ବେୟର୍ଣ୍ଣ ମ୍ୟୁନିକ ଜିତିଲା ବୁନ୍ଦେସଲିଗା ଟ୍ରଫି, ମୁଲାରଙ୍କ ୪୯ ବର୍ଷର କୀର୍ତ୍ତିମାନ ଭାଙ୍ଗିଲେ ଲିୱେଣ୍ଡୋସ୍କି

ବର୍ଲିନ: ବେୟର୍ଣ୍ଣ ମୁନିକର ରବର୍ଟ ଲି‌ୱେଣ୍ଡୋସ୍କି ଶନିବାର ଚଳିତ ବୁନ୍ଦେସଲିଗାରେ ୪୧ ଗୋଲ୍‌ ପୂରଣ କରିଛନ୍ତି। ଜର୍ମାନି ଲିଗ୍‌ର ଗୋଟିଏ ଋତୁ‌ରେ ୪୧ ଗୋଲ୍‌ କରି ସେ ଜର୍ଡ ମୁଲାର (୪୦ ଗୋଲ୍)ଙ୍କ ୪୯ ବର୍ଷ ତଳର କୀର୍ତ୍ତିମାନର ଭାଙ୍ଗିଛନ୍ତି। ମୁଲେର ଏହି କୀର୍ତ୍ତିମାନ ୧୯୭୧-୭୨ ଋତୁରେ କରିଥିଲେ। ବୁନ୍ଦେସଲିଗାରେ ସର୍ବାଧିକ ଗୋଲ୍‌ କୀର୍ତ୍ତିମାନ ମୁଲାର (୩୬୫)ଙ୍କ ନାମରେ ରହିଛି। ତାଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ଲିୱେଣ୍ଡୋସ୍କି (୨୭୭) ରହିଛନ୍ତି। ଗତ ସପ୍ତାହରେ ସେ ମୁଲାରଙ୍କ କୀର୍ତ୍ତିମାନ ସହ ସମକ୍ଷକ ହୋଇଥିଲେ। ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ଲିୱେଣ୍ଡୋସ୍କିଙ୍କ ଦଳ ୫-୨ ଗୋଲ୍‌ରେ ଅଗ୍ସବର୍ଗକୁ ପରାସ୍ତ କରିଥିଲା। ଲିୱେଣ୍ଡୋସ୍କି(୯୦ ମିନିଟ୍‌) ଏହି ମ୍ୟାଚ୍‌ର ଶେଷ ମିନିଟ୍‌ରେ ଗୋଲ୍‌ ଦେଇ ନିଜର କୀର୍ତ୍ତିମାନ କରିବା ସହ ଦଳ ବିଜୟରେ ମୁଣ୍ଡି ମାରିଥିଲେ।

ମ୍ୟୁନିକ ପକ୍ଷରୁ ସର୍ଜି ନାବ୍ରି (୨୩ ମିନିଟ୍‌), ଜୋସୁଆ କିମିଚ (୩୩ ମିନିଟ୍‌), କିଙ୍ଗ୍ସଲେ କୋମ (୪୩ ମିନିଟ୍‌) ଗୋଟିଏ ‌ଲେଖାଏଁ ଗୋଲ୍‌ କରିଥିଲା ବେଳେ ଜେଫ୍ରି ଗୁୱିଲିଉ (୯ ମିନିଟ୍‌)ଙ୍କ ଗୋଟିଏ ଆତ୍ମଘାତୀ ଗୋଲ୍‌ ଦଳକୁ ମିଳିଥିଲା। ଅଗ୍ସବର୍ଗ ପକ୍ଷରୁ ଆନ୍ଦ୍ରେ ହାଁ (୬୭ ମିନିଟ୍‌) ଓ ଫ୍ଲୋରିଆନ୍‌ ନେଦରଲେଚନର (୭୧ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ‌କରିଥିଲେ। ଏହି ବିଜୟ ସହ ମ୍ୟୁନିକ ୩୪ ମ୍ୟାଚ୍‌ରୁ ୭୮ ପଏଣ୍ଟ୍‌ ପାଇ ଲଗାତାର ନବମ ଥର ଲାଗି ‌ବୁନ୍ଦେସଲିଗା ଟ୍ରଫି ନିଜ ପାଖରେ ରଖିବାକୁ ସକ୍ଷମ ହୋଇଥିଲା। ”ଯେପରି ଆଜି ଶେ‌ଷ ମିନିଟ୍‌ରେ ଗୋଲ୍‌ ଦେଇ କୀର୍ତ୍ତିମାନର ଅଧିକାରୀ ହେଲି ତାହା କୌଣସି ବିଜ୍ଞାନ କଳ୍ପିତ ଚଳଚ୍ଚିତ୍ରଠୁ କମ୍‌ ନଥିଲା। ଏହି ଗୋଲ୍‌ ପରେ କିଛି କହିବା ପାଇଁ ମୋ ପାଟିରୁ ଭାଷା ବାହାରୁନଥିଲା। ମୋ ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ। ଶୀଘ୍ର ଗୋଲ୍‌ କରି ନପାରିବାରୁ ଟିକେ ନିରାଶ ଥିଲି। ବେ‌ଳେ ବେଳେ ଏଭଳି କୀର୍ତ୍ତିମାନ ପାଇଁ ଲଢ଼ିବାକୁ ପଡ଼େ। ମୁଁ ଧୈର୍ଯ୍ୟ ରଖିଥିଲି, ଶେଷ ପର୍ଯ୍ୟନ୍ତ ମୋର ବିଶ୍ବାସ ଥିଲା କିଛି ହେବ ବୋଲି। ଦଳର ସମସ୍ତ ସାଥୀ ଖେଳାଳିଙ୍କୁ ଧନ୍ୟବାଦ ଦେଉଛି। ସେମାନଙ୍କ ସହଯୋଗରେ ଏହା ସମ୍ଭବ ହୋଇଛି।” ବୋଲି କୀର୍ତ୍ତିମାନ ପରେ କହିଛନ୍ତି ଲିୱେଣ୍ଡୋସ୍କି।

ସମ୍ବନ୍ଧିତ ଖବର