ବିସିସିଆଇକୁ ଆଇନ ଆୟୋଗ ଝଟ୍‌କା

ଆର୍‌ଟିଆଇ ପରିସରକୁ ଆଣିବାକୁ ସୁପାରିସ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ ବା ବିସିସିଆଇ ଦୀର୍ଘ ଦିନରୁ ନିଜକୁ ଏକ ସ୍ୱୟଂଶାସିତ ଏବଂ ଘରୋଇ ସଂସ୍ଥା ଭାବେ ଦାବି କରି ଆସୁଛି। କେନ୍ଦ୍ରୀୟ ଅନୁଦାନ ନେଉନଥିବାରୁ ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ପରିସରଭୁକ୍ତ ହେବାକୁ ମଧ୍ୟ ବିଶ୍ୱର ଏହି ସବୁଠାରୁ ଧନୀ କ୍ରିକେଟ୍‌ ବୋର୍ଡ ଲଗାତାର ମନା କରିଆସୁଛି। ହେଲେ ବିସିସିଆଇର ଏହି ଏକଚାଟିଆ ଓ ମନୋମୁଖୀ ବ୍ୟାପାର ଆଉ ମାତ୍ର କିଛି ଦିନ ପରେ ଶେଷ ହୋଇଯିବ। କାରଣ ତାକୁ ସୂଚନା ଅଧିକାର ଆଇନ ପରିସରକୁ ଆଣିବା ଲାଗି ଦୀର୍ଘ ଦିନ ହେବ ଚାଲିଥିବା ପ୍ରୟାସକୁ ଆଇନ ଆୟୋଗ (ଲ’ କମିସନ)ଙ୍କ ସମର୍ଥନ ମିଳି ଯାଇଛି। ଦେଶର କ୍ରିକେଟ୍‌ ସଂଘଗୁଡ଼ିକରେ ସ୍ୱଚ୍ଛତା ଆଣିବା ଲାଗି ବିସିସିଆଇ ଭଳି ଧନୀ ଏବଂ ପ୍ରଭାବଶାଳୀ କ୍ରୀଡ଼ା ସଂଗଠନକୁ ସୂଚନା ଅଧିକାର ଆଇନ ଅଧୀନକୁ ଆଣିବାକୁ ଆଇନ ଆୟୋଗ ବୁଧବାର କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛି। ସେହିଭଳି ବିସିସିଆଇର ଘରୋଇ ସଂସ୍ଥା ଦାବିକୁ ମଧ୍ୟ ଆୟୋଗ ଗ୍ରହଣ କରିନାହାନ୍ତି। ଏହାଛଡ଼ା ଦେଶରେ କ୍ରିକେଟ୍‌ ପରିଚାଳନାରେ ପାରଦର୍ଶିତା ଆଣିବା ଲାଗି ଆଇନ ଆୟୋଗ ଆଜି ଆହୁରି ଅନେକ ସ୍ୱାଗତଯୋଗ୍ୟ ପରାମର୍ଶ ମଧ୍ୟ ଆଇନମନ୍ତ୍ରୀଙ୍କୁ ଦେଇଛି। ବିସିସିଆଇକୁ ଏକ ଘରୋଇ ସଂସ୍ଥା ପରିବର୍ତେ ଜାତୀୟ କ୍ରୀଡ଼ା ମହାସଂଘ ଭାବେ ଦେଖିବାକୁ ଆୟୋଗ କେନ୍ଦ୍ର ସରକାରଙ୍କୁ ଆହ୍ଵାନ କରିଛି।

ବିସିସିଆଇର କାର୍ଯ୍ୟପ୍ରଣାଳୀରେ ପାରଦର୍ଶିତା ଆଣିବା ଲାଗି ଆଇନ ଆୟୋଗ ବୁଧବାର କେତେକ ବଡ଼ ପରିବର୍ତନର ପରାମର୍ଶ ଦେଇଛି। ଉଚ୍ଚତମ ନ୍ୟାୟାଳୟର ପୂର୍ବତନ ବିଚାରପତି ବିଏସ୍‌ ଚୌହ୍ଵାନଙ୍କ ଅଧ୍ୟକ୍ଷତାରେ ଗଠିତ ଆଇନ ଆୟୋଗ ଏହି ପରାମର୍ଶ କେନ୍ଦ୍ର ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ପାଖକୁ ପଠାଇ ଦେଇଛି। ଆଇପିଏଲରେ ସ୍ପଟ୍‌ ଫିକ୍ସିଂ ହେଉଥିବାର ଅଭିଯୋଗ ଆସିବା ପରେ କ୍ରିକେଟ୍‌କୁ ଦୁର୍ନୀତି ମୁକ୍ତ କରିବା ଲାଗି ପ୍ରୟାସ ଜାରି ରହିଛି। ହେଲେ ନିଜକୁ ଏକ ଘରୋଇ ସଂସ୍ଥା ବୋଲି ଦାବି କରି ବିସିସିଆଇ ଆର୍‌ଟିଆଇ ପରିସରଭୁକ୍ତ ହେବାକୁ ମନା କରି ଆସୁଛି। କେବଳ ବିସିସିଆଇ ନୁହେଁ ଏହାର ସମସ୍ତ ସ୍ୱୀକୃତିପ୍ରାପ୍ତ କ୍ରୀଡ଼ା ସଂଗଠନକୁ ମଧ୍ୟ ଆର୍‌ଟିଆଇ ଅଧୀନକୁ ଆଣିବାକୁ ଆୟୋଗ ସୁପାରିସ କରିଥିବା ଜଣାପଡ଼ିଛି। ବିସିସିଆଇକୁ ଏକ ଘରୋଇ ସଂସ୍ଥା ପରିବର୍ତେ ସାର୍ବଜନୀନ ସଂସ୍ଥା ଭାବେ ବିବେଚନା କରିବାକୁ ଆୟୋଗ କହିଛି। ବିସିସିଆଇ ସଂପ୍ରତି ତାମିଲନାଡୁ ସମବାୟ ଆଇନ ଅଧୀନରେ ପଞ୍ଜିକୃତ ହୋଇଛି। ହେଲେ ଆଇନ ଆୟୋଗର ସୁପାରିସକୁ କେନ୍ଦ୍ର ସରକାର ଗ୍ରହଣ କଲେ ଏହା ଏକ ସାର୍ବଜନୀନ ସଂସ୍ଥା ଭାବେ ପରିଗଣିତ ହେବ। ସୂଚନାଯୋଗ୍ୟ ଯେ ୨୦୧୬ରେ ଉଚ୍ଚତମ ନ୍ୟାୟାଳୟ ବିସିସିଆଇକୁ ଆର୍‌ଟିଆଇ ପରିସରକୁ ଆଣିବା ପାଇଁ ଆଇନଗତ ଦିଗର ତର୍ଜମା କରିବା ଲାଗି ଆଇନ ଆୟୋଗଙ୍କୁ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର