ନୂଆଦିଲ୍ଲୀ: ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ପକ୍ଷରୁ ଆରମ୍ଭ କରାଯିବାକୁଥିବା ନୂତନ ଶୈଳୀର କ୍ରିକେଟ୍ ପ୍ରତିଯୋଗିତା 'ଦି ହଣ୍ଡ୍ରେଡ୍' ଭଳି ଭାରତରେ ମଧ୍ୟ ଏଭଳି ଏକ ପ୍ରତିଯୋଗିତା ଆୟୋଜନ କରିବାକୁ ବିସିସିଆଇ ନଜର ରଖିଛି। ଏହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲେ ବି ଇସିବିର ବିଦାୟୀ ଅଧ୍ୟକ୍ଷ କଲିନ୍ ଗ୍ରେଭ୍ସ ଏକ ସାକ୍ଷାତକାରରେ ଏଭଳି କିଛି ଇଙ୍ଗିତ କରିଛନ୍ତି। ଇସିବିର ଏହି ନୂଆ ପରିକଳ୍ପନା 'ଦି ହଣ୍ଡ୍ରେଡ୍' ଦ୍ବାରା କ୍ରିକେଟ୍ ଖେଳର ବହୁଳ ମାତ୍ରାରେ ପ୍ରଚାର ପ୍ରସାର ହେବ। ସହର ଭିତ୍ତିକ ଏହି ୧୦୦ ବଲ୍ ବିଶିଷ୍ଟ ପ୍ରତିଯୋଗିତା ଯଦିଓ ଚଳିତ ବର୍ଷଠୁ ଆରମ୍ଭ ହେବାର ଥିଲା, କିନ୍ତୁ କରୋନା ମହାମାରୀ ପାଇଁ ଏହାକୁ ୨୦୨୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ତେବେ ଏଭଳି ପ୍ରତିଯୋଗିତା ବିଷୟରେ ଭାରତ ଭଳି କିଛି ଦେଶ ଅବଗତ ହୋଇଥିଲା ବେଳେ ସେମାନେ ନିଜେ ତାହାକୁ ଆୟୋଜନ କରିବାକୁ ଚିନ୍ତା କରୁଥିବା କଲିନ୍ କହିଛନ୍ତି। ସେହି ଦେଶମାନେ 'ଦି ହଣ୍ଡ୍ରେଡ' ବିଷୟରେ ଜାଣିବାକୁ ଗତବର୍ଷ ନିୟମିତ ଭାବେ କଲିନଙ୍କ ସହ ଯୋଗାଯୋଗରେ ଥିଲେ। ଯାହାଫଳରେ ନୂଆ ଧରଣର କ୍ରିକେଟ୍କୁ ନେଇ ପ୍ରତ୍ୟେକ ଦେଶଙ୍କ ମଧ୍ୟରେ ଉତ୍ସାହ ରହିଥିବା ଜଣାପଡ଼ୁଥିଲା ବୋଲି ସେ କହିଛନ୍ତି।
ଯଦି ବି ବିସିସିଆଇ ଏଭଳି ପ୍ରତିଯୋଗିତା ଆୟୋଜନ ପାଇଁ ସ୍ଥିର କରେ, ୨୦୨୩ ପୂର୍ବରୁ ଏହାକୁ ଖେଳାଯିବା ଆଦୌ ସମ୍ଭବ ନୁହେଁ। କାରଣ କରୋନା ମହାମାରୀ ସଙ୍କଟ ଯୋଗୁଁ ବୋର୍ଡର ଭବିଷ୍ୟତ ଗସ୍ତ କାର୍ଯ୍ୟକ୍ରମ (ଏଫ୍ଟିପି) ବହୁଳ ଭାବେ ପ୍ରଭାବିତ ହୋଇସାରିଛି। ତେଣୁ ଏଭଳି ଖେଳକୁ ନେଇ ଆସନ୍ତା ଦୁଇ ବର୍ଷ ମଧ୍ୟରେ ପରୀକ୍ଷାନିରୀକ୍ଷା କରିବା ସମ୍ଭବ ହେବନି। ପରବର୍ତ୍ତୀ ନୂଆ ଏଫ୍ଟିପି କ୍ରମ ୨୦୨୩ରୁ ୨୦୨୮ ମଧ୍ୟରେ ରହିଛି। ଏହାମଧ୍ୟରେ ବିସିସିଆଇ ନୂଆ ଶୈଳୀର କ୍ରିକେଟ୍ କରିବାକୁ ଚିନ୍ତା କରିପାରେ। ପୂର୍ବରୁ ବିସିସିଆଇ ଏକ ମିନି ଆଇପିଏଲ୍ ଆୟୋଜନ କରିବାକୁ ଚିନ୍ତା କରିଥିଲା, କିନ୍ତୁ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଯୋଗୁଁ ତାହା ବାସ୍ତବରୂପ ନେଇପାରିନଥିଲା। ତେବେ 'ଦି ହଣ୍ଡ୍ରେଡ୍' ଭଳି ପ୍ରତିଯୋଗିତାକୁ ନିୟମିତ ଭାବେ ଆୟୋଜନ କରିବା କଲିନ୍ଙ୍କର ପ୍ରାଥମିକତା ଥିବାବେଳେ ଏହା ତାଙ୍କ କାର୍ଯ୍ୟକାଳ ଭିତରେ ଏକ ବଡ଼ ଆହ୍ବାନ ଥିଲା ବୋଲି ପ୍ରତିକ୍ରିୟା ଦେଇଛନ୍ତି। ଆରମ୍ଭରୁ ଏହାକୁ ନେଇ ବିରୋଧର ସାମ୍ନା କିରିବାକୁ ପଡ଼ିଥିଲା, ତଥାପି ଏହାର ଫାଇଦା ବିଷୟରେ ଲୋକମାନେ ବୁଝିବାକୁ ଆରମ୍ଭ କଲେଣି। ଆଗକୁ ଏହି ପ୍ରତିଯୋଗିତା ଉଭୟ ଲାଭ ଓ ଖେଳ କ୍ଷେତ୍ରରେ ଇସିବି ପାଇଁ ବଡ଼ ସମ୍ବଳ ରୂପେ ଉଭା ହେବ ବୋଲି କଲିନ୍ ଆଶାବ୍ୟକ୍ତ କରିଛନ୍ତି।