ଦୁବାଇ: ଏସିଆ କପ୍ର ହାଇଭୋଲ୍ଟେଜ୍ ସୁପର-୪ ମ୍ୟାଚ୍ ଅବସରରେ ଦୁଇ ପାକିସ୍ତାନୀ କ୍ରିକେଟର୍ ସାହିବଜାଦା ଫରହାନ ଓ ହାରିସ୍ ରୌଫ କରିଥିବା ଅଶାଳୀନ ଇଙ୍ଗିତ ବିରୋଧରେ ବିସିସିଆଇ ଆନୁଷ୍ଠାନିକ ଅଭିଯୋଗ କରିଛି। ଆଇସିସି ନିକଟରେ କରିଥିବା ଲିଖିତ ଅଭିଯୋଗରେ ଉଭୟଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦୃଢ଼ ଦାବି ଉପସ୍ଥାପନ କରିଛି। ଫଳରେ ପୁଣି ଥରେ ବିସିସିଆଇ ଓ ପିସିବି ମୁହାଁମୁହିଁ ହେବାର ଆଶଙ୍କା ସୃଷ୍ଟି ହୋଇଛି।
ଗତ ରବିବାର ଖେଳାଯାଇଥିବା ଭାରତ ବିପକ୍ଷ ଏହି ସୁପର-୪ ମ୍ୟାଚ୍ ଅବସରରେ ଫରହାନ ଅର୍ଦ୍ଧଶତକ ପୂରଣ କରିବା ପରେ ଏକ-୪୭ ବନ୍ଧୁକରୁ ଗୁଳିବର୍ଷଣ ଭଙ୍ଗୀରେ ଉତ୍ସବ ପାଳନ କରିଥିଲେ। ସେହିଭଳି ସୀମାରେଖା ପାଖରେ କ୍ଷେତ୍ରରକ୍ଷଣ କରୁଥିଲା ବେଳେ ରୌଫ ଭାରତର ରାଫେଲ ଜାହାଜ ମାରି ଖସାଇବା ଭଳି ଅଙ୍ଗଭଙ୍ଗୀ କରି ଭାରତୀୟ ପ୍ରଶଂସକଙ୍କୁ କଟାକ୍ଷ କରିଥିଲେ। ଦୁଇ ଭାରତୀୟ ଓପନର୍ ଅଭିଷେକ ଶର୍ମା ଓ ଶୁବମନ୍ ଗିଲ୍ ବ୍ୟାଟିଂ କରୁଥିଲା ବେଳେ ମଧ୍ୟ ପାକିସ୍ତାନ ଖେଳାଳି ସେମାନଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିଥିଲେ। ରୌଫ ୱିକେଟ୍ ନେଲାବେଳେ ବି ଏଭଳି ବିବାଦୀୟ ଉତ୍ସବ ପାଳନ କରିଥିଲେ। ପୁଣି ମ୍ୟାଚ୍ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ଫରହାନ୍ ନିଜ ଉତ୍ସବ ପାଳନକୁ ଠିକ୍ ବୋଲି ପ୍ରମାଣିତ କରିବାକୁ ଯାଇ ଯିଏ ଯାହା ଭାବୁ ମୋର କିଛି ଯାଏ ଆସେ ନାହିଁ ବୋଲି କହିଥିଲେ। ସେହିଭଳି ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୨୬ଜଣ ନିରୀହ ଭାରତୀୟ ପର୍ଯ୍ୟଟକଙ୍କୁ ଆତଙ୍କବାଦୀମାନେ ଗୁଳିମାରି ହତ୍ୟା କରିବା ଏବଂ ପରେ ଭାରତର ଅପରେସନ୍ ସିନ୍ଦୂରକୁ ଆଧାର କରି ଉଭୟ ପଡ଼ିଆ ଭିତରୁ ରାଜନୈତିକ ସନ୍ଦେଶ ଦେଇଥିବା ସ୍ପଷ୍ଟ ଜଣାପଡ଼ୁଥିଲା। ଏସବୁକୁ ଆଖି ଆଗରେ ରଖି ବିସିସିଆଇ ଗତ ବୁଧବାର ଇ-ମେଲ୍ ଯୋଗେ ଆଇସିସିକୁ ଅଭିଯୋଗ ଫର୍ଦ୍ଦ ପଠାଇଥିବା ଜଣାପଡ଼ିଛି। ଉଭୟ ଆଇସିସି ଆଚରଣ ସଂହିତ ଉଲ୍ଲଂଘନ କରିଥିବା ବିସିସିଆଇ ଏଥିରେ ଅଭିଯୋଗ କରିଛି। ଆଇସିସି ମଧ୍ୟ ସେମାନଙ୍କୁ ନୋଟିସ୍ ଜାରି କରିଛି। ଫରହାନ ଓ ରୌଫ ଯଦି ଲିଖିତ ଭାବେ ଏହି ଅଭିଯୋଗକୁ ଖଣ୍ଡନ କରନ୍ତି, ତାହେଲେ ସେହି ମ୍ୟାଚ୍ର ଦ୍ବିତୀୟ ରେଫରି ରିକି ରିଚାର୍ଡସନ୍ ମାମଲାର ଆନୁଷ୍ଠାନିକ ଶୁଣାଣି କରି ଦଣ୍ଡବିଧାନ କରିପାରିବେ।
ପିସିବିର ପାଲଟା ଅଭିଯୋଗ ପିସିବି ମଧ୍ୟ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛି। ଆଇସିସିକୁ ପଠାଇଥିବା ଇ-ମେଲ୍ରେ ସୂର୍ଯ୍ୟକୁମାର ମ୍ୟାଚ୍ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀ ଏବଂ ପୁରସ୍କାର ବିତରଣୀ ଉତ୍ସବ ବେଳେ ରାଜନୈତିକ ସନ୍ଦେଶ ଦେଇ ଆଇସିସି ଆଚରଣ ସଂହିତା ଉଲ୍ଲଂଘନ କରିଛନ୍ତି ବୋଲି ପିସିବି କହିଛି। ଲିଗ୍ ପର୍ଯ୍ୟାୟରେ ପାକିସ୍ତାନକୁ ହରାଇବା ପରେ ଏହି ବିଜୟ ପହଲଗାମ ଆକ୍ରମଣ ଘଟଣାରେ ସହିଦ ହୋଇଥିବା ନିରୀହ ପର୍ଯ୍ୟଟକ ଏବଂ ଅପରେସନ୍ ସିନ୍ଦୂରରେ ନିଜର ଧୈର୍ଯ୍ୟ ଓ ସାହସର ବଳିଷ୍ଠ ପ୍ରମାଣ ଦେଇଥିବା ଭାରତୀୟ ସେନାକୁ ଉତ୍ସର୍ଗ କରୁଛୁ ବୋଲି ସୂର୍ଯ୍ୟ କହିଥିଲେ। ପିସିବି ଅଭିଯୋଗ ପାଇବା ପରେ ଆଇସିସି ଏଲିଟ୍ ପ୍ୟାନେଲ ମ୍ୟାଚ୍ ରେଫରି ରିଚି ରିଚାର୍ଡସନ୍ ମଧ୍ୟ ସୂର୍ଯ୍ୟକୁମାରଙ୍କୁ ନୋଟିସ୍ ଜାରି କରିଛନ୍ତି। ସୂର୍ଯ୍ୟ ଦୋଷ ମାନିଲେ ରିଚାର୍ଡସନ୍ ଆଇସିସି ନିୟମ ଅନୁସାରେ ଦଣ୍ଡବିଧାନ କରିପାରିବେ। ଅନ୍ୟଥା ପିସିବି ଓ ବିସିସିଆଇର ଜଣେ ଅଧିକାରୀଙ୍କ ଉପସ୍ଥିତିରେ ଉଭୟ ପକ୍ଷକୁ ଶୁଣି ପରବର୍ତ୍ତୀ ନିଷ୍ପତ୍ତି ନେବେ।