ରଣଜୀ ଟ୍ରଫି: ଶେଷରେ ବୃହତ୍‌ ବିଜୟ

ଗୋଆକୁ ୨୭୬ ରନ୍‌ରେ ହରାଇଲା ଓଡ଼ିଶା

ଭୁବନେଶ୍ବର,  ଭୁବନେଶ୍ବର ଉପକଣ୍ଠ କଣ୍ଟାବାଡ଼ସ୍ଥିତ ବିକାଶ ପଡ଼ିଆରେ ଆୟୋଜିତ ରଣଜୀ ଟ୍ରଫି ପ୍ରତିଯୋଗିତାର ଗ୍ରୁପ୍‌-ସି’ ଅନ୍ତର୍ଗତ ନବମ ତଥା ଶେଷ ଲିଗ୍‌ ମ୍ୟାଚ୍‌ରେ ଓଡ଼ିଶା ବଡ଼ ବ୍ୟବଧାନ (୨୭୬ ରନ୍‌)ରେ ଗୋଆକୁ ପରାସ୍ତ କରିଛି। ଏହି ବୃହତ୍‌ ବିଜୟରୁ ଓଡ଼ିଶା ୬ ପଏଣ୍ଟ୍‌ ପାଇ ମୋଟ ୨୬ ପଏଣ୍ଟ୍‌ ସହ ତାଲିକାର ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ଚଳିତ ଋତୁରେ ମୋଟ ୯ ଗ୍ରୁପ୍‌ ମ୍ୟାଚ୍‌ ଖେଳି ଓଡ଼ିଶା ୪ ବିଜୟ ପାଇଥିଲା ବେଳେ ୩ରେ ହାରିଛି। ଅବଶିଷ୍ଟ ୨ ମ୍ୟାଚ୍‌ ଅମୀମାଂସିତ ରଖିଛି।
ଗୋଆ ବିପକ୍ଷରେ ଟସ୍‌ ହାରି ବ୍ୟାଟିଂ କରିଥିବା ଓଡ଼ିଶା ପ୍ରଥମ ପାଳିରେ ସନ୍ଦୀପ ପଟ୍ଟନାୟକ (୧୦୦)ଙ୍କ ଶତକ, ଶାନ୍ତନୁ ମିଶ୍ର (୫୯) ଓ ସୂର୍ଯ୍ୟକାନ୍ତ ପ୍ରଧାନ (୬୫)ଙ୍କ ଅର୍ଧଶତକ ବଳରେ ୩୫୨ ରନ୍ କରିଥିଲା। ଜବାବରେ ଓଡ଼ିଶାର ୩ ଦ୍ରୁତ ବୋଲର ବସନ୍ତ ମହାନ୍ତି (୨), ରାଜେଶ ମହାନ୍ତି (୩) ଓ ସୂର୍ଯ୍ୟକାନ୍ତ (୫)ଙ୍କୁ ସାମନା କରିନପାରି ଗୋଆ ମାତ୍ର ୧୧୬ ରନ୍‌ରେ ପ୍ରଥମ ପାଳି ଶେଷ କରିଥିଲା। ୨୩୬ ରନ୍‌ ଆଗୁଆ ସତ୍ବେ ଓଡ଼ିଶା ଫଲୋଅନ୍‌ ନ ଦେଇ ଦ୍ବିତୀୟ ପାଳି ଖେଳିଥିଲା। ଏହି ପାଳିରେ ଓଡ଼ିଶା ୧୫୧ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ସୁଜିତ ଲେଙ୍କା ୩୯, ଦେବାଶିଷ ସାମନ୍ତରାୟ ୩୧ ଏବଂ ଅନୁରାଗ ଷଡ଼ଙ୍ଗୀ ୨୩ ରନ୍‌ କରିଥିଲେ। ଗୋଆ ପକ୍ଷରୁ ଲକ୍ଷ୍ୟ ଗର୍ଗ ୫ ଓ କ୍ରିଷ୍ଣା ଦାସ ୪ ୱିକେଟ୍‌ ‌ଅକ୍ତଆର କରିଥିଲେ। ଓଡ଼ିଶା ଏଥି ସହିତ ଗୋଆ ସମ୍ମୁଖରେ ୩୮୮ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା।
