ବିସିସିଆଇ ନିର୍ବାଚନ, ଏଜିଏମ୍‌ରୁ ୮ ସଂଘ ଅଯୋଗ୍ୟ

ମୁମ୍ବାଇ: ବିସିସିଆଇ ନିର୍ବାଚନ ଅକ୍ଟୋବର ୨୩ ତାରିଖକୁ ଧାର୍ଯ୍ୟ ହୋଇଥିବା ବେଳେ ଏଥି ଲାଗି ୮ଟି କ୍ରିକେଟ୍‌ ସଂଘ ଅଯୋଗ୍ୟ ବିବେଚିତ ହୋଇଛନ୍ତି। ବିସିସିଆଇ ନିର୍ବାଚନ ଅଧିକାରୀ ଏନ ଗୋପାଳସ୍ବାମୀ ଗୁରୁବାର ଏହା ସ୍ପଷ୍ଟ କରିଛନ୍ତି। ୮ ସଂଘ ମଧ୍ୟରେ ୫ ରାଜ୍ୟ ସଂଘ ଏବଂ ୩ଟି ସରକାରୀ ସଂସ୍ଥା ସାମିଲ ଅଛନ୍ତି। ୫ ରାଜ୍ୟ ସଂଘ ହେଲେ ହରିଆଣା, ତାମିଲନାଡୁ, ମହାରାଷ୍ଟ୍ର, ମଣିପୁର, ଉତ୍ତରପ୍ରଦେଶ। ସେହିଭଳି ଭାରତୀୟ ରେଳବାଇ, ବିଶ୍ବବିଦ୍ୟାଳୟ ସଂଘ ଏବଂ ସର୍ଭିସେସ୍ ସରକାରୀ ସଂସ୍ଥା ଭାବେ ରହିଛନ୍ତି। ଏହି ୮ ସଂଘ/ଅନୁଷ୍ଠାନର ପ୍ରତିନିଧି ‌ଅକ୍ଟୋବର ୨୩ ତାରିଖ ବିସିସିଆଇ ଏଜିଏମ୍ କିମ୍ବା ନିର୍ବାଚନରେ ଅଂଶଗ୍ରହଣ କରିପାରିବେ ନାହିଁ। ଫଳରେ ଚିଠା ପ୍ରସ୍ତାବରେ ଥିବା ୩୮ ସଂଖ୍ୟା ଏବେ ୩୦କୁ ଖସି ଆସିଛି। ଏଜିଏମ୍ ପାଇଁ ମନୋନୀତ ସଦସ୍ୟଙ୍କ ବିରୋଧରେ ଶତାଧିକ ଅଭିଯୋଗ ବିସିସିଆଇ ନିକଟରେ ପହଞ୍ଚିଛି। ନିର୍ବାଚନରେ ଅବତୀର୍ଣ୍ଣ ସମ୍ଭାବନା ରଖିଥିବା ରାଜୀବ ଶୁକ୍ଳା ମଧ୍ୟ କଟିଛନ୍ତି।

ପୂର୍ବରୁ ଉଚ୍ଚତ୍ତମ ନ୍ୟାୟାଳୟଙ୍କ ଦ୍ବାରା ନିଯୁକ୍ତ ପ୍ରଶାସକଙ୍କ ସମିତି (ସିଓଏ) ତାମିଲନାଡୁ, ହରିଆଣା, ମହାରାଷ୍ଟ୍ର କ୍ରିକେଟ୍ ସଂଘକୁ ଅଯୋଗ୍ୟ ଘୋଷଣା କରିଥିଲେ। ଅବଶିଷ୍ଟ ଅଯୋଗ୍ୟ ଗୁଡିକୁ ନିର୍ବାଚନ ଅଧିକାରୀ କରିଛନ୍ତି। ବିସିସିଆଇର ନୂଆ ସମ୍ବିଧାନକୁ ଏମାନେ ଅବଜ୍ଞା କରିଛନ୍ତି। ଏହି ସଂଘଗୁଡିକ କୌଣସି ଭାବେ କ୍ରିକେଟ୍‌ ପ୍ରଶାସନ କିମ୍ବା ବିସିସିଆଇ ପରିଚାଳନାରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ସିଓଏ ନିଜ ଇମେଲ୍‌ରେ ସମ୍ପୃକ୍ତ ରାଜ୍ୟ ସଂଘ ଗୁଡିକୁ ଜଣାଇ ଦେଇଛି। ବିସିସିଆଇର ନୂଆ ସମ୍ବିଧାନକୁ ସ୍ବୀକାର କରିବାରେ ଏମାନଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ନୁହେଁ ବୋଲି ସିଓଏ ସ୍ପଷ୍ଟ କରିଛନ୍ତି। କିନ୍ତୁ ଏଭଳି ନିଷ୍ପତ୍ତିର ପ୍ରତିବାଦ କରି ହରିଆନା ଓ ତାମିଲନାଡୁ କ୍ରିକେଟ୍‌ ସଂଘ ଉଚ୍ଚତ୍ତମ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହେବ ବୋଲି ଧମକ ଦେଇଛି।

ସମ୍ବନ୍ଧିତ ଖବର