ବିସିସିଆଇ ଉପରେ ୯୦୬ କୋଟି ଶୁଳ୍କ‌ ବୋଝ

ନୂଆଦିଲ୍ଲୀ : ଭାରତରେ ଚଳିତ ବର୍ଷ ଖେଳାଯିବାକୁ ଥିବା ଆଇସିସି ଟି-୨୦ ବିଶ୍ବକପ୍‌ ଶୁଳ୍କ ଛାଡ଼କୁ‌ ନେଇ ବିସିସିଆଇ ପୁଣି ହରଡ଼ ଘଣାରେ ପଡ଼ିଛି। ଆଇସିସି ପ୍ରସ୍ତାବ ଅନୁସାରେ ଭାରତ ସରକାର ଯଦି ଏହି ବିଶ୍ବକପ୍‌କୁ ସମ୍ପୂର୍ଣ୍ଣ ଶୁଳ୍କମୁକ୍ତ ନକରନ୍ତି ତେବେ ବିସିସିଆଇକୁ ପ୍ରାୟ ୯୦୬ କୋଟି ଟଙ୍କା ପ୍ରଦାନ କରିବାକୁ ପଡ଼ିବ। ଆଂଶିକ ଛାଡ଼ କଲେ ବି ବୋର୍ଡ ଅନ୍ୟୁନ ୨୨୭ କୋଟି ଦେବ। ବିଶ୍ବକପ୍‌ ଖେଳାଯିବାକୁ ଆଉ ୧୦ ମାସ ଥିବା ବେଳେ ଏନେଇ ବିସିସିଆଇର ଚିନ୍ତା ବଢ଼ିଯାଇଛି। ନହେଲେ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସପ୍ତମ ସଂସ୍କରଣକୁ ୟୁଏଇରେ କରାଇବା ନେଇ ବିକଳ୍ପ ପ୍ରସ୍ତୁତି ରଖିଛି। ପୂର୍ବରୁ ବିସିସିଆଇ ଦୁଇଟି ଧାର୍ଯ୍ୟ ତାରିଖ (ଡିସେମ୍ବର ୩୧, ୨୦୧୯ ଏବଂ ଡିସେମ୍ବର ୩୧, ୨୦୨୦) ସୁଦ୍ଧା ସରକାରଙ୍କଠାରୁ ଶୁଳ୍କମୁକ୍ତ ପ୍ରତିଶ୍ରୁତି ଆଣିପାରିନାହିଁ। ନରେନ୍ଦ୍ର ମୋଦିଙ୍କ ସରକାର ଏ ସମ୍ପର୍କରେ କେବେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବିସିସିଆଇ ଅପେକ୍ଷା କରିଛି। ବିସିସିଆଇ ଏକ ଜାତୀୟ କ୍ରୀଡ଼ା ସଂଘର ମାନ୍ୟତା ପାଇନଥିବାରୁ ସରକାର ମଧ୍ୟ ଦ୍ବିଧାରେ ରହୁଛନ୍ତି। କିନ୍ତୁ ବିସିସିଆଇ ସମ୍ପାଦକ ଜୟ ଶାହ ଗୃହମନ୍ତ୍ରୀ ଅମିତ ସାହାଙ୍କ ପୁଅ, କୋଷାଧ୍ୟକ୍ଷ ଅରୁଣ ସିଂହ ଧୂମାଲଙ୍କ ସାନ ଭାଇ ଅନୁରାଗ ଠାକୁର କେନ୍ଦ୍ର ଅର୍ଥ ଓ କର୍ପୋରେଟ୍‌ ମନ୍ତ୍ରୀ ଥିବାରୁ ଭାଜପା ସରକାରଙ୍କଠାରୁ ସବୁଜ ସଙ୍କେତ ପାଇବା ଆଶା ରଖିଛି ବୋର୍ଡ।

ଅତୀତରେ ୨୦୧୧ ମସିହାରେ ୫୦ ଓଭରିଆ ବିଶ୍ବକପ୍‌କୁ ମନମୋହନ ସିଂହଙ୍କ ସରକାର ଶେଷ ମୁହୂର୍ତରେ ଶୁଳ୍କମୁକ୍ତ କରିଥିଲେ। ୨୦୧୬ ମସିହାରେ ଟି-୨୦ ବିଶ୍ବକପ୍‌କୁ କିନ୍ତୁ ନରେନ୍ଦ୍ର ମୋଦି ସରକାର ମାତ୍ର ୧୦ ପ୍ରତିଶତ ଛାଡ଼ କରିଥିଲେ। ଏଥି ପାଇଁ ଅବଶିଷ୍ଟ ଅର୍ଥକୁ ବିସିସିଆଇ ପ୍ରାପ୍ୟରୁ ଆଇସିସି କାଟି ରଖିଥିଲା। ଏହାକୁ ନେଇ ଟଣାଓଟରା ଚାଲିଥିଲେ ମଧ୍ୟ ସମାଧାନ ହୋଇପାରିନାହିଁ। ୨୦୨୧ ଟି-୨୦ ବିଶ୍ବକପ୍‌କୁ ଯଦି ଭାରତ ସରକାର କରମୁକ୍ତ ନ କରନ୍ତି ତେବେ ୨୦୨୩ ଦିନିକିଆ ବିଶ୍ବକପ୍‌ ଆୟୋଜନ ଅଧିକାର ଭାରତ ହାତରୁ ଖସିଯିବାର ବିପଦ ମଧ୍ୟ ରହିବ।

ସମ୍ବନ୍ଧିତ ଖବର