ଏହାର ପିଛା କରିଥିବା ଗୋଆ ତୃତୀୟ ଦିନ ହିଁ ୧୧୧ ରନ୍‌ରେ ଦ୍ବିତୀୟ ପାଳିର ସମସ୍ତ ୱିକେଟ୍‌ ହରାଇଥିଲା। ଅଧିନାୟକ ସଗୁନ କାମତ ପ୍ରଥମ ଓଭରର ଦ୍ବିତୀୟ ବଲ୍‌ରେ ବସନ୍ତଙ୍କୁ ଚୌକା ମାରି ପ୍ରଥମ ଓଭରରେ ୬ ରନ୍‌ ସଂଗ୍ରହ କରିଥି‌ଲେ। ପରବର୍ତୀ ଓଭରରେ ସୁମିରନ୍‌ (୦)ଙ୍କୁ ଶାନ୍ତନୁଙ୍କ ହାତରେ କ୍ୟାଚ୍‌ କରାଇ ଉଦୀୟମାନ ଦ୍ରୁତ ବୋଲର ରାଜେଶ ଓଡ଼ିଶାକୁ ପ୍ରଥମ ସଫଳତା ଦେଇଥିଲେ। ସାଗୁନ କାମତ (୬) ବସନ୍ତଙ୍କ ବଲ୍‌ରେ ଶାନ୍ତନୁଙ୍କ ହାତରେ ଧରାପଡ଼ିଥିଲେ। ଏହାପରେ ରାଜେଶ (କିନାନ ୪) ଓ ବସନ୍ତ (ଅମିତ ୦) ଆଉ ଗୋଟିଏ ଲେଖାଏଁ ୱିକେଟ୍‌ ନେଇ ୧୧/୪ରେ ଗୋଆକୁ ସଂଘର୍ଷ କରାଇଥିଲା। ଅମୋଘ ଦେଶାଇ (୨୮) ଏବଂ ସ୍ନେହାଲ କୌଥାଙ୍କର (୧୫) ପଞ୍ଚମ ୱିକେଟ୍‌ରେ ୩୩ ରନ୍ ଯୋଡ଼ିଥିଲେ। ଅମୋଘଙ୍କୁ ବୋଲ୍ଡ କରି ବିପ୍ଲବ ସାମନ୍ତରାୟ ଏହି ଯୋଡ଼ି ଭାଙ୍ଗିଥିଲେ। ଫଳରେ ୫୬/୬ରେ ଗୋଆ ଚା’ପାନ ବିରତିକୁ ଯାଇଥିଲା। ସପ୍ତମ ୱିକେଟ୍‌ରେ ସୁୟାଶ ପ୍ରଭୁଦେଶାଇ (୧୮) ଓ ଦର୍ଶନ ମିସାଲ (୨୦) ୩୨ ରନ୍‌ ଯୋଡ଼ି ଓଡ଼ିଶାର ବିଜୟକୁ ‌କିଛିଟା ବିଳମ୍ବ କରିଥିଲେ। ସୁୟାଶଙ୍କୁ ସନ୍ଦୀପ ପଟ୍ଟନାୟକଙ୍କ ହାତରେ କ୍ୟାଚ୍‌ କରାଇ ବସନ୍ତ ଯୋଡ଼ି ଭାଙ୍ଗିଥିଲେ। ‌ଏହାପରେ ଲକ୍ଷ୍ୟ ଗର୍ଗ (୪)ଙ୍କୁ ରାଜେଶ ଏବଂ ଦର୍ଶନ (୨୦)ଙ୍କୁ ବସନ୍ତ ଆଉଟ୍‌ କରି ଉଭୟ ୪ ୱିକେଟ୍‌ ଲେଖାଏଁ ଅକ୍ତିଆର କରିଥିଲେ। ଶେଷ ୱିକେଟ୍‌ ଭାବେ ଅମୂଲ୍ୟ ପାଣ୍ଡ୍ରେକରଙ୍କୁ ସୂର୍ଯ୍ୟକାନ୍ତଙ୍କ ହାତରେ କ୍ୟାଚ୍‌ କରାଇ ରା‌ଜେଶ ମୁଣ୍ଡି ମାରିବା ସହ ଚଳିତ ରଣଜୀ ଋତୁରେ ନିଜର ତୃତୀୟ ୫ ୱିକେଟ୍‌ ସଫଳତା ହାତେଇ ନେଇଥିଲେ। ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ସୂର୍ଯ୍ୟକାନ୍ତ ପ୍ରଧାନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର