ଅହମ୍ମଦାବାଦ, ୨୭ା୨: ଗୁରୁବାରଠାରୁ ମୋଟେରାର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଚତୁର୍ଥ ତଥା ଶେଷ ଟେଷ୍ଟ୍ରେ ବ୍ୟାଟିଂ ୱିକେଟ୍ ରଖାଯିବା ସମ୍ଭାବନା ରହିଛି। ଏଠାରେ ଖେଳାଯାଇଥିବା ଗତ ତୃତୀୟ ଟେଷ୍ଟ୍ ଦୁଇ ଦିନରେ ଶେଷ ହେବା ପରେ ଆଇସିସି କାର୍ଯ୍ୟାନୁଷ୍ଠାନ ଆଶଙ୍କାକୁ ଏଡ଼ାଇବା ଏବଂ ଭାରତର ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ସମ୍ଭାବନା ଦୃଷ୍ଟିରୁ ବିସିସିଆଇ ବ୍ୟାଟିଂ ୱିକେଟ୍ ସପକ୍ଷରେ ରହିଛି। ଭାରତ ଏବେ ୪ ମ୍ୟାଚ୍ ଶୃଙ୍ଖଳାରେ ୨-୧ରେ ଆଗୁଆ ରହିଛି। ଚତୁର୍ଥ ଟେଷ୍ଟ୍କୁ ଅନ୍ୟୁନ ଡ୍ର’ କିମ୍ବା ଜିତିଲେ ଫାଇନାଲ୍ ଯୋଗ୍ୟତା ଅର୍ଜନ କରିପାରିବ। ଭାରତୀୟ ଦଳ ଆଉ ରିକ୍ସ ନେବାକୁ ଚାହୁଁନାହିଁ। ‘ଆଶା କରୁଛୁ ଏକ ଭଲ ଚଟ୍ଟାଣର ୱିକେଟ୍ ମିଳିବ ଏବଂ ସନ୍ତୁଳିତ ବାଉଁସ୍ ପ୍ରଦାନ କରିବ। ପାରମ୍ପରିକ ଲାଲ ମାଟିରେ ପିଚ୍ ପ୍ରସ୍ତୁତ ହୋଇଥିବାରୁ ଏହା ବ୍ୟାଟିଂ ବିଉଟି ହେବ। ଏଠାରେ ଏକ ହାଇସ୍କୋରିଂ ମୁକାବିଲା ହେବ ବୋଲି ମଧ୍ୟ ଜଣେ ଆଶା ରଖିପାରିବ’ ବୋଲି ଜଣେ ବିସିସିଆଇ ଅଧିକାରୀ ପ୍ରକାଶ କରିଛନ୍ତି।
ଭାରତୀୟ କ୍ରିକେଟ୍ ବୋର୍ଡର ବଡ଼ହସ୍ତି ଏବଂ ଦଳୀୟ ମ୍ୟାନେଜମେଣ୍ଟ୍ ମଧ୍ୟ ଅହମ୍ମଦାବାଦ ପିଚ୍କୁ ଆଉ ଟର୍ନିଂ ଟ୍ରାକ୍ ରଖିବାକୁ ଚାହୁଁନାହାନ୍ତି। ଏହି ନୂଆ ଷ୍ଟାଡିୟମ୍ରେ ଆଗାମୀ ଆଇପିଏଲ୍ ଏବଂ ଚଳିତ ବର୍ଷ ଶେଷ ଭାଗରେ ଟି-୨୦ ବିଶ୍ବକପ୍ ମ୍ୟାଚ୍ ଖେଳାଯିବାର ଥିବାରୁ ଆଇସିସିକୁ ଅସନ୍ତୁଷ୍ଟ କରିବାକୁ କେହି ପସନ୍ଦ କରୁନାହାନ୍ତି। ଆଇସିସି ମ୍ୟାଚ୍ ରେଫରି ଜଭାଗଲ୍ ଶ୍ରୀନାଥଙ୍କ ରିପୋର୍ଟ ଅଧାରରେ ଅଇସିସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆଶଙ୍କା