ଦ୍ରାବିଡ଼ଙ୍କ ପରେ ଗମ୍ଭୀର ବନିବେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍!

ନୂଆଦିଲ୍ଲୀ: ଗୌତମ ଗମ୍ଭୀରଙ୍କୁ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ କରିବକୁ ନେଇ ଚିନ୍ତା କରୁଛି ବିସିସିଆଇ । ମିଳିଥିବା ସୂଚନା ମୁତାବକ, ଟିମ୍ ଇଣ୍ଡିଆ ହେଡ୍ କୋଚ୍ ଦାୟିତ୍ୱ ନେବାକୁ ବିସିସିଆଇ ଗୌତମ ଗମ୍ଭୀରଙ୍କ ସହ ସମ୍ପର୍କ କରିଛି । ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟରୁ ଏନେଇ ସୂଚନା ମିଳିଛି ।

କୁହାଯାଉଛି, ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ପୂର୍ବତନ ବିଶ୍ୱକପ୍ ବିଜୟୀ ଖେଳାଳି ଗୌତମ ଗମ୍ଭୀରଙ୍କ କାନ୍ଧରେ ଟିମ୍ ଇଣ୍ଡିଆର ଭାର ଦେବାକୁ ଇଚ୍ଛୁକ ଅଛି । କାହିଁକି ନା, ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଆସନ୍ତା ଟି-୨୦ ବିଶ୍ୱକପ୍ ପରେ ଶେଷ ହେବାକୁ ଯାଉଛି । ଆଉ ଦ୍ରାବିଡ୍ ମଧ୍ୟ ଦଳର କୋଚ୍ ପଦରେ ରହିବାକୁ ଅମଙ୍ଗ ଅଛନ୍ତି । ତେଣୁ ବିଶ୍ୱକପ୍ ପରେ ଦଳକୁ ନୂଆ କୋଚ୍ ମିଳିବା ଏକ ପ୍ରକାର ଥୟ । ତେଣୁ ଏହି ଦାୟିତ୍ୱ ଗମ୍ଭୀରଙ୍କୁ ଦେବାକୁ ଇଚ୍ଛୁକ ଅଛି ବିସିସିଆଇ ।

୪୨ ବର୍ଷୀୟ ଗୌତମ ଗମ୍ଭୀର ବର୍ତ୍ତମାନ କେକେଆର ଟିମର ମେଣ୍ଟର ଅଛନ୍ତି । ଆଉ ତାଙ୍କ ତତ୍ତ୍ୱାବଧାନରେ ଦଳ ଏଥର ଆଇପିଏଲ୍ ପ୍ଲେ ଅଫ୍ ପକ୍କା କରିବା ସହିତ ଜବରଦସ୍ତ ଫର୍ମରେ ଅଛି । ଏମିତି କି ଦୀର୍ଘ ବର୍ଷ ଧରି ଆଇପିଏଲ୍ ପ୍ଲେ ଅଫ୍ ଦେଖିନଥିବା କେକେଆର୍ ପ୍ରଥମ ଦଳ ଭାବେ ଏଥର ପ୍ଲେ ଅଫରେ ଏଣ୍ଟ୍ରି ମାରିଛି । ଆଉ ଏହା ପଛରେ ଗମ୍ଭୀରଙ୍କ ରଣନୀତି ଥିବା କୁହାଯାଉଛି । ତେଣୁ ଏହାକୁ ଲକ୍ଷ୍ୟ କରି ବିସିସିଆଇ ଗମ୍ଭୀରଙ୍କୁ ଟିମ୍ ଇଣ୍ଡିଆ ଭାର ଦେବାକୁ ଲକ୍ଷ୍ୟ ରଖିଛି ବୋଲି ରିପୋର୍ଟ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ ଯେ, ଟିମ୍ ଇଣ୍ଡିଆ ହେଡ୍ କୋଚ୍ ପାଇଁ ଆବେଦନ କରିବାର ଶେଷ ତାରିଖ ରହିଛି ମେ ୨୭ ତାରିଖ । ଏହା ପୂର୍ବରୁ ଟିମ୍ ଇଣ୍ଡିଆ ହେଡ୍ କୋଚ୍ ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ । ରାହୁଲ ଦ୍ରାବିଡଙ୍କ ପରେ ଜୁଲାଇ ୨୦୨୪ରୁ ୨୦୨୭ ଡିସେମ୍ବର ମାସ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ ଏହି ନୂଆ କୋଚ୍ ।

ସମ୍ବନ୍ଧିତ ଖବର