ବର୍ଲିନ୍: ବେୟର୍ନ ମ୍ୟୁନିକ୍ ଦଳକୁ ମିଳିଯାଇଛି ‘ଡବଲ୍’ ସଫଳତା। ଗତ ଶନିବାର କ୍ରମାଗତ ଅଷ୍ଟମ ଥର ପାଇଁ ବୁନ୍ଦେସ୍ଲିଗା ବିଜେତା ହେବା ପରେ ଏବେ ଜର୍ମାନ୍ କପ୍ ଜିତି ନେଇ ଏଭଳି ସଫଳତା ହାତେଇନେଇଛି। ପୁଣି କ୍ଲବ୍ ଇତିହାସରେ ତ୍ରୟୋଦଶ ଥର ପାଇଁ ଦଳ ‘ଡବଲ୍’ ସଫଳତା ଅର୍ଜନ କରିଛି। ଏବେ ବେୟର୍ନ ମ୍ୟୁନିକ୍ ନିକଟରେ ‘ଟ୍ରିବଲ୍’ ଅର୍ଜନ ସହ ଋତୁ ଶେଷ କରିବାର ସୁଯୋଗ ରହିଛି। ଆସନ୍ତାମାସରେ ଲିସ୍ବନ୍ରେ ଚାମ୍ପିଅନ୍ସ ଲିଗ୍ ଫାଇନାଲ୍ସ ଥିଲା ବେଳେ ଏହି ଦଳ ମଧ୍ୟ ବିଜେତା ହେବାର ଅନ୍ୟତମ ପସନ୍ଦର ରହିଛି।
ବୁନ୍ଦେସ୍ଲିଗା ବିଜେତା ବେୟର୍ନ ମ୍ୟୁନିକ୍ ଦଳ ଶନିବାର ଏଠାରେ ବେୟର ଲିଭରକୁସେନ୍କୁ ୪-୨ ଗୋଲ୍ରେ ପରାସ୍ତ କରି ୨୦ତମ ଜର୍ମାନ୍ କପ୍ ବିଜେତା ହୋଇଛି। କୋଭିଡ୍-୧୯ ମହାମାରୀ ମାର୍ଗଦର୍ଶିକା ଅନୁଯାୟୀ ଏହି ମ୍ୟାଚ୍ ବନ୍ଦ ଦ୍ବାର ପଛପଟେ ଖେଳାଯାଇଥିଲା। ରବର୍ଟ ଲିୱାଣ୍ଡୋସ୍କି ଦ୍ବିତୀୟାର୍ଧରେ ଦୁଇଟି ଗୋଲ୍ କରି ଦଳ ବିଜୟର ନାୟକ ବନିଯାଇଥିଲେ। ଏଥି ସହିତ ସେ ଚଳିତ ଋତୁରେ ବ୍ୟକ୍ତିଗତ ଭାବେ ୫୦ତମ ଗୋଲ୍ ସଂଖ୍ୟା ଅତିକ୍ରମ କରିଥିଲେ। ଚଳିତ ଋତୁରେ ତାଙ୍କ ମୋଟ ଗୋଲ୍ ସଂଖ୍ୟା ୫୧ରେ ପହଞ୍ଚିଯାଇଛି। ସେମଧ୍ୟରୁ ଜର୍ମାନ୍ କପ୍ରେ ୬, ବୁନ୍ଦେସ୍ଲିଗାରେ ୩୪ ଏବଂ ଚାମ୍ପିଅନ୍ସ ଲିଗ୍ରେ ୧୧ ଗୋଲ୍ ସାମିଲ ରହିଛି। ରବର୍ଟ ଲିୱାଣ୍ଡୋସ୍କି ମଧ୍ୟ ଶନିବାର ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଶନିବାର ମ୍ୟାଚ୍ରେ ଦଳ ପାଇଁ ଅବଶିଷ୍ଟ ଦୁଇଟି ଗୋଲ୍ ଡେଭିଡ୍ ଆଲାବା ଏବଂ ସର୍ଗି ନାବ୍ରି କରିଥିଲେ। ଆଲାବା ଓ ନାବ୍ରିଙ୍କ ଗୋଲ୍ ବଳରେ ବିଜେତା ଦଳ ପ୍ରଥମାର୍ଧରେ ୨-୦ର ଅଗ୍ରଣୀ ପାଇବା ପରେ ମ୍ୟାଚ୍ର ଅବଶିଷ୍ଟ ୪ ଗୋଲ୍ ଦ୍ବିତୀୟାର୍ଧରେ ହିଁ ହୋଇଥିଲା। ପ୍ରଥମାର୍ଧରେ ହିଁ ଆମେ ମ୍ୟାଚ୍କୁ ଆମ ନିୟଂତ୍ରଣରେ ରଖିପାରିଥିଲୁ ବୋଲି କହିଛନ୍ତି ନାବ୍ରି। ଗୋଟିଏପଟେ ବେୟର୍ନ ମ୍ୟୁନିକ୍ଙ୍କୁ ‘ଡବଲ୍’ ସଫଳତା ମିଳିଥିଲା ବେଳେ ଅନ୍ୟପଟେ ଲିଭରକୁସେନ୍ ର୍ଜମାନ୍ କପ୍ରେ ହ୍ୟାଟ୍ରିକ୍ ପରାଜୟ ବରଣ କରିଛି। ଏହି ଦଳ ପୂର୍ବରୁ ୨୦୦୨ ଏବଂ ୨୦୦୯ ଫାଇନାଲ୍ରେ ମଧ୍ୟ ପରାଜିତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/Bayern-Munich-win-German-Cup.jpg)