ଚିଲିକା ପରିକ୍ରମା କଲେ ସାଇକ୍ଲିଷ୍ଟ୍‌

ଭୁବନେଶ୍ବର: ଭୁବନେଶ୍ବରର ଉତ୍ସାହୀ ସାଇକ୍ଲିଷ୍ଟଙ୍କୁ ନେଇ ଗଠିତ ଅନୁଷ୍ଠାନ ବିସିଏସି (ଭୁବନେଶ୍ବର ସାଇକ୍ଲିଷ୍ଟ୍ ଆଣ୍ଡ୍ ଆଡଭେଞ୍ଚର୍‌ କ୍ଲବ୍‌) ପକ୍ଷରୁ ଗତ ଦୁଇ ଦିନ ଧରି ଆଉ ଏକ ଦୁଃସାହସିକ ଅଭିଯାନ ସମ୍ପନ୍ନ ହୋଇଛି। ବିସିଏସିର ସଭାପତି ସଂଜୀବ ପଣ୍ଡାଙ୍କ ତତ୍ବାବଧାନରେ ଯାତ୍ରା କରିଥିବା ଏହି ୨୦ ଜଣିଆ ଦଳ ଚିଲିକା ଚତୁଃପାର୍ଶ୍ବ ରାସ୍ତାକୁ ସାଇକେଲ୍ ଚଳାଇ ଅତିକ୍ରମ କରିବାର ନିଆରା ଅନୁଭବ ସାଉଁଟିଛନ୍ତି। ସବୁଜିମା ଘେରା ଗ୍ରାମ୍ୟ ପରିବେଶ ଏବଂ ସ୍ବଳ୍ପ ବ୍ୟବହୃତ ରାସ୍ତା ଦେଇ ଦୁଇ ଦିନରେ ପ୍ରାୟ ୩୦୦ କିଲୋମିଟର୍ ଅତିକ୍ରମ କରିଛନ୍ତି ଏହି ଦଳ। ଶନିବାର ପ୍ରତ୍ୟୁଷରୁ ଭୁବନେଶ୍ବରରୁ ବାହାରିଥିବା ଏହି ସାଇକ୍ଲିଷ୍ଟମାନେ ସୁନ୍ଦରପଦା, ଡେଲାଙ୍ଗ, ବ୍ରହ୍ମଗିରି ଦେଇ ସାତପଡ଼ା ପହଞ୍ଚିଥିଲେ। ନୌକାରେ କୃଷ୍ଣପ୍ରସାଦରୁ ପାରିକୁଦ ପାର କରିବା ପରେ ରମ୍ଭାରେ ଅଟକିଥିଲେ। ସେଠାକାର ଓଟିଡିସି ପାନ୍ଥ ନିବାସରେ ରାତ୍ରୀ ଯାପନ କରିବା ପରେ ଦ୍ବିତୀୟ ଦିବସ ଯୋଜନା ହୋଇଥିଲା। ଦ୍ବିତୀୟ ଦିବସରେ ଜାତୀୟ ରାଜପଥରେ କୁହୁଡି, ଟାଙ୍ଗୀ, ଖୋର୍ଧା ଦେଇ ଭୁବନେଶ୍ବର ଫେରି ଆସିଥିଲେ। ସବୁଠାରୁ ବଡ଼ କଥା ଥିଲା ଏହି ଦଳରେ ୧୧ ବର୍ଷୀୟ ଶିଶୁ ପ୍ରତିଭା ଅଚିନ୍ତ୍ୟ ଅନୁଭବ (ରାମ) ଏବଂ ୬୦ ବର୍ଷରୁ ଊର୍ଧ୍ବ ରମେଶ ସାହୁ ଯଥାକ୍ରମେ ସର୍ବକନିଷ୍ଠ ଏବଂ ବ‌‌ୟୋଜ୍ୟଷ୍ଠ ସାଇକ୍ଲିଷ୍ଟ ଭାଗ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ତିରୁମଲ କୁମାରଙ୍କ ଜନ୍ମଦିନ ମଧ୍ୟ ପାଳନ କରାଯାଇଥିଲା। ମେଘୁଆ ପରିବେଶ ଏବଂ ଶ୍ରାବଣ ମାସ କାଉଡିଆଙ୍କ ଗହଣରେ ଏହି ଅଭିଯାନ ନିଆରା ଅନୁଭବ ଦେଇଥିଲା ବୋଲି କହିଛନ୍ତି ବିସିଏସି ସମ୍ପାଦକ ଅଜୟ ନନ୍ଦ। ସାଇକେଲ୍ ଚଳାଇବା ବ୍ୟକ୍ତି ପାଇଁ ଅପରିହାର୍ଯ୍ୟ। ଏହା ଦ୍ବାରା ଉତ୍ତମ ସ୍ବାସ୍ଥ୍ୟ ଏବଂ ସ୍ବଚ୍ଛ ପରି‌ବେଶ ସମ୍ଭବର ବାର୍ତା ବାଣ୍ଟିଛୁ ବୋଲି ଶ୍ରୀ ନନ୍ଦ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର