ପ୍ରଶଂସକଙ୍କୁ ବାଂଲାଦେଶୀ ବ୍ୟାଟ୍ସମ୍ୟାନ୍‌ଙ୍କ ଆକ୍ରମଣ, ଦଳରୁ ନିଲମ୍ବିତ

ଢାକା: ବାଉଣ୍ଡ୍ରି ବାହାରେ ବସିଥିବା ଜଣେ କ୍ରିକେଟ ପ୍ରଶଂସକଙ୍କୁ ଆକ୍ରମଣ କରିବା ଅଭିଯୋଗରେ ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି) ଜଣେ ବ୍ୟାଟ୍ସମ୍ୟାନ୍‌କୁ ଦଳରୁ ନିଲମ୍ବନ କରିଛି। ଏହି ଅଭାବନୀୟ ଘଟଣାର ଶିକାର ହୋଇଛନ୍ତି ବ୍ୟାଟ୍ସମ୍ୟାନ୍‌ ସବୀର ରହମାନ୍‌। ଏକ ଫାଷ୍ଟକ୍ଲ୍‌ାସ ମ୍ୟାଚ୍‌ ଚାଲିଥିବା ବେଳେ ରହମାନ୍‌ ସାଥୀ ଖେଳାଳିଙ୍କୁ ବ୍ୟାଟ୍‌ରେ ଆକ୍ରମଣ କରିଥିଲେ।

ରହମାନ୍‌ଙ୍କୁ ଦଳରୁ ନିଲମ୍ବନ କରାଯିବା ସହିତ ବିସିବି ୨୫,୦୦୦ ଆମେରିକୀୟ ଡଲାର ଜରିମାନା ଦେବାକୁ ଅଦେଶ ଦେଇଛି। ରହମାନ୍‌ଙ୍କ ପାଇଁ ଏହା ପ୍ରଥମ ଘଟଣା ନୁହେଁ। ୨୦୧୬ରେ ମଧ୍ୟ ଏଭଳି ଘଟଣାରେ ସଂପୃକ୍ତ ଥିବାରୁ ୨୬ ବର୍ଷିଅ ରହମାନ୍‌ଙ୍କୁ ଦଣ୍ଡ ଦେବାକୁ ପଡ଼ିଥିଲା। ବିସିବି ଅଧ୍ୟକ୍ଷ ନାଜମୁଲ ହାସନ କହିଛନ୍ତି, ରହମାନ୍‌ଙ୍କୁ ସୋମବାର ଜରିମାନା ଦେବାକୁ କୁହାଯାଇଛି।

ଗତ ଡିସେମ୍ବର ୨୧ରେ ରାଜସାହାଣୀ ଡିଭିଜନର ନ୍ୟାସନାଲ କ୍ରିକେଟ ଲିଗ୍‌ରେ ଢାକା ମେଟ୍ରୋପୋଲି ବିପକ୍ଷରେ ଏକ ମ୍ୟାଚ୍‌ ଚାଲିଥିବା ବେଳେ ରହମାନ୍‌ ପ୍ରଶଂସକଙ୍କୁ ଆକ୍ରମଣ କରିଥିଲେ। ପାର୍ଶ୍ୱରେ ଲାଗିଥିବା ପରଦା ନିକଟରେ ବସଥିବା ଯୁବ କ୍ରିକେଟ ଦର୍ଶକଙକୁ ସେ ଆକ୍ରମଣ ସହିତ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଘଟଣା ସମ୍ପର୍କରେ ମ୍ୟାଚ୍‌ର ରେଫରି ସ୍ପଷ୍ଟ କରିଥିଲେ।

ତଦନ୍ତକାରୀ କମିଟିର ଉପାଧ୍ୟକ୍ଷ ଶେଖ୍‌ ସୋହେଲ କହିଛନ୍ତି, ଆମେ ଅନୁଭବ କରୁଛେ, ସେ ପୂର୍ବରୁ ଘଟାଇଥିବା ୨ଟି ଭୁଲରୁ କିଛି ଶିଖି ନାହାଁନ୍ତି। ତାଙ୍କୁ ଅସ୍ଥାୟୀ ଭାବରେ ଦଳରୁ ନିଲମ୍ବନ କରାଯିବା ସହିତ ୨୦ଲକ୍ଷ ଟଙ୍କା ଜରିମାନା ଦେବାକୁ କୁହାଯାଇଛି। ତାଙ୍କୁ ଶେଷ ଥର ପାଇଁ ସୁଯୋଗ ଦିଆଯିବ ଓ ଭୁଲ କଲେ ଆଜୀବନ କ୍ରିକେଟରୁ ବାସନ୍ଦ କରାଯିବ।

ସୂଚନାଯୋଗ୍ୟ, ରହମାନ୍‌ ୧୦ଟି ଟେଷ୍ଟ, ୪୬ଟି ଦିନିକିଆ ଅନ୍ତଜାତୀୟ ମ୍ୟାଚ୍‌ ଓ ୩୩ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ସେ ୨୦୧୪ରେ ଅନ୍ତର୍ଜାତୀୟ କ୍ରିକେଟ ଦୁନିଆରେ ପାଦ ଥାପିଥିଲେ।

ସମ୍ବନ୍ଧିତ ଖବର