ବିସିସିଆଇ-ସିଓଏ ଶୁଣାଣି ଜୁଲାଇ ୪କୁ ଘୁଞ୍ଚିଲା

ନୂଆଦିଲ୍ଲୀ: ଲୋଧା ସମିତି ସୁପାରିସ୍‌ ଲାଗୁ ସମ୍ପର୍କରେ ଉଚ୍ଚତମ ନ୍ୟାୟାଳୟ ଶୁକ୍ରବାର ତାଙ୍କ ଚୂଡାନ୍ତ ଶୁଣାଣି କରିବାର ଥିଲେ ମଧ୍ୟ ଏହାକୁ ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କୁ ନେଇ ଗଠିତ ଏକ ୩ ଜଣିଆ ଖଣ୍ଡପୀଠ ଏହି ସ୍ଥଗିତାଦେଶ ଦେଇଛନ୍ତି। ସେହିଭଳି ବିସିସିଆଇ ଏବଂ ପ୍ରଶାସିନିକ ସମିତି (ସିଓଏ) ମଧ୍ୟରେ ଲାଗି ରହିଥିବା ଲମ୍ବା ଲଢ଼େଇର ସମାଧାନ ମଧ୍ୟ ସମ୍ଭବ ହୋଇପାରିନାହିଁ। ମୁଖ୍ୟ ବିଚାରପତି ମେ ୧୫ ତାରିଖରେ ଶୁଣାଣି ପାଇଁ ପ୍ରସ୍ତୁତ ଥିଲେ ମଧ୍ୟ ନ୍ୟାୟମିତ୍ର ଗୋପାଳ ସୁବ୍ରମଣ୍ୟମ ଛୁଟିରେ ଯିବା କାରଣରୁ ଏହାକୁ ଜୁଲାଇ ୪କୁ ଘୁଞ୍ଚାଇ ଦିଆଯାଇଛି। ଉଚ୍ଚତ୍ତମ ନ୍ୟାୟାଳୟ ଶୁକ୍ରବାର ଅନ୍ୟ ପ୍ରସଙ୍ଗ ଗୁଡ଼ିକ ସହ ‘ଗୋଟିଏ ରାଜ୍ୟ ଗୋଟିଏ ଭୋଟ୍‌’ ସମ୍ପର୍କରେ ରାୟ ଶୁଣାଇ ଥାଆନ୍ତେ। ଗୋଟିଏ ରାଜ୍ୟ ଗୋଟିଏ ଭୋଟ୍‌ ନୀତିରେ ଅଦ୍ୟାବଧି ମାତ୍ର ବିସିସିଆଇର ୩୭ ୟୁନିଟ୍‌ ମଧ୍ୟରୁ ୧୨ ରାଜ୍ୟ ରାଜି ହୋଇଛନ୍ତି। ଯେଉଁ କିଛି ୟୁନିଟ୍‌ ଐତିହାସିକ ଭୂମିକା ତୁଲାଇଛନ୍ତି ସେମାନଙ୍କୁ ଛାଡ଼ିହେବ ନାହିଁ ବୋଲି ବିସିସିଆଇ ଯୁକ୍ତି ବାଢ଼ୁଛି। କର୍ମକର୍ତାଙ୍କ ପାଇଁ ଧାର୍ଯ୍ୟ ୩ ବର୍ଷିଆ ଶୀତଳିକରଣ, ପେସାଦାର ଓ ନିର୍ବାଚିତ କର୍ମକର୍ତାଙ୍କ ମଧ୍ୟରେ କ୍ଷମତା ବଣ୍ଟନ, ଗୋଟିଏ ରାଜ୍ୟ ଗୋଟିଏ ଭୋଟ୍‌ ପ୍ରସଙ୍ଗରେ ଉଚ୍ଚତ୍ତମ ନ୍ୟାୟାଳୟ ପୁନଃବିଚାର କରିବା ସମ୍ଭାବନା ରହିଛି। ଚଳିତ ମାସ ପ୍ରାରମ୍ଭରେ ଉଚ୍ଚତମ ନ୍ୟାୟାଳୟ ଦର୍ଶାଇଥିଲେ ଯେ ବିସିସିଆଇ ସମ୍ବିଧାନ ଚୂଡାନ୍ତ ବେଳେ ଚୟନକର୍ତାଙ୍କ ସଂଖ୍ୟାକୁ ୩ରେ ସୀମିତ କରାଯିବା କଥା ନୁହେଁ ଏବଂ ଚୟନକର୍ତା ହେବା ପାଇଁ ଟେଷ୍ଟ୍‍ ଖେଳାଳି ଯୋଗ୍ୟତାକୁ ବାଧ୍ୟତାମୂୂଳକ କରାଯିବା କଥା ନୁହେଁ। ନ୍ୟାୟାଳୟଙ୍କ ଯୁକ୍ତି ଥିଲା ପଦ୍ମକର ଶିଭଲକର ଏବଂ ରାଜିନ୍ଦର ଗୋଏଲଙ୍କ ଭଳି ଖେଳାଳି ଟେଷ୍ଟ୍‍ ଦଳକୁ ଆସିପାରିନଥିଲେ ମଧ୍ୟ ପ୍ରଚୁର ଅଭିଜ୍ଞତା ରଖିଛନ୍ତି। ସେହିଭଳି କୌଣସି ପ୍ରସଙ୍ଗ ଚୂଡାନ୍ତ ନ ହେବା ପର୍ଯ୍ୟନ୍ତ ରାଜ୍ୟ ସଂଘ ଗୁଡ଼ିକ ନିର୍ବାଚନ କରି ପାରିବେ ନାହିଁ ବୋଲି ମଧ୍ୟ କୁହାଯାଇଥିଲା। ଲୋଧା ସମିତି ସୁପାରିସ୍‌ ଅନୁସାରେ ନୂଆ ସମ୍ବିଧାନକୁ ପ୍ରଣୟନ ନ କରି ଏଜିଏମ୍‌ ଆହୂତ କରାଯାଇପାରିବ କି ନାହଁ ସିଓଏ ମଧ୍ୟ ଉଚ୍ଚତ୍ତମ ନ୍ୟାୟାଳୟଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି।

