ଭୁବନେଶ୍ବର: ଓଡ଼ିଶାର ଉଦୀୟମାନ ବ୍ୟାଡମିଣ୍ଟନ ତାରକା ପଣ୍ଡା ଭଉଣୀ ଋତାପର୍ଣ୍ଣା ଓ ଶ୍ବେତାପର୍ଣ୍ଣାଙ୍କ ଆନ୍ତର୍ଜାତିକ ଅଂଶଗ୍ରହଣଗୁଡ଼ିକୁ ଏବେ ସିଧାସଳଖ ଭାରତୀୟ ବ୍ୟାଡମିଣ୍ଟନ ସଂଘ (ବାଇ) ଆର୍ଥିକ ସହାୟତା ଯୋଗାଇ ଦେବ। ଆର୍‌ଇସି ଲିମିଟେଡ୍‌ ସହିତ ‘ବାଇ’ ମିଳିତ ସହଭାଗିତାରେ ଉକ୍ତ ପାଣ୍ଠି ଯୋଗାଇ ଦିଆଯିବ। ଯାହାଫଳରେ ସେମାନେ ତାଙ୍କର ରୢାଙ୍କିଙ୍ଗ୍‌ରେ ଉନ୍ନତି ଆଣିବା ସହିତ ବିଭିନ୍ନ ଆନ୍ତର୍ଜାତିକ ଇଭେଣ୍ଟଗୁଡ଼ିକରେ ଅଂଶଗ୍ରହଣ କରିବାକୁ ସୁଯୋଗ ପାଇପାରିବେ। ପଣ୍ଡା ଭଉଣୀଙ୍କ ସହିତ ମୋଟ ୨୮ ଜଣ ବ୍ୟାଡମିଣ୍ଟନ ଖେଳାଳିଙ୍କୁ ‘ବାଇ’ ପକ୍ଷରୁ ସହାୟତା ଯୋଗାଇ ଦିଆଯାଉଛି। ବିଶେ‌ଷ କରି ଯେଉଁମାନେ ବିଡବ୍ଲୁଏଫ୍‌ ମାନ୍ୟତାରେ ୨୬ରୁ ୭୫ ମଧ୍ୟ‌ରେ ରହିଛନ୍ତି, ସେମାନଙ୍କୁ ଏହି ସହାୟତା ମିଳିବାକୁ ଥିବା ତାଲିକାରେ ସ୍ଥାନ ଦିଆଯାଇଛି। ଋତାପର୍ଣ୍ଣା ଓ ଶ୍ବେତାପର୍ଣ୍ଣା ମହିଳା ଯୁଗଳରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିଲା ବେଳେ ଏବେ ସେମାନଙ୍କ ବିଡବ୍ଲୁଏଫ୍‌ ମାନ୍ୟତା ୫୨ ରହିଛି। ଏହି ତାଲିକାରେ ବର୍ତ୍ତମାନର ବରିଷ୍ଠ ଏକକ ବିଜେତା ଚିରାଗ ସେନ୍‌, ଅନମୋଲ ଖାର୍ବ, ଉପବିଜେତା ତରୁଣ ମନେପାଲି ଓ ସର୍ବକନିଷ୍ଠ ଫାଇନାଲିଷ୍ଟ ୧୫ ବର୍ଷୀୟ ତନଭି ଶର୍ମା ସାମିଲ ଅଛନ୍ତି। ଜାତୀୟ ଯୁଗଳ ବିଜେତା ସୂରଜ ଗୋଆଲା ଓ ପୃଥ୍ବୀ ରଏ, ପ୍ରିୟା କୋଞ୍ଜେଙ୍ଗବାମ୍‌ ଓ ଶ୍ରୁତି ମିଶ୍ର ମଧ୍ୟ ତାଲିକାରେ ରହିଛନ୍ତି।

Advertisment

ଏହି ଖବର ମିଳିବା ପରେ ଋତାପର୍ଣ୍ଣା କହିଛନ୍ତି ଯେ, ପୂର୍ବରୁ ଯେତେବେଳେ କୌଣସି ଆନ୍ତର୍ଜାତିକ ଇଭେଣ୍ଟକୁ ଅଂଶଗ୍ରହଣ ପାଇଁ ଯାଆନ୍ତି, ସେତେବେଳେ ବିଭିନ୍ନ ଉତ୍ସରୁ ପାଣ୍ଠି ସହାୟତା ମିଳିଥାଏ। କେତେବେଳେ ‘ବାଇ’ ସହାୟତା କରିଥାଏ ତ କେବେ ରାଜ୍ୟ କ୍ରୀଡ଼ା ବିଭାଗରୁ ମିଳିଥାଏ। ଏବେ ‘ବାଇ’ ପାଣ୍ଠି ଯୋଗାଇବ ବୋଲି ଜାଣିବାକୁ ପାଇଛୁ। କିନ୍ତୁ କେତେ ସହାୟତା ମିଳିବ, ‌କେମିତି ଆବେଦନ କରାଯିବ ଇତ୍ୟାଦିର କିଛି ମାନଦଣ୍ଡ ବିଷୟରେ ଜାଣିନାହୁଁ। ତଥାପି ଆମ ଭଳି ଅନେକ ଯୁବ ଖେଳାଳିଙ୍କୁ ଏଭଳି ପ୍ରୋତ୍ସାହନ ବହୁତ ସହାୟତା କରିବ। ଅଧିକ ଆନ୍ତର୍ଜାତିକ ଇଭେଣ୍ଟରେ ଅଂଶଗ୍ରହଣ କରିବା ସହ ଭଲ ଖେଳିବାକୁ ଉତ୍ସାହିତ ହୋଇପାରିବୁ। ବର୍ତ୍ତମାନ ମାଲେସିଆ ଓପନ୍‌ ସୁପର ୧୦୦୦ରେ ଶେଷ ମୁହୂର୍ତ୍ତରେ ପ୍ରବେଶ ମିଳିଛି। ଏହା ମୋ ପାଇଁ ଓ ଶ୍ବେତାପର୍ଣ୍ଣା ପାଇଁ ବହୁତ ବଡ଼ ଇଭେଣ୍ଟ। ମଙ୍ଗଳବାର ଆମର ମ୍ୟାଚ୍‌ ଅଛି। ତେଣୁ ଆଜି ବେଙ୍ଗାଲୁରୁ ଦେଇ ମାଲେସିଆ ଯିବୁ, ସେଠାରୁ ଫେରିବା ପରେ ବାଇ ପାଣ୍ଠି ବିଷୟରେ ତର୍ଜମା କରିପାରିବି - ‘ସମ୍ବାଦ’କୁ ପ୍ରତିକ୍ରିୟା ଦେଇ ଋତାପର୍ଣ୍ଣା କହିଛନ୍ତି। ସୂଚନାଯୋଗ୍ୟ, ମାଲେସିଆ ଓପନ୍‌ର ମହିଳା ଯୁଗଳରେ ପଣ୍ଡା ଭଉଣୀଙ୍କ ପ୍ରଥମ ମୁକାବିଲା ଜାପାନର ମାୟୁ ମାତ୍‌ସୁମୋତୋ ଓ ୱାକାନା ନାଗହାରାଙ୍କ ସହିତ ହେବ।