ମୁମ୍ବାଇ: ‘ଡ୍ରିମ୍ ଇଲେଭେନ୍’ ଓହରି ଯିବା ପରେ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରାୟୋଜକ ଲାଗି ବିସିସିଆଇ ମଙ୍ଗଳବାର ସାନି ବିଡ୍ ଆହ୍ବାନ କରିଛି। ତେବେ ଏହି ପ୍ରକ୍ରିୟାରୁ ଅନ୍‌ଲାଇନ୍ ମନି ଗେମିଂ ଓ କ୍ରିପ୍ଟୋ କରେନ୍ସି କଂପାନିଗୁଡ଼ିକୁ ବାଦ୍ ଦିଆଯାଇଛି। ଅର୍ଥାତ୍ ଏହି କ୍ଷେତ୍ରରେ କାମ କରୁଥିବା କଂପାନିମାନେ ଏଣିକି ଆଉ ଭାରତୀୟ ଦଳର ପ୍ରାୟୋଜକ ହୋଇପାରିବେ ନାହିଁ। ଅନ୍‌ଲାଇନ୍ ମନି ଗେମିଂକୁ ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ର ସରକାର ନୂଆ ଆଇନ ଆଣିବା ପରେ ବିସିସିଆଇ ଏଭଳି ପଦକ୍ଷେପ ନେଇଛି। 

Advertisment

ଏହି ନିୟମ ଆସିବା ପରେ ମଧ୍ୟ ଡ୍ରିମ୍ ଇଲେଭେନ୍ ଓ ମାଇଁଇଲେଭେନ୍ ସର୍କଲ, ଆଇପିଏଲ୍ ଭଳି ଟ୍ବେଣ୍ଟି-୨୦ ପ୍ରତିଯୋଗିତା ସହ ଅନ୍ୟାନ୍ୟ ଜାତୀୟ ଓ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍‌କୁ ନେଇ କରୁଥିବା ଅନ୍‌ଲାଇନ୍ ମନି ଗେମିଂ ପ୍ରତିଯୋଗିତାକୁ ବନ୍ଦ କରିବାକୁ ମଧ୍ୟ ବାଧ୍ୟ ହୋଇଛନ୍ତି। ଉଭୟ କଂପାନି ମଧ୍ୟ ହଜାର ହଜାର କୋଟି ଟଙ୍କାର ରାଜସ୍ବ ହରାଇଛନ୍ତି। ତେବେ ଏହି ଅନ୍‌ଲାଇନ୍ ଗେମିଂ ଖେଳି କାଙ୍ଗାଳ ହେବା ପରେ ଆତ୍ମହତ୍ୟାକୁ ଅନ୍ତିମ ପଥ ଭାବେ ବାଛି ନେଉଥିବା ଯୁବବର୍ଗ ପାଇଁ ଏହା ଅତ୍ୟନ୍ତ ସ୍ବାଗତଯୋଗ୍ୟ ଖବର ହୋଇଛି। 

ଡ୍ରିମ୍ ଇଲେଭେନ୍ ଓ ମାଇଁଇଲେଭେନ୍ ସର୍କଲ ଭାରତୀୟ ଦଳ ସହ ଆଇପିଏଲ୍‌ର ପ୍ରାୟୋଜକ ଭାବେ ବିସିସିଆଇକୁ ବାର୍ଷିକ ୧,୦୦୦ କୋଟିରୁ ଅଧିକ ଟଙ୍କା ଦେଉଥିଲେ। ‌ବିସିସିଆଇ ଟେଣ୍ଡର୍‌ ପେପର୍ କିଣିବା ଲାଗି ଶେଷ ତାରିଖ ୧୨ ତାରିଖ ଧାର୍ଯ୍ୟ କରିଛି। ସେହିଭଳି ବିଡ୍ ଦାଖଲ କରିବାର ଶେଷ ତାରିଖ ୧୬ ତାରିଖ ରହିଛି। ତେବେ ଅନ୍‌ଲାଇନ୍ ଗେମିଂକୁ ନେଇ ସରକାର ଆଣିଥିବା ନିୟମ ଅଧୀନରେ ଆସୁଥିବା କୌଣସି କଂପାନି  ବିଡିଂ ପ୍ରକ୍ରିୟାରେ ସାମିଲ ହୋଇ ପାରିବେ ନାହିଁ ବୋଲି ବିସିସିଆଇ ପ୍ରକାଶ କରିଥିବା ବିଜ୍ଞାପନରେ ସ୍ପଷ୍ଟ କରି ଦେଇଛି। ସେହିଭଳି ତମାଖୁ, ମଦ କଂପାନି ଗୁଡ଼ିକୁ ମଧ୍ୟ ବିଡ୍ ପ୍ରକ୍ରିୟାରୁ ଦୂରେଇ ରଖାଯାଇଛି।