ଚୀନ୍‌ ପ୍ରାୟୋଜକଙ୍କ ସହ ସଂପର୍କ ଛିନ୍ନ କରିପାରିବନି ବିସିସିଆଇ

ମୁମ୍ବାଇ : ଲଦାଖ ସୀମାରେ ଲାଗି ରହିଥିବା ଉତ୍ତେଜନା ତଥା ସେଠାକାର ଗଲୱାନ ଘା‌ଟିରେ ଚୀନ୍‌ ଚଞ୍ଚକତାର ଶିକାର ହୋଇ ୨୦ ଜଣ ଭାରତୀୟ ବୀର ଯବାନ ସହିଦ ହେବା ପରେ ଦେଶ ସାରା ଏଥିନେଇ ଆକ୍ରୋଶ ତଥା‌ ଅସନ୍ତୋ‌ଷର ବାତାବରଣ ସୃଷ୍ଟି ହୋଇଛି। ବିଶ୍ବାସଘାତକ ଚୀନ୍‌ ସହ ସଂପର୍କ ଛିନ୍ନ କରିବା ସାଙ୍ଗକୁ ସେହି ଦେଶର ସାମଗ୍ରୀ ବର୍ଜନ କରିବାକୁ ସାଧାରଣରେ ଦାବି ହେଉଛି। ଏହି ପରିପ୍ରେକ୍ଷୀରେ ଭାରତ ସରକାର ମଧ୍ୟ ଲୋକପ୍ରିୟ ଭିଡିଓ ପୋଷ୍ଟିଂ ଆପ୍ ଟିକ୍‌ଟକ୍‌ ସହ ୫୯ଟି ଚୀନ୍‌ ଆପକୁ ବାସନ୍ଦ କରିଛନ୍ତି। ଦେଶରେ ଦିନକୁ ଦିନ ଚୀନ୍‌ ବିରୋଧୀ ଲହରି ଘନୀଭୂତ ହେବାରେ ଲାଗିଥିଲା ବେଳେ ଦେଶର ‌ଲୋକପ୍ରିୟ କ୍ରିକେଟ୍ ଲିଗ୍ ଆଇପିଏଲ୍ ସହ ଚୀନ୍‌ କଂପାନିଗୁଡ଼ିକର ସଂପର୍କକୁ ବିସିସିଆଇ ପୁନର୍ବିଚାର କରୁଥିବା ଜଣାପଡ଼ିଛି। ବିସିସିଆଇ ଏଥିନେଇ ଅବଶ୍ୟ କୌଣସି ଠୋସ୍‌ ପଦ‌କ୍ଷେପ ନେଇନି। ତେବେ ଚୀନ୍‌ ମୋବାଇଲ କଂପାନି ଭିଭୋକୁ ଆଇପିଏଲ୍‌ର ମୁଖ୍ୟ ପ୍ରାୟୋଜକ ପଦରୁ ବିସିସିଆଇ ହଟାଉ ବୋଲି ସାଧାରଣରେ ଦାବି ହେଉଛି। ଆସନ୍ତା କିଛି ଦିନ ମଧ୍ୟରେ ବିସିସିଆଇ ଏଥିନେଇ ନିଷ୍ପତ୍ତି ନେବାର ବି ଯଥେଷ୍ଟ ସମ୍ଭାବନା ରହିଛି।

