ମୁମ୍ବାଇ : ଭାରତୀୟ ଦଳର ପୂର୍ବତନ ଦ୍ରୁତ ବୋଲର ଭେଙ୍କଟେଶ ପ୍ରସାଦ ବିସିସିଆଇର ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା ହୋଇପାରନ୍ତି। ପ୍ରସାଦ ୩୩ ଟେଷ୍ଟ୍‌ ଓ ୧୬୧ ଦିନିକିଆ ଖେଳିଥିଲା ବେଳେ ୨୯୦ ଆନ୍ତର୍ଜାତିକ ୱିକେଟ୍‌ ଅକ୍ତିଆର କରିଛନ୍ତି। ତେଣୁ ଯେଉଁମାନେ ବି ଚୟନକର୍ତ୍ତା ପାଇଁ ଅବେଦନ କରିଛନ୍ତି, ସେମାନଙ୍କ ମଧ୍ୟରେ ପ୍ରସାଦ ସବୁଠୁ ଅଭିଜ୍ଞ। ତଥାପି ଚଳିତ ମାସ ଶେଷ ସୁଦ୍ଧା ଚୟନ ସମିତି ସଦସ୍ୟଙ୍କ ନାମ ଘୋଷିତ ହୋଇଯିବ ବୋଲି ବିସିସିଆଇ ସୂତ୍ରରୁ ସୂଚନା ମିଳିଛି। ଏପରିକି ଚୟନ ସମିତିରେ ଜଣେ ଟ୍ବେଣ୍ଟି-୨୦ ଅଭିଜ୍ଞତା ରଖିଥିବା ପୂର୍ବତନ ଖେଳାଳିଙ୍କୁ ସାମିଲ୍‌ କରିବା ପାଇଁ‌ ବୋର୍ଡ ଚିନ୍ତା କରୁଛି। ତେବେ ଆବେଦନକାରୀଙ୍କ ମଧ୍ୟରେ ଯେଉଁମାନଙ୍କ ନାମ ସବୁଠୁ ଆଗରେ ରହିଛି ସେମାନଙ୍କ ମଧ୍ୟରେ ଦକ୍ଷିଣାଞ୍ଚଳରୁ ପ୍ରସାଦ ମୁଖ୍ୟ ପଦ ପାଇଁ ବଡ଼ ଦାବିଦାର ବୋଲି କୁହାଯାଇଛି। ସେହିପରି ପଶ୍ଚିମାଞ୍ଚଳରୁ ସଲିଲ୍‌ ଅଙ୍କୋଲାଙ୍କ ନାମ ଦୀର୍ଘଦିନ ଧରି ଚର୍ଚ୍ଚାରେ ରହିଆସିଛି। କୋଷାଧ୍ୟକ୍ଷ ଆଶିଷ ସେଲର ତଥା ମୁମ୍ବାଇ କ୍ରିକେଟ୍‌ ସଂଘର ତାଙ୍କ ପ୍ରତି ବଡ଼ ସମର୍ଥନ ଥିବାରୁ ‌ପଶ୍ଚିମପଟରୁ ସେ ଚୟନ ସମିତିରେ ପ୍ରବେଶ ପାଇପାରନ୍ତି।

Advertisment

ପୂର୍ବାଞ୍ଚଳରୁ ଓଡ଼ିଆ ଆନ୍ତର୍ଜାତିକ କ୍ରିକେଟର୍‌ ଶିବସୁନ୍ଦର ଦାସ ଅନ୍ୟତମ ବଡ଼ ଦାବିଦାର। ଯଦିଓ ପୂର୍ବାଞ୍ଚଳରୁ ଅଧିକ ଆବେଦନ ଯାଇଛି, ତଥାପି ଟେଷ୍ଟ ଅଭିଜ୍ଞତା ସହିତ ଓଡ଼ିଶାର ଘରୋଇ କ୍ରିକେଟ୍‌ରେ ତାଙ୍କର ଟ୍ବେଣ୍ଟି-୨୦ ଖେଳିବା ଅଭିଜ୍ଞତା ମଧ୍ୟ ରହିଛି। ତେଣୁ ବୋର୍ଡର ଟ୍ବେଣ୍ଟି-୨୦ ‌ଖେଳିଥିବା ସଦସ୍ୟ ଚାହିଦାକୁ ଶିବସୁନ୍ଦର ପୂରଣ କରିପାରିବେ। ଉତ୍ତରାଞ୍ଚଳରୁ ମନିନ୍ଦର ସିଂହ, ଅତୁଲ ୱାସନ, ନିଖିଲ ଚୋପ୍ରାଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ରହିବ। କିନ୍ତୁ କେନ୍ଦ୍ରାଞ୍ଚଳରୁ ନୟନ ମୋଙ୍ଗିଆ ଆଗରେ ରହିଛନ୍ତି। ଆସନ୍ତା ସପ୍ତାହରେ କ୍ରିକେଟ୍ ପରାମର୍ଶଦାତା କମିଟି (ସିଏସି) ଆବେଦନକାରୀଙ୍କ ସାକ୍ଷତକାର ନେବ। ସେଥିରେ ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କୁ ଦ୍ବିତୀୟ ସୁଯୋଗ ମିଳିନପାରେ ବୋଲି ଅନୁମାନ କରାଯାଉଛି।