ନୂଆଦିଲ୍ଲୀ: ଗତ ବର୍ଷ ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଜାଭେଲିନ୍ ଥ୍ରୋରେ ଆଥଲେଟ୍ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିଥିଲେ। ଅଲିମ୍ପିକ୍ସ ଶେଷ ହେବା ପରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃତି ଖେଳାଳିମାନଙ୍କୁ ଭେଟିଥିଲେ, ସେତେବେଳେ ନୀରଜ ଚୋପ୍ରା ମୋଦୀଙ୍କୁ ଏକ ଜାଭଲିନ୍ ଉପହାର ଦେଇଥିଲେ ।
ବିଶେଷ କଥା ହେଉଛି, ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଉପହାର ସବୁର ନିଲାମ୍ କରାଯାଇ ଅର୍ଥ ସଂଗ୍ରହ ହୋଇଥାଏ। ନୀରଜ ଚୋପ୍ରାଙ୍କ ଏହି ଜାଭଲିନ୍ ଭାରତୀୟ କ୍ରିକେଟ୍ କଂଟ୍ରୋଲ୍ ବୋର୍ଡ (ବିସିସିଆଇ) ଦେଢ଼ କୋଟି ଟଙ୍କାରେ କିଣିଥିଲା । ବୋର୍ଡର ଜନୈକ ଅଧିକାରୀ କହିଛନ୍ତି ଯେ, 'ବିସିସିଆଇ ନୀରଜଙ୍କ ଜାଭଲିନ୍ ନିଲାମୀ ସମୟରେ ଦେଢ଼କୋଟିରେ ଏହାକୁ କ୍ରୟ କରିଥିଲା । ଏହାବ୍ୟତୀତ ଅନ୍ୟ କିଛି ସାମଗ୍ରୀ ଉପରେ ମଧ୍ୟ ନିଲାମ ଲଗାଯାଇଥିଲା । କରୋନା ମହାମାରୀ ସମୟରେ ମଧ୍ୟ 'ପିଏମ କେୟାର ଫଣ୍ଡ'କୁ ୫୧ କୋଟି ଟଙ୍କା ଦାନ କରିଥିଲା ବିସିସିଆଇ।
ଚୋପ୍ରାଙ୍କ ଜାଭଲିନ୍ ବ୍ୟତୀତ ବୋର୍ଡ ଭାରତୀୟ ପାରାଅଲିମ୍ପିକ୍ସ ଦଳର ସ୍ବାକ୍ଷର ଥିବା ଚାଦରକୁ ୧ କୋଟିରେ କିଣିଛି । ଇ-ନିଲାମରେ ଚୋପ୍ରାଙ୍କ ଜାଭଲିନ୍ ସବୁଠାରୁ ମହଙ୍ଗାରେ ବିକ୍ରି ହୋଇଥିବାବେଳେ ଭବାନୀ ଦେବୀଙ୍କ ଖଣ୍ଡା ୧.୨୫ କୋଟିରେ ଏବଂ ପାରାଲିମ୍ପିକ୍ସ୍ ସ୍ୱର୍ଣ୍ଣପଦକ ବିଜୟୀ ସୁମିତ ଅତିଲଙ୍କ ଦ୍ୱାରା ବ୍ୟବହୃତ ଅନ୍ୟ ଏକ ଜାଭଲିନ୍କୁ ୧ କୋଟି ୨୦ ହଜାର ଟଙ୍କାରେ ବିକ୍ରି କରାଯାଇଥିଲା । ଟୋକିଓ ପାରାଲିମ୍ପିକ୍ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ବିଜୟୀ କୃଷ୍ଣା ନାଗରଙ୍କ ସ୍ୱାକ୍ଷର ଥିବା ବ୍ୟାଡମିଣ୍ଟନ୍ ରାକେଟ୍ ସର୍ବାଧିକ ୮୦.୧୫ ଲକ୍ଷରେ ନିଲାମ ଧରିବାକୁ ଆଗ୍ରହ ପ୍ରକାଶ କରିଥିଲା ବିସିସିଆଇ ।
ଏହି ନିଲାମ ସେପ୍ଟେମ୍ବର-ଅକ୍ଟୋବର ୨୦୨୧ରେ ହୋଇଥିଲା । ସେହି ସମୟରେ ଜାଭଲିନ୍ ସମେତ ଅନେକ ସାମଗ୍ରୀର ଇ-ନିଲାମ କରାଯାଇଥିଲା, ଯେଉଁଥିରୁ ସବୁ ଟଙ୍କା 'ନାମାମି ଗଙ୍ଗେ କାର୍ଯ୍ୟକ୍ରମ'କୁ ଯାଇଥିଲା । ଇ-ନିଲାମରେ ୧୩୪୮ଟି ସ୍ମାରକୀ ବିକ୍ରି ହୋଇଥିଲା।