ବାକ୍ସଟର ଓଡ଼ିଶା ଏଫ୍‌ସିର ନୂଆ ମୁଖ୍ୟ ପ୍ରଶିକ୍ଷକ

ଭୁବନେଶ୍ବର: ଓଡ଼ିଶା ଏଫ୍‌ସି ଶୁକ୍ରବାର ନୂଆ ମୁଖ୍ୟ ପ୍ରଶିକ୍ଷକ ଭାବେ ଇଂଲଣ୍ଡର ଷ୍ଟୁଆର୍ଟ ବାକ୍ସଟରଙ୍କୁ ନିଯୁକ୍ତି କରିଛି। ଆଇଏସ୍‌ଏଲ୍‌ ସପ୍ତମ ସଂସ୍କରଣ ପୂର୍ବରୁ ତାଙ୍କ ସହ ଓଏଫ୍‌ସି ଦୁଇ ବର୍ଷୀୟା ଚୁକ୍ତି କରିଛି। ବାସ୍କଟରଙ୍କ ନିକଟରେ ୨୫ ବର୍ଷର ଅଭିଜ୍ଞତା ରହିଛି। ପୂର୍ବତନ ଦକ୍ଷିଣ ଆଫ୍ରିକା ଜାତୀୟ ଦଳ ଏବଂ ୧୯ ବର୍ଷରୁ କମ୍‌ ଇଂଲଣ୍ଡ ଦଳର ପ୍ରବନ୍ଧକ ଆଗାମୀ ସଂସ୍କରଣ ଲାଗି ଓଏଫ୍‌ସିର ଦାୟିତ୍ବ ନେବେ। ପୂର୍ବରୁ ‌ସେ ଫିନ୍‌ଲାଣ୍ଡ ବରି‌ଷ୍ଠ ଦଳର ମୁଖ୍ୟ ପ୍ରଶିକ୍ଷକ ଏବଂ ସ୍ବିଡେନ୍‌, ନ‌ରୱେ, ପର୍ତ୍ତୁଗାଲ, ଜାପାନ ଓ ଦକ୍ଷିଣ ଆଫ୍ରିକାର ବିଭିନ୍ନ କ୍ଲବ୍‌ର ଦାୟିତ୍ବ ତୁଲାଇଥିଲେ। ୬୬ ବର୍ଷୀୟ ବାକ୍ସଟର କାଇଜର ଚିଫ୍‌ସକୁ ଦୁଇଥର ପ୍ରିମିୟର ସୁକର ଲିଗ୍‌ ଏବଂ ସାନଫ୍ରେସି ହିରୋସିମାକୁ ଥରେ ଜେ୧ ଲିଗ୍‌ (ପ୍ରଥମ ଷ୍ଟେଜ୍‌) ବିଜେତା କରାଇଥିଲେ।

ପ୍ରଶିକ୍ଷକ ଷ୍ଟୁଆର୍ଟ ବାକ୍ସଟରଙ୍କୁ ସ୍ବାଗତ କରୁଛୁ। ଓଏଫ୍‌ସି ଲାଗି ସାରା ବିଶ୍ବରେ ପ୍ରଶିକ୍ଷକ ସନ୍ଧାନ କରିଥିଲୁ। ଏହା ମଧ୍ୟରେ ବାକ୍ସଟରଙ୍କ ନିକଟରେ ପ୍ରଭାବିତ କରିବାର କଳା ରହିବା ସହ କ୍ଲବ୍‌କୁ ବିଜୟୀ କରିବାର ଅଭିଜ୍ଞତା ରହିଛି। ମୁଁ ନିଶ୍ଚିତ ଯେ ଆମର ପ୍ରଶଂସକ ଓ ଓଡ଼ିଶା ଲୋକ ଆମ ନିଷ୍ପତ୍ତିରେ ଖୁସି ହେବେ ଏବଂ ବାକ୍ସଟରଙ୍କୁ ଖୋଲା ହୃଦୟରେ ସ୍ବାଗତ କରିବେ। ସେ ସୁସ୍ଥ ରୁହନ୍ତୁ ଏବଂ ଓଡ଼ିଶା ଏଫ୍‌ସି ପାଇଁ ସଫଳତା ଆଣନ୍ତୁ ବୋଲି କାମନା କରୁଛି। ମୋର ବିଶ୍ବାସ ଯେ ସେ ଆମକୁ ଗୌରବାନ୍ବିତ କରିବେ ବୋଲି ଓଡ଼ିଶା ଏଫ୍‌ସିର ପ୍ରତିଷ୍ଠାତା ଓ ଜିଏମ୍‌ଏସ୍‌ ସିଇଓ ଅନିଲ ଶର୍ମା ପ୍ରକାଶ କରିଛନ୍ତି। ଆଗାମୀ ଆଇଏସ୍‌ଏଲ୍‌ ଋତୁ ଲାଗି ଓଡ଼ିଶା ଏଫ୍‌ସି ସହ ମୋର ଚୁକ୍ତି ନେଇ ବହୁତ ଖୁସି। ଭାରତରେ ଖେଳାଳି ଓ ପ୍ରଶିକ୍ଷକଙ୍କ ଉନ୍ନତି ପାଇଁ କାମ କରିବାର ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମନେକରୁଛି। ସମସ୍ତ ପ୍ରଶଂସକ,‌ ଖେଳାଳି, ଅଧିକାରୀମାନେ ଏହି ପରୀକ୍ଷା ସମୟରେ କୁଶଳ ରୁହନ୍ତୁ ଏବଂ ଖୁସି ଓ ସଫଳତା କାମନା କରୁଛି ବୋଲି ମୁଖ୍ୟ ପ୍ରଶିକ୍ଷକ କହିଛନ୍ତି।

ସମ୍ବନ୍ଧିତ ଖବର