ନୂଆଦିଲ୍ଲୀ: ୟୁଏଇରେ ଆୟୋଜିତ ହେବାକୁ ଯାଉଛି ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍)ର ତ୍ରୟୋଦଶ ସଂସ୍କରଣ। କୋଭିଡ୍-୧୯ ମାଗଦର୍ଶିକା ପାଳନ କାରିବା ନିମନ୍ତେ ଆୟୋଜକ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ଆଇପିଏଲ୍ ଦଳମାନଙ୍କ ପାଇଁ ସେଠାରେ ୬ ଦିନିଆ କ୍ବାରେଣ୍ଟାଇନ୍ ବ୍ୟବସ୍ଥା ତା’ର ଏସ୍ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର୍)ରେ ଉଲ୍ଲେଖ କରିଛି। ବିସିସିଆଇର ଏସ୍ଓପି ଅନୁଯାୟୀ ଖେଳାଳି ଓ ସହକାରୀ ଅଧିକାରୀମାନେ ୟୁଏଇରେ କ୍ବାରେଣ୍ଟାଇନ୍ ସମୟ ମଧ୍ୟରେ ପ୍ରଥମ, ତୃତୀୟ ଓ ଷଷ୍ଠ ଦିନ କରୋନା ପରୀକ୍ଷା ଦେବେ। ଆଉ ନେଭେଟିଭ୍ ଆସିଲେ ହିଁ ସେମାନଙ୍କୁ ପ୍ରଶିକ୍ଷଣ ପାଇଁ ଅନୁମତି ମିଳିବ। ଏହାପରେ ମୋଟ ୫୩ ଦିନିଆ ପ୍ରତିଯୋଗିତାରେ ପ୍ରତି ୫ ଦିନ ଅନ୍ତରରେ ମଧ୍ୟ ପରୀକ୍ଷା କରାଯିବ। ହେଲେ ଆଇପିଏଲ୍ ଦଳଗୁଡ଼ିକ ୬ ଦିନ ପରିବର୍ତେ ୩ ଦିନିଆ କ୍ବାରେଣ୍ଟାଇନ୍ ଚାହୁଁଛନ୍ତି। ଫ୍ରାଞ୍ଚାଇଜ୍ ଅଧିକାରୀମାନଙ୍କ କହିବା କଥା ହେଲା ଅଧିକାଂଶ ଖେଳାଳି ପ୍ରାୟ ୬ ମାସ ହେଲା ମ୍ୟାଚ୍ ଅଭ୍ୟାସ ପାଇନାହାନ୍ତି। ତେଣୁ ଯଥାସମ୍ଭବ ଅଧିକରୁ ଅଧିକ ମ୍ୟାଚ୍ ଅଭ୍ୟାସ ସେମାନଙ୍କ ପାଇଁ ଜରୁରୀ ହୋଇପଡ଼ିଛି। କେବଳ ସେତିକି ନୁହେଁ ଆଗୁଆ ସୂଚନା ସହ ଦଳ ଏବଂ ସେମାନଙ୍କ ପରିବାର ରାତ୍ରି ଭୋଜନ ନିମନ୍ତେ ବିସିସିଆଇର ଅନୁମତି ମଧ୍ୟ ଲୋଡିଛନ୍ତି। ବିଶେଷକରି ଆଇପିଏଲ୍ ଫ୍ରାଞ୍ଚାଇଜ୍ମାନେ ୩ ସୂତ୍ରୀ ଅନୁରୋଧ କରିଛନ୍ତି। ସେଥିରୁ ଗୋଟିଏ ହେଲା ସଂପର୍କ କମ୍ ଥିବା ହୋଟେଲରୁ ଖାଦ୍ୟ ମଗାଇବା। ଏହିସବୁ ପ୍ରସଙ୍ଗ ନେଇ ଆଇପିଏଲ୍ ଅଧିକାରୀଙ୍କ ସହ ଦଳ ମାଲିକମାନଙ୍କର ଆଲୋଚନା ହେବ।
ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ସମେତ କେକେତ ଦଳ ଆଗୁଆ ଯିବାକୁ ଚାହୁଁଥିଲା ବେଳେ ଦଳଗୁଡ଼ିକୁ ଅଗଷ୍ଟ ୨୦ ତାରିଖ ପୂର୍ବରୁ ୟୁଏଇ ଯାତ୍ରା ନକରିବାକୁ ବିସିସିଆଇ କହିଛି। ଏପରିସ୍ଥଳେ କ୍ବାରେଣ୍ଟାଇନ୍ ସମୟ ବିତାଇବା ବ୍ୟତୀତ ଅଭ୍ୟାସ ଓ ପ୍ରସ୍ତୁତି ନିମନ୍ତେ ଯଥେଷ୍ଟ ସମୟ ପାଇବାକୁ ଅଗଷ୍ଟ ୨୦ ପରିବର୍ତେ ୧୫ ସୁଦ୍ଧା ଦଳଗୁଡ଼ିକ ୟୁଏଇରେ ପହଞ୍ଚିବା ନେଇ ଅନୁମତି ମିଳିପାରିବ କି ବୋଲି ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ ଖେଳାଳିମାନଙ୍କ ପରିବାର ଏବଂ ଦଳର ମାଲିକମାନେ ଆଇପିଏଲ୍ ବେଳେ ଜୈବ ସୁରକ୍ଷିତ ପରିବେଶରେ ରହିବାକୁ ବିସିସିଆଇ ଏସ୍ଓପିରେ ଉଲ୍ଲେଖ କରାଯାଇଛି। ଖେଳାଳିଙ୍କ ପରିବାର ମଧ୍ୟ ଦଳ ସହ କୌଣସିମତେ ବାର୍ତାଳାପ କରିପାରିବେନି। ସେହିପରି ସ୍ବୀକୃତିପ୍ରାପ୍ତ ବିତରଣ ସଂସ୍ଥା (ଯେଉଁମାନଙ୍କର ହୋଟେଲ ସହ କମ୍ ସଂପର୍କ ଥିବ) ଦ୍ବାରା ଖାଦ୍ୟ ମଗାଯିବାକୁ ପ୍ରସ୍ତାବ ଦେଇଛନ୍ତି ଦଳର ମାଲିକମାନେ। ଏହାର ମଧ୍ୟ ସମୀକ୍ଷା କରିବାକୁ ଦଳଗୁଡ଼ିକ ଚାହୁଁଛନ୍ତି।
ନୂଆଦିଲ୍ଲୀ: ଚୀନ୍ର ସ୍ମାର୍ଟଫୋନ୍ କମ୍ପାନି ଭିଭୋ କମ୍ୟୁନିକେସନ୍ ଟେକ୍ନୋଲୋଜି କୋ’ର ଭାରତୀୟ ବ୍ରାଣ୍ଡ ଭିଭୋ ଇଣ୍ଡିଆ ଆଗାମୀ ଆଇପିଏଲ୍ ସଂସ୍କରଣରୁ ଓହରିଯିବାକୁ ପ୍ରସ୍ତୁତ ହେଉଛି। ଯଦି ଏଭଳି ହୁଏ, ତାହେଲେ ଆଇପିଏଲ୍କୁ ୪୪୦ କୋଟି ଟଙ୍କାର କ୍ଷତି ହେବ। କେବଳ ଏତିକି ନୁହେଁ ପ୍ରତ୍ୟେକ ଦଳର ଆର୍ଥିକ ସ୍ଥିତିକୁ ମଧ୍ୟ ଏହା ଦୋହଲାଇଦେବ। ଭିଭୋ ଇଣ୍ଡିଆ ୨୦୧୭ରେ ଆଇପିଏଲ୍ ସହ ହୋଇଥିବା ୫ ବର୍ଷିୟା ମୁଖ୍ୟ ପ୍ରାୟୋଜକ ଚୁକ୍ତି ପାଇଁ ୨୨୦୦ କୋଟି ଟଙ୍କା ଦେଇଥିଲା। ତେଣୁ ବିସିସିଆଇ କିମ୍ବା ଭିଭୋ କେହି ବି ଏହି ଚୁକ୍ତି ଭାଙ୍ଗିବାକୁ ଚାହୁଁନାହାନ୍ତି। କିନ୍ତୁ ବର୍ତ୍ତମାନର ପାରିପାର୍ଶ୍ବିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପାଇଁ ଭିଭୋ ଆଇପିଏଲ୍ଠୁ ଦୂରେଇ ରହିବା ଠିକ୍ ହେବ ବୋଲି ଉଭୟ ପକ୍ଷ ଚିନ୍ତା କରୁଛନ୍ତି। ଏବେ ଦେଶର ଅର୍ଥନୈତିକ ସ୍ଥିତି ଯେଉଁଭଳି ହ୍ରାସ ହେବାରେ ଲାଗିଛି ସେଭଳି ସମୟରେ ନୂଆ ପ୍ରାୟୋଜକ ଖୋଜିବା ବିସିସିଆଇ ପାଇଁ କାଠିକର ପାଠ ହୋଇଯିବ।
ଭାରତରେ ଯେତେବେଳେ ଚୀନ୍ ସାମଗ୍ରୀ ବର୍ଜନ କରିବା ସ୍ବର ତୀବ୍ର ହୋଇଛି, ସେତେବେଳେ ବିସିସିଆଇ ଓ ଆଇପିଏଲ୍ ପରିଚାଳନା ସମିତି ଭିଭୋକୁ ମୁଖ୍ୟ ପ୍ରାୟୋଜକ ଭାବେ ରଖିବା ନିଷ୍ପତ୍ତିକୁ ବିଭିନ୍ନ ମହଲରେ ନିନ୍ଦା ଓ ସମାଲୋଚନା କରାଯାଇଥିଲା। ଭାରତ ସରକାର ଚୀନ୍ର ଆପ୍ସ, ଚୀନ୍ର ବିନିଯୋଗ ଇତ୍ୟାଦି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ତଥାପି ବିସିସିଆଇର ଶୀର୍ଷ ଅଧୀକାରୀମାନେ ଟେଲି କନ୍ଫରେନ୍ସ ମାଧ୍ୟମରେ ଭିଭୋ ସହ ବୁଝାମଣା କରିବାକୁ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। କେବଳ ଚଳିତ ବର୍ଷର ଆଇପିଏଲ୍ ମୁଖ୍ୟ ପ୍ରାୟୋଜକ ପାଇଁ ବିସିସିଆଇ ନୂଆ ଟେଣ୍ଡର ଡକାଇବା ଯୋଜନା କରୁଥିବା ଜଣାପଡ଼ିଛି। ଆସନ୍ତା ବର୍ଷଠୁ ପୁଣି ଥରେ ଏହି କମ୍ପାନି ତାହାର ବାକି ତିନିବର୍ଷର ଚୁକ୍ତି ଶେଷ କରିବାକୁ ଆସିପାରେ। ଯାହାକି ୨୦୨୩ ପର୍ଯ୍ୟନ୍ତ ଚୁକ୍ତି ମିଆଦ ବୃଦ୍ଧି କରାଯାଇପାରେ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ଭିଭୋ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ କୌଣସି ଖବରକୁ ଗ୍ରହଣ କରିହେବ ନାହିଁ କିମ୍ବା ମନା ବି କରିହେବ ନାହିଁ। ତଥାପି ଯେତେବେଳେ ସବୁକିଛି ସ୍ପଷ୍ଟ ହୋଇଯିବ ସେତେବେଳେ କମ୍ପାନି ପକ୍ଷରୁ ମତାମତ ଜାରି କରାଯିବ। ଏହି କମ୍ପାନି ମୂଳ ଚୁକ୍ତିରୁ ଓହରି ପୁଣି ଥରେ ମୂଲ୍ୟାୟନ କରିବା ପରେ ନୂଆ ଚୁକ୍ତି କରିବାକୁ ଚାହୁଁଛି। ତେବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହା ଏ ଦିଗରେ ଭିଭୋ ସହିତ ଆଲୋଚନା ଜାରି ରଖିଛନ୍ତି। ଅନ୍ୟପକ୍ଷରେ ଭିଭୋ ଚାଲିଗଲେ ଆର୍ଥିକ ପ୍ରଭାବ ପଡ଼ିବା ସଂକ୍ରାନ୍ତରେ ଚେନ୍ନାଇ ସୁପର କିଙ୍ଗ୍ସର ସିଇଓ କାଶୀ ବିଶ୍ବନାଥନ୍ ଅନେକ ଗୁଜବ ଶୁଣୁଥିବା କହିଛନ୍ତି। ପ୍ରଥମେ ବିସିସିଆଇ ଏହା ଉପରେ ଘୋଷଣା କରିବା ପରେ ଦଳମାନେ ସେମାନଙ୍କ ଆଭିମୁଖ୍ୟ ରଖିବେ ବୋଲି ବିଶ୍ବନାଥନ୍ କହିଛନ୍ତି।