ଥିଲେ ମଧ୍ୟ ଇଂଲଣ୍ଡ କୌଣସି ଆନୁଷ୍ଠାନିକ ଅଭିଯୋଗ କରିନଥିବାରୁ ଏଭଳି ପୂର୍ବାନୁମାନ କମ୍ ରହିଛି। ଗୋଟିଏ ପିଚ୍ରେ ଗୋଟିଏ ଭଲ ଏବଂ ଅନ୍ୟଟି ଖରାପ ଫଳାଫଳ ଦେଲେ ଆଇସିସି ଦଣ୍ଡାଦେଶ ମିଳିପାରିବ ନାହିଁ। ଭାରତକୁ ମଧ୍ୟ ଅନ୍ୟୁନ ଡ୍ର’ ଆବଶ୍ୟକ ପଡୁଥିବାରୁ ବିରାଟ କୋହଲିଙ୍କ ଦଳ ଲକ୍ଷ୍ୟ ହାସଲ କରିବାରେ ବ୍ୟାଟିଂ ପିଚ୍ ସହାୟକ ହେବ ବୋଲି ବିଶ୍ବାସ କରାଯାଉଛି।
ବୁମ୍ରା ଓହରିଲେ
ବ୍ୟକ୍ତିଗତ କାରଣରୁ ଦ୍ରୁତ ବୋଲର ଯଶପ୍ରୀତ୍ ବୁମରା ମାର୍ଚ୍ଚ ୪ ତାରିଖରୁ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟରୁ ଓହରିଯାଇଛନ୍ତି। ବୁମରାଙ୍କ ଅନୁରୋଧ ରକ୍ଷା କରି ବିସିସିଆଇ ମଧ୍ୟ ତାଙ୍କୁ ଶନିବାର ଦଳରୁ ମୁକ୍ତ କରିଦେଇଛି। ଚତୁର୍ଥ ଟେଷ୍ଟ୍ ପାଇଁ ସେ ଉପଲବ୍ଧ ହେବେ ନାହିଁ ବୋଲି ବିସିସିଆଇ ସ୍ପଷ୍ଟ କରିଛି। ସୂଚନାଯୋଗ୍ୟ, ଟେଷ୍ଟ୍ ପରେ ଖେଳାଯିବାକୁ ଥିବା ସୀମିତ ଓଭର ଶୃଙ୍ଖଳାରୁ ବୁମରାଙ୍କୁ ବିଶ୍ରାମ ଦିଆଯାଇଛି। ୨୭ ବର୍ଷୀୟ ବୁମରା ୟୁଏଇରେ ଆଇପିଏଲ୍ ଖେଳାଯିବା ପୂର୍ବରୁ ଗତ ଅଗଷ୍ଟ ମାସରୁ ଦଳର ଜୈବବଳୟ ଭିତରେ ରହିଥିଲେ। ଆଇପିଏଲ୍ ପରେ ସେଠାରୁ ସିଧାସଳଖ ଅଷ୍ଟ୍ରେଲିଆ ଗସ୍ତ କରିଥିଲେ। ସେଠାରେ ୩ ମ୍ୟାଚ୍ରୁ ୧୧ ୱିକେଟ୍ ନେଇଥିବା ବେଳେ ଆହତ କାରଣରୁ ଶୃଙ୍ଖଳା ନିର୍ଣ୍ଣାୟକ ବ୍ରିସବେନ୍ ଟେଷ୍ଟ୍ ଖେଳିପାରିନଥିଲେ। ଭାରତ ସେଠାରେ ଐତିହାସିକ ବିଜୟ ସହିତ ଶୃଙ୍ଖଳାକୁ ୨-୧ରେ ଜିତିଥିଲା। ବୁମରାଙ୍କ ବଦଳରେ ମୋଟେରା ଟେଷ୍ଟ ଲାଗି ବିସିସିଆଇ ବଦଳ ଖେଳାଳି ଘୋଷଣା କରିନାହିଁ। ତେବେ ଅଷ୍ଟ୍ରେଲିଆରେ ଚମତ୍କାର ପଦାର୍ପଣ କରିଥିବା ମହମ୍ମଦ ସିରାଜ ମୋଟେରାରେ ଈଶାନ୍ତ ଶର୍ମାଙ୍କ ନୂଆ ବଲ୍ ପାର୍ଟନର୍ ହେବା ସମ୍ଭାବନା ରହିଛି।