ଦେଶ ତଥା ଭାରତୀୟ କ୍ରିକେଟ୍‌ର ହିତକୁ ଆଖି ଆଗରେ ରଖି ଆମେ ଆଗାମୀ ସମୟରେ ଯାହା କିଛି ନିଷ୍ପତ୍ତି ନେବୁ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହା ପରେ ଭିଭୋ ଆଇପିଏଲ୍‌ର ମୁଖ୍ୟ ପ୍ରା‌ୟୋଜକ ପଦରୁ ହଟିବାର ଆଶଙ୍କା ଦେଖା ଦେଇଥିଲା। ଚୂଡ଼ାନ୍ତ ନିଷ୍ପତ୍ତି ଆଇପିଏଲ୍ ପରିଚାଳନା ପରିଷଦର ସମୀକ୍ଷା ବୈଠକରେ ନିଆଯିବ ବୋଲି ସଂପୃକ୍ତ ଅଧିକାରୀ ଜଣକ କହିଥିଲେ। ବୈଠକ ପାଇଁ କିନ୍ତୁ ଏବେ ସୁଦ୍ଧା କୌଣସି ତାରିଖ ଧାର୍ଯ୍ୟ କରାଯାଇନାହିଁ। ‘‘ ଏବେ ସୁଦ୍ଧା ଆଇପିଏଲ୍ ସମୀକ୍ଷା ବୈଠକ ଲାଗି କୌଣସି ତାରିଖ ନିର୍ଦ୍ଧାରିତ ହୋଇନି। ବିସିସିଆଇ ଏବେ ଅନ୍ୟ ଆନୁଷଙ୍ଗିକ କଥା ନେଇ ଆଲୋଚନା ପର୍ଯ୍ୟାଲୋଚନା କରୁଛି। ଫ୍ରାଞ୍ଚାଇଜଙ୍କ ମତ ମଧ୍ୟ ନିଆଯିବ। ଭାରତୀୟ କ୍ରିକେଟ୍ ତଥା ଦେଶର ହିତକୁ ଆଖି ଆଗରେ ରଖି ଆମେ ଶ୍ରେଷ୍ଠ ନିଷ୍ପତ୍ତି ନେବୁ। ଆଇପିଏଲ୍‌କୁ ନେଇ ଉପୁଜିଥିବା ଅନ୍ୟ କିଛି ସମସ୍ୟାର ସମାଧାନ ହେବାର ସପ୍ତାହକ ଭିତରେ ବୈଠକ ବସିବ’’ ବୋଲି ଅଧିକାରୀ ଜଣକ କହିଥିଲେ। ସେପଟେ ନିଜ ନାମ ଗୋପନ ରଖି ଆଉ ଜଣେ ଅଧିକାରୀ କହିଛନ୍ତି ଯେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଓ ଏସିଆ କପ୍‌ର ଭାଗ୍ୟକୁ ନେଇ ଏପର୍ଯ୍ୟନ୍ତ ଆମ ପାଖରେ କୌଣସି ସ୍ପଷ୍ଟ ସୂଚନା ନାହିଁ। ପ୍ରାୟୋଜକଙ୍କୁ ନେଇ ଚର୍ଚା ହୋଇପାରେ। ହେଲେ ଆମେ କୌଣସି କଂପାନି ସହ ସଂପର୍କ ସଂପୂର୍ଣ୍ଣ ଛିନ୍ନ କରିବୁ ବୋଲି କେବେ ବି କହିନୁ। ବିସିସିଆଇର ଦୁଇ ଜଣ ଅଧିକାରୀ ଦୁଇ ପ୍ରକାର କଥା କହିବା ପରେ ମାମଲା ପୂର୍ବାପେକ୍ଷା ଗୋଳମାଳିଆ ହୋଇଯାଇଛି। ଭିଭୋ ସହ ହୋଇଥିବା ଚୁକ୍ତିକୁ ବାତିଲ କଲେ ଯଦି ବଡ଼ ଧରଣର କ୍ଷତି ହେବ, ତାହାଲେ ଏଭଳି କରିବା ଠିକ୍ ହେବନି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ଭିଭୋର ଆଇପିଏଲ୍ ସହ ପାଞ୍ଚ ବର୍ଷୀୟା ଚୁକ୍ତି ଥିଲା ବେଳେ ବର୍ଷକୁ ଏହି କଂପାନି ପାଖାପାଖି ୪୪୦ କୋଟି ଟଙ୍କା ପ୍ରଦାନ କରିଥାଏ। ଭିଭୋ ନିଜ ଆଡ଼ୁ ନ ଓହରିଲେ ବିସିସିଆଇ ପାଇଁ ଚୁକ୍ତି ବାତିଲ କରିବା ମଧ୍ୟ ଆଇନଗତ ଦୃଷ୍ଟିକୋଣରୁ ସହଜ ହେବନି।

ସମ୍ବନ୍ଧିତ ଖବର