ଭୁବନେଶ୍ବର ଅନ୍ତଃବିଦ୍ୟାଳୟ କ୍ରିକେଟ୍‌:ବିଭାଂଶୁଙ୍କ ଶତକ, ବିଜେଇଏମ୍‌କୁ ହ୍ୟାଟ୍ରିକ ଟ୍ରଫି

ଭୁବନେଶ୍ବର: ସପ୍ତଦଶ ଭୁବନେଶ୍ବର ଅନ୍ତଃବିଦ୍ୟାଳୟ କ୍ରିକେଟ୍‌ ପ୍ରତିଯୋଗିତାର ରବିବାର ଫାଇନାଲ୍‌ରେ ‌କିସ୍‌କୁ ୬୧ ରନ୍‌ରେ ହରାଇ ବି‌ଜେଇଏମ୍‌ ଲଗାତାର ତୃତୀୟ ଥର (ହ୍ୟାଟ୍ରିକ୍‌) ବିଜେତା ହେବାର ଗୌରବ ପାଇଛି। ରବିବାର ଫା‌ଇନାଲ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବି‌ଜେଇଏମ୍‌ ବିଭାଂଶୁ ଶେଖର ରାୟ (୧୧୦)ଙ୍କ ଶତକ ବଳରେ ନିର୍ଧାରିତ ୩୦ ଓଭରରେ ୬ ୱିକେଟ୍‌ ହରାଇ ୧୯୪ ରନ୍‌ କରିଥିଲା। କିସ୍‌ ପକ୍ଷରୁ ରମେଶ ମେଳକା ୩ ୱିକେଟ୍‌ ଅକ୍ତିଆର କରିଥିଲେ। ଜବାବରେ କିସ୍‌ ୮ ୱିକେଟ୍‌ ହରାଇ ୧୩୩ ରନ୍‌ କରିପାରିଥିଲା। ବିଜେଇଏମ୍‌ ପକ୍ଷରୁ ସାଇ ପ୍ରସାଦ ୩ ୱିକେଟ୍‌ ନେଇଥିଲେ। ବିଭାଂଶୁ ଫାଇନାଲ୍‌ ଓ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲା। କିସ୍‌ର ନାବିଦାତ୍ୟ ମଲ୍ଲିକ (ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌), ମହେନ୍ଦ୍ର ମାଢ଼ୀ (ଶ୍ରେଷ୍ଠ କ୍ଷେତ୍ରରକ୍ଷକ), କିସର ଲେନିନ୍‌ ମହାନ୍ତି (ଶ୍ରେଷ୍ଠ ଉଦୀୟମାନ), ସେଣ୍ଟ୍‌ ଜାଭିୟର୍ସର ଅଂଶୁମାନ ଦାସ (ଶ୍ରେଷ୍ଠ ବୋଲର), ବିଜେଇଏମ୍‌ର ବିଦ୍ୟାଧର ବେହେରା (ଶ୍ରେଷ୍ଠ ୱିକେଟ୍‌ ରକ୍ଷକ) ପୁରସ୍କୃତ ହୋଇଥିଲେ।
ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ବିଜେବି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରସନ୍ନ କୁମାର ମହାନ୍ତି, ଅନନ୍ତ ନିସାନ ପରିଚାଳନା ନିର୍ଦେଶକ ବି ରାଜ ଶେଖର ସୁବୁଦ୍ଧି, ବିଜେଇଏମ୍‌ ସ୍କୁଲର ପଲ୍ଲବୀ ମହାପାତ୍ର, ପୂର୍ବତନ ରଣଜୀ ତାରକା ପ୍ରଶାନ୍ତ ମହାପାତ୍ର ‌ଯୋଗଦେଇ ଉଭୟ ବିଜେତା ଏବଂ ଉପବିଜେତା ଦଳକୁ ଟ୍ରଫି ସହ ଯଥାକ୍ରମେ ୮,୦୦୦ ଓ ୬,୦୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ। ଆୟୋଜକ ଓଡ଼ିଶା ଭେଟେ‌ରାନ କ୍ରିକେଟ୍‌ ସଂଘର ସଭାପତି ଅଶୋକାନନ୍ଦ ଜେନା, ଉପସଭାପତି ବଳଭଦ୍ର ପଟ୍ଟନାୟକ, ପ୍ରମୋଦ ପଟ୍ଟନାୟକ, ଅନଙ୍ଗ ପଟ୍ଟନାୟକ ଏବଂ ସମ୍ପାଦକ ବିରେନ କୁମାର ଦାସ ଉପସ୍ଥିତ ଥିଲେ। ବିଜେଇଏମ୍‌ ଶିକ୍ଷକ ଜଗଜୀବନ ସାହୁଙ୍କ ତତ୍ବାବଧାନରେ ତାଙ୍କ ଦଳ ଲଗାତାର ତୃତୀୟ ବର୍ଷ ବିଜେତା ହୋଇଥିବାରୁ ତାଙ୍କୁ ବି ଶ୍ରେୟ ପ୍ରଦାନ କରାଯାଇଛି। ଫାଇନାଲ୍‌ ମ୍ୟାଚ୍‌କୁ ସୁନୀଲ ବେହେରା ଓ ବିନୋଦ ଦାସ ପରିଚାଳନା କରିଥିଲେ। ବିକାଶ ମାନସିଂହ ସ୍କୋରର୍‌ ଥିଲେ।

ସମ୍ବନ୍ଧିତ ଖବର