ଦେଇ ଘରୋଇ ପାକିସ୍ତାନ ତା’ର ପ୍ରଥମ ପାଳିରେ ୭ ୱିକେଟ୍‌ ବିନିମୟରେ ୪୯୯ କରିନେଇଛି। ତେବେ ହାତରେ ୩ ୱିକେଟ୍‌ ଥାଇ ପାକିସ୍ତାନ ଏବେ ବି ୧୫୮ ରନ୍‌ରେ ପ୍ରଥମ ପାଳି ପଛୁଆ ରହିଛି।

Advertisment

ଶୁକ୍ରବାର ଦ୍ବିତୀୟ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହାର ବେଳକୁ ୧୮୧/୦ କରିଥିବା ପାକିସ୍ତାନ ଶନିବାର ତୃତୀୟ ଦିବସରେ ୩୧୮ ରନ୍ ଯୋଡ଼ି ୭ ୱିକେଟ୍‌ ହରାଇଛି। ଦୁଇ ଓପ୍‌ନର ଅବ୍‌ଦୁଲା ସଫିକ୍‌ ଓ ଇମାମ୍‌ ଉଲ୍‌ ହକ୍‌ ପ୍ରଥମ ୱିକେଟ୍‌ରେ (୨୨୫ ରନ୍‌) ଦ୍ବିଶତକୀୟ ଭାଗୀଦାରି କରି ସ୍ଥିତି ମଜ୍‌ବୁତ୍ କରିଥିଲେ। ଏହାପରେ ଅଧିନାୟକ ବାବର ଆଜମ୍‌ ହିଁ ପାଳିକୁ ଆଗେଇ ନେଇଥିଲେ। ତାଙ୍କ ବ୍ୟତୀତ ସୌଦ୍‌ ସକିଲ (୩୭), ମହମ୍ମଦ ରିଜ୍‌ୱାନ୍‌ (୨୯), ଆଝାର ଅଲ୍ଲୀ (୨୭) ଓ ନସିମ ଶାହା (୧୫) ପାଭିଲିୟନ୍‌ ଫେରିଯାଇଛନ୍ତି। ଶନିବାର ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଆଘା ସଲ୍‌ମନ (୧୦) ଓ ଜାହିଦ ମହମୁଦ୍‌ (୧) କ୍ରିଜ୍‌ରେ ରହିଛନ୍ତି।