ନୂଆଦିଲ୍ଲୀ: ବିସିସିଆଇରେ ଗୁରୁବାର ନୂଆ ଯୁଗର ଶୁଭାରମ୍ଭ ହୋଇଛି। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡର ନୂତନ ସମ୍ବିଧାନକୁ ସ୍ୱୀକୃତି ମିଳିବା ସହ ଘରୋଇ କ୍ରିକେଟ୍ର ପରିଚାଳନା ପଦ୍ଧତିରେ ବ୍ୟାପକ ପରିବର୍ତନ ହେବାର ବାଟ ଫିଟିଛି। ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦେଶକ୍ରମେ ଆସନ୍ତା ଏକ ମାସ ମଧ୍ୟରେ ନୂଆ ସମ୍ବିଧାନ କାର୍ଯ୍ୟକାରୀ ହେବା ପରେ ବିସିସିଆଇର ପରିଚାଳନା ଅଧିକ ସ୍ୱଚ୍ଛ ଏବଂ ଦୁର୍ନୀତିମୁକ୍ତ ହେବ ବୋଲି ଆଶା କରାଯାଉଛି। ଲୋଧା ସମିତିର ସୁପାରିସ ଆଧାରରେ ପ୍ରସ୍ତୁତ ବିସିସିଆଇର ନୂଆ ତଥା ସଂଶୋଧିତ ସମ୍ବିଧାନକୁ ଉଚ୍ଚତମ ନ୍ୟାୟାଳୟ ଗୁରୁବାର ସ୍ୱୀକୃତି ଦେଇଛନ୍ତି। ତେବେ ସମିତି ଦେଇଥିବା କିଛି କଠୋର ତଥା ବିବାଦୀୟ ସୁପାରିସକୁ ଏଥିରୁ ବାଦ୍ ଦିଆଯାଇଛି। ବୋର୍ଡର ନୂଆ ସମ୍ବିଧାନରେ ଗୋଟିଏ ରାଜ୍ୟ, ଗୋଟିଏ ଭୋଟ ନୀତି ସ୍ଥାନ ପାଇନାହିଁ। ଫଳରେ ଗୁଜରାଟ ଓ ମହାରାଷ୍ଟ୍ର ଭଳି ରାଜ୍ୟ ଆଶ୍ୱସ୍ତ ହୋଇଛନ୍ତି। ଏକାଧିକ କ୍ରିକେଟ୍ ସଂଘ ଥିବାରୁ ଲୋଧା ସୁପାରିସକୁ ନେଇ ଏହି ରାଜ୍ୟଗୁଡ଼ିକ ଚିନ୍ତାରେ ଥିଲେ। ଉଚ୍ଚତମ ନ୍ୟାୟାଳୟଙ୍କ ଗୁରୁବାର ରାୟ ପରେ ମହାରାଷ୍ଟ୍ରର ମୁମ୍ବାଇ ଏବଂ ଗୁଜରାଟର ସୌରାଷ୍ଟ୍ର ଓ ବରୋଦା ଭଳି ସଂଘର ପୂର୍ଣ୍ଣକାