ବିସିସିଆଇ ନିର୍ବାଚନ ୨୩କୁ ଘୁଞ୍ଚିଲା

ମୁମ୍ବାଇ: ବହୁ ପ୍ରତୀକ୍ଷିତ ବିସିସିଆଇ ନିର୍ବାଚନକୁ ଗୋଟିଏ ଦିନ ଘୁଞ୍ଚାଇ ଦିଆଯାଇଛି। ସେହିଭଳି ରାଜ୍ୟ ସଂଘ ନିର୍ବାଚନର ଶେଷ ତାରିଖ ଗୋଟିଏ ସପ୍ତାହ ବଢ଼ିଛି। ରାଜ୍ୟସଂଘ ନିର୍ବାଚନ ଅକ୍ଟୋବର ୪ ତାରିଖ ମଧ୍ୟରେ ଶେଷ କରିବାକୁ ବିଭିନ୍ନ ଅନୁବନ୍ଧିତ ସଂଘକୁ ସିଓଏ ନିର୍ଦେଶ ଦେଇଛି। ବିସିସିଆଇ ନିର୍ବାଚନ ପୂର୍ବରୁ ଅକ୍ଟୋବର ୨୨ରେ ହେବାର ଥିଲା। ଏବେ ଏହା‌ ଅକ୍ଟୋବର ୨୩ରେ ହେବ ବୋଲି ସିଓଏ (ପ୍ରଶାସନିକ ସମିତି) ମୁଖ୍ୟ ବିନୋଦ ରାଏ କହିଛନ୍ତି। ହରିଆଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଏଭଳି ପରିବର୍ତନ କରାଯାଇଛି। ହରିଆଣା ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅକ୍ଟୋବର ୨୧ ତାରିଖରେ ହେବାର ଅଛି। ଏହି ଦୁଇ ରାଜ୍ୟ ସଂଘର ସଦସ୍ୟମାନେ ଭୋଟ ଦେବାରେ ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ବିସିସିଆଇ ନିର୍ବାଚନକୁ ୨୩କୁ ଗଡ଼ାଇ ଦିଆଯାଇଛି। ସଂପ୍ରତି ଚର୍ଚାରେ ଥିବା ଅନ୍ୟ ସମସ୍ତ ଖବରରେ କୌଣସି ସତ୍ୟତା ନଥିବା ଶ୍ରୀ ରାଏ ମଙ୍ଗଳବାର ସ୍ପଷ୍ଟ କରି ଦେଇଛନ୍ତି। ତାମିଲନାଡ଼ୁ କ୍ରିକେଟ୍ ସଂଘ ନିର୍ବାଚନକୁ ଉଚ୍ଚତମ ନ୍ୟାୟାଳୟ ଅନୁମତି ପ୍ରଦାନ କରିଥିବାରୁ ଶ୍ରୀ ରାଏ ଖୁସି ଜାହିର କରିଛନ୍ତି। ଏହି ବିଷୟରେ ନିଜ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ ଆଜି ଏଥିନେଇ ଦାୟର କରାଯାଇଥିବା ପିଟିସନର ଶୁଣାଣି ହୋଇଥିଲା। ବିସିସିଆଇ ଓକିଲ ସେଠାରେ ଥିଲେ, ତାମିଲନାଡ଼ୁ କ୍ରିକେଟ୍ ସଂଘ ଓକିଲ ଏବଂ ଆମିକସ୍ କ୍ୟୁରି ପିଏସ୍ ନରସିଂମା ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ଉଚ୍ଚତମ ନ୍ୟାୟାଳୟଙ୍କ ରାୟରେ ମୁଁ ବହୁତ ଖୁସି। କିଛି ରାଜ୍ୟସଂଘ ଉଚ୍ଚତମ ନ୍ୟାୟାଳୟଙ୍କ ରାୟକୁ ଭୁଲ ଭାବେ ଚିତ୍ରଣ କରୁଥିଲେ। ୭୦ ବର୍ଷ ଏବଂ ପ୍ରବାସୀ ଭାରତୀୟ ନିୟମ ପୂର୍ବବତ୍ ବଳବତ୍ତର ରହିଛି। ୩୮ ରାଜ୍ୟ ସଂଘ ମଧ୍ୟରୁ ସିଓଏର ମଞ୍ଜୁରି ପରେ ୨୪ ସଂଘ ନିଜ ନୂ୍ଆ ସମ୍ବିଧାନର ପଞ୍ଜୀକରଣ କରି ନେଇଛନ୍ତି। ରେଳବାଇ, ସର୍ଭିସେସ୍ ଏବଂ ବିଶ୍ବବିଦ୍ୟାଳୟ ସଂଘ ନିଜ ନିଜ ପ୍ରତିନିଧିଙ୍କୁ ପଠାଇବେ। ଦୁଇଟି ରାଜ୍ୟ ସଂଘ ସିଓଏ ସହ ଆଲୋଚନା ଜାରି ରଖିଛନ୍ତି। ଖୁବଶୀଘ୍ର ସେମାନେ ଲୋଧା ସମିତି ସୁପାରିସକୁ ଲାଗୁ କରିବେ ବୋଲି ଶ୍ରୀ ରାଏ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର