ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରେ ଏକଦିବସୀୟ ଓ ଟି-୨୦ ଦଳର ନେତୃତ୍ବ ନେବେ ରୋହିତ, ବୁମରା ଓ ଶାମିଙ୍କୁ ବିଶ୍ରାମ

ମୁମ୍ବାଇ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ବୁଧବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଏବଂ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ଫେବୃଆରି ୬ରୁ ଆରମ୍ଭ ହେଉଥିବା‌ ଏହି ସିରିଜର ୩ଟି ଦିନିକିଆ ଅହମ୍ମଦାବାଦରେ ଏବଂ ଫେବୃଆରି ୧୬ରୁ କୋଲକାତାରେ ୩ଟି ଟି-୨୦ ମ୍ୟାଚ ଖେଳାଯିବ।

ଆଘାତ ହେତୁ ଦକ୍ଷିଣ ଆଫ୍ରିକା ଗସ୍ତରୁ ବଞ୍ଚିତ ରୋହିତ ଶର୍ମା ଏକଦିବସୀୟ ଦଳ ଏବଂ ଟି-୨୦ ଦଳର ନେତୃତ୍ୱ ନେବାକୁ ଫେରିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଖେଳିବା ନିଶ୍ଚିତ ହୋଇଛି।

ଉପ-ଅଧିନାୟକ କେ.ଏଲ୍.ରାହୁଲ ଅହମ୍ମଦାବାଦରେ ଫେବୃଆରି ୬ରୁ ଆରମ୍ଭ ହେବାକୁ ଥିବା ଏହି ୩ ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରୁ ଉପଲବ୍ଧ ହେବେ ବୋଲି ବିସିସିଆଇ କହିଛି।

ରୋହିତ ବେଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ୍ ଏକାଡେମିରେ ବାଧ୍ୟତାମୂଳକ ଫିଟନେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ବରିଷ୍ଠ ଚୟନ କମିଟି ସହିତ ଚୟନ ବୈଠକରେ ଯୋଗ ଦେଇଥିଲେ।

ତେବେ ଜସପ୍ରୀତ ବୁମରା ଏବଂ ମହମ୍ମଦ ଶାମି ବିଶ୍ରାମ ନେଉଥିବା ହେତୁ ଉଭୟ ସିରିଜରୁ ବାଦ ପଡ଼ିଛନ୍ତି। ମାତ୍ର ବାମହାତୀ ସ୍ପିନର କୁଲଦୀପ ଯାଦବ ଏକଦିବସୀୟ ଦଳକୁ ଫେରିଛନ୍ତି।

କୋଭିଡ ସଂକ୍ରମିତ ହୋଇ ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ ପଡ଼ିଥିବା ୱାଶିଂଟନ୍ ସୁନ୍ଦରଙ୍କୁ ପୁଣି ଉଭୟ ସିରିଜ ଲାଗି ଦଳରେ ସାମିଲ୍ କରାଯାଇଛି |

ଚଳିତ ମାସ ଆରମ୍ଭରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ମ୍ୟାଚ୍‌ରେ ଖରାପ ପ୍ରଦର୍ଶନ ପରେ ଭୁବନେଶ୍ୱର କୁମାରଙ୍କୁ ଦିନିକିଆ ଦଳରେ ସ୍ଥାନ ଦିଆଯାଇନାହିଁ । ସିନିୟର ସ୍ପିନର ଆର ଅଶ୍ୱିନ ଆହତ ଥିବା କାରଣରୁ ୱେଷ୍ଟଇଣ୍ଡିଜ ସିରିଜରୁ ଅନୁପସ୍ଥିତ ଥିବା ଜଣାଯାଇଛି।

ଦିନିକିଆ ଦଳ : ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ (ଉପ-ଅଧିନାୟକ), ଋତୁରାଜ ଗାଏକ୍ୱାଡ, ଶିଖର ଧାୱନ, ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ, ଶ୍ରେୟାସ ଆୟାର, ଦୀପକ ହୁଡା, ରିଷଭ ପନ୍ତ, ଦୀପକ ଚହର, ସାର୍ଦ୍ଦୁଲ ଠାକୁର, ୟୁଜବେନ୍ଦ୍ର ଚହଲ, କୁଲଦୀପ୍ ଯାଦବ, ୱାସିଂଟନ ସୁନ୍ଦର, ରବି ବିଷ୍ଣୋଇ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଅଭେଶ ଖାନ୍

ଟି-୨୦ ଦଳ: ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ (ଉପ-ଅଧିନାୟକ), ଇଶାନ କିଷାନ, ବିରାଟ କୋହଲି, ଶ୍ରେୟାସ ଆୟାର, ସୂର୍ଯ୍ୟ କୁମାର ଯାଦବ, ରିଷଭ ପନ୍ତ, ଭେଙ୍କଟେଶ ଆୟାର, ଦୀପକ ଚହର, ସାର୍ଦ୍ଦୁଲ ଠାକୁର, ରବି ବିଷ୍ଣୋଇ, ଅକ୍ଷର ପଟେଲ, ୟୁଜବେନ୍ଦ୍ର ଚହଲ , ୱାସିଂଟନ ସୁନ୍ଦର, ମହମ୍ମଦ ସିରାଜ, ଭୁବନେଶ୍ୱର କୁମାର, ଅଭେଶ ଖାନ, ହର୍ଷଲ ପଟେଲ

ସମ୍ବନ୍ଧିତ ଖବର