କୋଚି ବିବାଦ ପାଇଁ ୧୦୦ କୋଟି ଜମା ନିର୍ଦେଶ
ନୂଆଦିଲ୍ଲୀ: କୋଚି କ୍ରିକେଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌କୁ ନ୍ୟାୟିକ ମଧ୍ୟସ୍ଥତା ଖର୍ଚ ବାବଦ ୧୦୦ କୋଟି ପ୍ରଦାନ କରିବାକୁ ଉଚ୍ଚତମ ନ୍ୟାୟାଳୟ ଶୁକ୍ରବାର ମଧ୍ୟ ବିିସିସିଆଇକୁ ନିର୍ଦେଶ ଦେଇଛନ୍ତି। ନିଲମ୍ବିତ ଆଇପିଏଲ୍‌ ଦଳ କୋଚି ଟସ୍କର୍ସକୁ ୮୦୦ କୋଟି ଟଙ୍କା ପ୍ରଦାନ ଲାଗି ପୂର୍ବରୁ ତତ୍‌କାଳୀନ ମୁଖ୍ୟ ବିଚାରପତି ଆର୍‌ସି ଲୋହିତି ଆଦେଶ ଦେଇଥିଲେ। ବିସିସିଆଇ କିନ୍ତୁ ଧାରା ୨୪ ଆବେଦନ ଅନୁସାରେ ମୁମ୍ବାଇ ଉଚ୍ଚ ନ୍ୟାୟାଳୟରେ ଏହା ବିରୋଧରେ ଆବେଦନ କରିଥିଲେ। ମୁମ୍ବାଇ ଉଚ୍ଚ ନ୍ୟାୟାଳୟ ମଧ୍ୟ ଏହି ପାଉଣା ପ୍ରଦାନ ଆଦେଶ ଉପରେ ରହିତାଦେଶ ଦେଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ଏବେ ୧୦୦ କୋଟି ଟଙ୍କାର ସର୍ତ୍ତମୂଳକ ରାଶି ଜମା କରିବାକୁ ବିସିସିଆଇକୁ କହିଛି। ଏଥି ସହିତ ଧାରା ୩୪ ଆବେଦନକୁ ତୁରନ୍ତ ଖଲାସ କରିବାକୁ ଆଦେଶ ମଧ୍ୟ ଦେଇଛନ୍ତି। ସୂଚନାଯୋଗ୍ୟ, କୋଚି ଟସ୍କର୍ସ ଦଳର ମାଲିକ କୋଚି କ୍ରିକେଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ସହିତ ବିସିସିଆଇର ଏହି ପାଉଣା ବିବାଦ ୨୦୧୨ ମସିହାରୁ ଚାଲିଛି। ୨୦୧୧ ମସିହାରେ ବିସିସିଆଇ ନିଜଆଡୁ ଚୁକ୍ତି ବାତିଲ କରିଥିବାରୁ ଆଇନଗତ ଲଢ଼େଇ ଚାଲିଛି।

ସମ୍ବନ୍ଧିତ ଖବର