ବିସିସିଆଇ-ଆଇସିସି ପୁଣି ଟଣାଓଟରା

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଏବଂ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ପୁଣି ଥରେ ଟଣାଓଟରା ହୋଇଛନ୍ତି। ପୂର୍ବରୁ ଉଭୟ ସଂସ୍ଥା ଅର୍ଥ ବଣ୍ଟନକୁ ନେଇ ମୁହାଁମୁହିଁ ହୋଇଥିଲେ। ଏବେ କିନ୍ତୁ ଚାମ୍ପିଆନ୍ସ ଟ୍ରଫି ଆୟୋଜନକୁ ନେଇ ସାମ୍ନା ସାମ୍ନି ହୋଇଛନ୍ତି। ୨୦୨୧ରେ ଚାମ୍ପିଅନ୍‌ସ ଟ୍ରଫି ଭାରତରେ ଆୟୋଜିତ ହେବାକୁ ଥିଲା ବେଳେ ଟିକସ ଛାଡ଼ ଆଳରେ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଆଇସିସି ଚିନ୍ତା କରୁଛି। ଫଳରେ ଏହା ଉଭୟ କ୍ରିକେଟ୍‌ ସଂସ୍ଥା ମଧ୍ୟରେ ଥିବା କନ୍ଦଳକୁ ଆହୁରି ବଢ଼ାଇ ଦେଇଛି। ପୂର୍ବରୁ ଚାମ୍ପିଅନ୍ସ ଟ୍ରଫି ୫୦ ଓଭର ଖେଳା ଯଉଥିଲା। କିନ୍ତୁ ଅଧିକ ଅର୍ଥ ରୋଜଗାର ଆଳ ଦେଖାଇ ଏହାକୁ ଟେ୍ଵଣ୍ଟି-୨୦ କରିବାକୁ ଆଇସିସି ପ୍ରସ୍ତାବ ଦେଇଛି। ଯାହାକୁ ଭାରତ ବିରୋଧ କରିଛି। ଗତ ଫେବ୍ରୁଆରିରେ ବୋର୍ଡ ବୈଠକରେ ଆଇସିସି ପ୍ରତିଯୋଗିତା ଲାଗି ଭାରତ ସରକାର ଟିକସ ଛାଡ଼ କରିବାକୁ ଅନୁରୋଧ କରାଯାଇଥିଲା। ଯଦି ଭାରତ ସରକାର ଟିକସ ଛାଡ଼ ନ କରନ୍ତି ତେବେ ଏହି ପ୍ରତିଯୋଗିତାକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ପ୍ରସ୍ତୁତ ରହିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର