ଭୁବନେଶ୍ବରରେ ବିସିସିଆଇ କନିଷ୍ଠ ମହିଳା କ୍ରିକେଟ୍: ୩ ପଡ଼ିଆରେ ଖେଳାଯିବ ଦିନିକିଆ ପ୍ଲେଟ୍ ଗ୍ରୁପ୍ର ସବୁ ମ୍ୟାଚ୍
ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ବେଳକୁ ବାରବାଟୀରେ ଏଲ୍ଇଡି ଲାଇଟ୍ ଲଗାଯିବାକୁ ଯୋଜନା
କଟକ: ବିସିସିଆଇ ଦ୍ବାରା ଆୟୋଜିତ ୧୯ ବର୍ଷରୁ କମ୍ ମହିଳା ଦିନିକିଆ କ୍ରିକେଟ୍ ପ୍ରତିଯୋଗିତାର ପ୍ଲେଟ୍ ଗ୍ରୁପ୍ର ସମସ୍ତ ମ୍ୟାଚ୍ ଭୁବନେଶ୍ବରର ତିନିଟି ପଡ଼ିଆରେ ଖେଳାଯିବ। କିଟ୍ ଷ୍ଟାଡିୟମ, ବିକାଶ ପଡ଼ିଆ ଓ ପୂର୍ବତଟ ରେଳବାଇ ପଡ଼ିଆରେ ଏହି ମ୍ୟାଚ୍ଗୁଡ଼ିକ ଆସନ୍ତା ୨୮ ତାରିଖରୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଅ˚ଶଗ୍ରହଣ କରୁଥିବା ଅରୁଣାଚଳ ପ୍ରଦେଶ, ଜମ୍ମୁ କାଶ୍ମୀର, ମେଘାଳୟ, ମଣିପୁର, ନାଗାଲାଣ୍ତ, ସିକ୍କିମ୍ ଦଳର ଖେଳାଳିମାନେ ବର୍ତ୍ତମାନ ସଙ୍ଗରୋଧ ଅବଧି ମଧ୍ୟରେ ରହିଛନ୍ତି। ୨୬ ଓ ୨୭ ତାରିଖରେ ଖେଳାଳିମାନେ ଅଭ୍ୟାସ କରିବା ପରେ ୨୮ ତାରିଖରୁ ମ୍ୟାଚ୍ ଖେଳିବା ଆରମ୍ଭ କରିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।
ଯଦିଓ ପ୍ଲେଟ୍ ଗ୍ରୁପ୍ର ମ୍ୟାଚ୍ଗୁଡ଼ିକୁ ବାରବାଟୀ ଷ୍ଟାଡିୟମରେ କରାଯିବା ପାଇଁ ଅନୁରୋଧ ଆସିଥିଲା, କିନ୍ତୁ ଷ୍ଟାଡିୟମ ପଡ଼ିଆ ଏବେ ପ୍ରସ୍ତୁତ ହୋଇନଥିବାରୁ ଭୁବନେଶ୍ବରରେ ମ୍ୟାଚ୍ଗୁଡ଼ିକ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଅକ୍ଟୋବର ଶେଷ କିମ୍ବା ନଭେମ୍ବର ପ୍ରଥମ ସପ୍ତାହ ବେଳକୁ ବାରବାଟୀ ପଡ଼ିଆ ପ୍ରସ୍ତୁତ ହୋଇଯିବ। ଏଠାରେ କିଛି ଅଭ୍ୟାସ ମ୍ୟାଚ୍ କରିବା ପରେ ପଡ଼ିଆର ସ୍ଥିତି ଯାଞ୍ଚ କରାଯିବ ବୋଲି ଓସିଏ ସମ୍ପାଦକ ସ˚ଜୟ ବେହେରା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ୬ ଓ ୭ ନମ୍ବର ଗ୍ୟାଲେରି ମରାମତି କାର୍ଯ୍ୟ ଚାଲିଥିଲା ବେଳେ ଆନ୍ତର୍ଜାତିକ ମ୍ୟାଚ୍ ପୂର୍ବରୁ ଏହାର ମରାମତି କାର୍ଯ୍ୟ ଶେଷ କରାଯିବ। ଯଦି ସରକାର ଅନୁମତି ଦିଅନ୍ତି, ତାହେଲେ ଏହି ଦୁଇ ଗ୍ୟାଲେରିରେ ଦର୍ଶକଙ୍କୁ ବସିବାପାଇଁ ସୁଯୋଗ ମିଳିବ ବୋଲି ସେ କହିଛନ୍ତି।
ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ୍ ପୂର୍ବରୁ ଷ୍ଟାଡିୟମର ଫ୍ଲଡ୍ ଲାଇଟ୍କୁ ପରିବର୍ତ୍ତନ କରାଯିବାକୁ ଯୋଜନା ରହିଛି। ଫନି ବାତ୍ୟା ପରେ ପାଖାପାଖି ୩୦୦ ଫ୍ଲଡ୍ଲାଇଟ୍ ବଲ୍ ବଦଳାଯାଇଥିଲା। ତେବେ ଏଥର ଏଲ୍ଇଡି ଲାଇଟ୍ ଲଗାଯିବା ପାଇଁ ଚିନ୍ତା କରାଯାଉଛି। ଆପେକ୍ସ କାଉନସିଲ ବୈଠକରେ ଏବିଷୟରେ ଆଲୋଚନା କରାଯିବ ବୋଲି ସ˚ଜୟ ସୂଚନା ଦେଇଛନ୍ତି। ଶନିବାରର ଏହି ସାମ୍ବାଦିକ ସମ୍ମିଳନୀରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ଉପସଭାପତି ଅକ୍ଷୟ ସାମନ୍ତ, ସମ୍ପାଦକ ସ˚ଜୟ ବେହେରା, ଯୁଗ୍ମ ସମ୍ପାଦକ ମେହେତାବ୍ ଖାନ୍, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଆପେକ୍ସ କାଉନସିଲ ସଦସ୍ୟ ଶୁଭାଶିଷ ସେନାପତି, ସିଇଓ ସୁବ୍ରତ ବେହେରା ଉପସ୍ଥିତ ଥିଲେ।