ମୁମ୍ବାଇ: ବିଶ୍ବର ସଫଳତମ ଟି-୨୦ ଲିଗ୍‌ ଆଇପିଏଲ୍‌ରେ ଆଇସିସିର ହସ୍ତକ୍ଷେପ ପ୍ରୟାସକୁ ବିସିସିଆଇ ପ୍ରଥମରୁ ନା କହିଦେଇଛି। ବିଶ୍ବବ୍ୟାପୀ ଚାଲିଥିବା ବିଭିନ୍ନ ଟ୍ବେଣ୍ଟି-୨୦ ଲିଗ୍‌କୁ ସୋମବାର ଆଇସିସି ‘ଉଲ୍ଲେଖନୀୟ ଏବଂ ଗୋଲ୍ଡ ଷ୍ଟାଣ୍ଡାର୍ଡ’ ଆଖ୍ୟା ଦେଇଥିଲା। ଏହାକୁ ନେଇ ଏକ ବିଶ୍ବସ୍ତରୀୟ ପରିଚାଳନା ଏବଂ ସବୁଗୁଡ଼ିକ ପାଇଁ ଏକ ସର୍ବନିମ୍ନ ମାନଦଣ୍ଡ ଧାର୍ଯ୍ୟ କରାଯିବାର ଆବଶ୍ୟକତା ରହିଛି‌ ବୋଲି ମଧ୍ୟ ମତ ଦେଇଥିଲା। ଏଥି ଲାଗି ଏକକ ନୀତି ପ୍ରଣୟନ କଥା ମଧ୍ୟ ଉଠାଇଥିଲା। ଗତ ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ବୈଠକରେ କିନ୍ତୁ ବିସିସିଆଇ ପକ୍ଷରୁ ନା କହି ଦିଆଯାଇଛି। ଆଇପିଏଲ୍‌ ବିସିସିଆଇର ସମ୍ପୂର୍ଣ୍ଣ ନିଜସ୍ବ ଏବଂ ବିସିସିଆଇର ନୂଆ ସମ୍ବିଧାନ ଅନୁସାରେ ଏହାର ପରିଚାଳନା ପରିଷଦ ଲିଗ୍‌ର ମୁଖ୍ୟ କର୍ତ୍ତୃପକ୍ଷ। ଆଇପିଏଲ୍‌ ଭଳି ସମାନ ଧରଣର ଲିଗ୍ ପ୍ରକ୍ରିୟା ଲାଗି ଆଇସିସି ଯେଉଁ କାର୍ଯ୍ୟକାରୀ ଗ୍ରୁପ୍ ଗଠନ କରିଛି ତାହା ସମ୍ଭବ ନୁହେଁ। ଆଇସିସି ବହୁ କଥା କହେ ବୋଲି ବିସିସିଆଇର କୋଷାଧ୍ୟକ୍ଷ ଅନିରୁଦ୍ଧ ଚୌଧୁରୀ ପ୍ରକାଶ କରିଛନ୍ତି। ଆଇସିସି କାର୍ଯ୍ୟନିର୍ବାହୀ ବୈଠକରେ ଯୋଗ ଦେଇଥିବା ବିସିସିଆଇ ସିଇଓ ରାହୁଲ ଜୋହରି ମଧ୍ୟ ଆଇପିଏଲ୍ ବିସିସିଆଇର ଘରୋଇ ସମ୍ପତ୍ତି ବୋଲି ସ୍ପଷ୍ଟ କରି ଦେଇଥିବା ପ୍ରକାଶ କରିଛନ୍ତି।