କାରୋନା ସହାୟତା, ବିସିସିଆଇ ଦେଲା ୫୧ କୋଟି

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀକୁ ରୋକିବା ଲାଗି ବିଶ୍ବର ସର୍ବୋଚ୍ଚ ଆୟକାରୀ କ୍ରୀଡ଼ା ସଂଗଠନ ବିସିସିଆଇ (ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ) ପ୍ରଧାନମନ୍ତ୍ରୀ ନାଗରିକ ସହାୟତା ଓ ଜରୁରୀକାଳୀନ ରିଲିଫ୍‌ ପାଣ୍ଠିକୁ ୫୧ କୋଟି ଟଙ୍କା ପ୍ରଦାନ କରିବ। ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ସମ୍ପାଦକ ଜୟ ସାହ, ଅନ୍ୟ କର୍ମକର୍ତା ଏବଂ ସମସ୍ତ ରାଜ୍ୟ କ୍ରିକେଟ୍ ସଂଘ ଶନିବାର ମିଳିତଭାବେ ଏହି ନିଷ୍ପତ୍ତି ନେଇଛନ୍ତି। ବିସିସିଆଇ ଏବଂ ଅନୁବଂଧିତ ରାଜ୍ୟ ସଂଘ ଏହି ରାଶି ଦେବେ। ମୋଟ ରାଶିକୁ ଭାରତ ସରକାର, ରାଜ୍ୟ ସରକାର ଏବଂ ଅନ୍ୟ ସଂସ୍ଥାକୁ କୋଭିଡ୍‌-୧୯ ପ୍ରତିହତ ଦିଗରେ ବିନିଯୋଗ ଲାଗି ପ୍ରଦାନ କରାଯିବ ବୋଲି ବିସିସିଆଇ ପକ୍ଷରୁ କହାଯାଇଛି।

ସାଂସଦ ପାଣ୍ଠିରୁ ୧ କୋଟି ଦେଲେ ରିଜିଜୁ
କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ଶନିବାର କରୋନା ମହାମାରୀ ବିପକ୍ଷ ଲଢ଼େଇ ପାଇଁ ତାଙ୍କ ସାଂସଦ ପାଣ୍ଠିରୁ ୧ କୋଟି ଟଙ୍କା ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍‌ ପାଣ୍ଠିକୁ ଦାନ କରିଛନ୍ତି। ସମସ୍ତ ବିଜେତି ସାଂସଦଙ୍କୁ ସେମାନଙ୍କ ସାଂସଦ ପାଣ୍ଠିରୁ ୧ କୋଟି ଲେଖାଏଁ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିବା ପରେ ଶନିବାର ମୁଁ ଏହି ଅର୍ଥ ଜମା କରିସାରିଛି ବୋଲି ରିଜିଜୁ କହିଛନ୍ତି। ଏହା ପୂର୍ବରୁ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଶୁକ୍ରବାର ତାଙ୍କ ଏକ ମାସର ଦରମା ଏହି ପାଣ୍ଠିକୁ ଦାନ କରିଥିଲେ।

ରାଇନା ଦେଲେ ୫୨ ଲକ୍ଷ
ଭାରତୀୟ କ୍ରିକେଟର୍‌ ସୁରେଶ ରାଇନା କୋଭିଡ୍‌-୧୯ ମହାମାରୀ ବିରୋଧରେ ଲଢ଼େଇ ପାଇଁ ଅନ୍ୟ ଭାରତୀୟ କ୍ରୀଡ଼ାବିତ୍‌ଙ୍କ ଭଳି ସହାୟତାର ହାତ ବଢ଼ାଇଛନ୍ତି। ଉତ୍ତର ପ୍ରଦେଶର ଏହି ବାମହାତୀ ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍‌ ଶନିବାର ୫୨ ଲକ୍ଷ ଟଙ୍କା ଦାନ କରିଛନ୍ତି। ସେମଧ୍ୟରୁ ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୩୧ ଲକ୍ଷ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଅବଶିଷ୍ଟ ୨୧ ଲକ୍ଷ ଟଙ୍କା ଦାନ କରିଛନ୍ତି। କରୋନା ମହାମାରୀକୁ ପରାସ୍ତ କରିବାକୁ ଯେତେବେଳେ ସାରା ଦେଶ ଲଢ଼ୁଛି ସେତେବେଳେ ଆମମାନଙ୍କ ପାଇଁ ସହାୟତାର ହାତ ବଢ଼ାଇବାର ସମୟ ଏବେ ରହିଛି। ସେହି ଦୃଷ୍ଟିରୁ ମୁଁ ଯଥାସାଧ୍ୟ ୫୨ ଲକ୍ଷ ଟଙ୍କା ଦାନ କଲି ବୋଲି ନିଜ ଟ୍ବିଟର ଆକାଉଣ୍ଟରେ ରାଇନା ଲେଖିଛନ୍ତି। ରାଇନାଙ୍କ ପୂର୍ବରୁ ଅନ୍ୟ କ୍ରୀଡ଼ାବିତ୍‌ ଭାବେ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ୫୦ ଲକ୍ଷ, ପିଭି ସିନ୍ଧୁ ୧୦ ଲକ୍ଷ, ବିସିସିଆଇ ସଭାପତି ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ୫୦ ଲକ୍ଷ, କୁସ୍ତିଯୋଦ୍ଧା ବଜରଙ୍ଗ ପୂନିଆ ୬ ମାସର ଦରମା, ଧାବିକା ହିମା ଦାସ ଏକ ମାସର ଦରମା, ମୁମ୍ବାଇ ଓ ସୌରାଷ୍ଟ୍ର କ୍ରିକେଟ୍‌ ସଂଘ ଯଥାକ୍ରମେ ୫୦ ଓ ୪୨ ଲକ୍ଷ ଲେଖାଏଁ ଟଙ୍କା ଦାନ କରିସାରିଛନ୍ତି।

ମୋହନ ବାଗାନ୍‌ ଦାନ କଲା ୨୦ ଲକ୍ଷ
ଅଗ୍ରଣୀ ଫୁଟ୍‌ବଲ୍‌ କ୍ଲବ୍‌ ମୋହନ ବାଗାନ୍‌ କରୋନା ମହାମାରୀ ଲଢ଼େଇ ପାଇଁ ସହାୟତାର ହାତ ବଢ଼ାଇଛି। ପଶ୍ଚିମବଙ୍ଗ ରାଜ୍ୟ ଆପାତକାଳୀନ ରିଲିଫ୍‌ ପାଣ୍ଠିକୁ ଏହି କ୍ଲବ୍‌ ଶନିବାର ୨୦ ଲକ୍ଷ ଟଙ୍କା ଦାନ କରିଥିବା ଘୋଷଣା କରିଛି। ଏହି ସହାୟତା ରାଶି ବିଶେଷକରି କରୋନା ସହ ଲଢ଼ୁଥିବା ସ୍ବାସ୍ଥ୍ୟ କର୍ମୀ ଓ ହସ୍ପିଟାଲ କର୍ମଚାରୀଙ୍କ ସହାୟତାରେ ଲାଗିପାରିବ ବୋଲି କ୍ଲବ୍‌ର ସଂପାଦକ ଶ୍ରୀଞ୍ଜୟ ବୋଷ କହିଛନ୍ତି। ଆମର ଏଭଳି ଅବଦାନ କେବଳ ଆରମ୍ଭ ମାତ୍ର। ଆମେ ଆଶା କରୁ, ଏଭଳି ସଂକଟଜନକ ସ୍ଥିତିରେ ଅନ୍ୟମାନେ ମଧ୍ୟ ସହାୟତାର ହାତ ବଢ଼ାଇବାକୁ ଆଗେଇ ଆସନ୍ତୁ ବୋଲି କ୍ଲବ୍‌ର ବିତ୍ତ ସଂପାଦକ ଦେବାଶିଷ ଦତ୍ତ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର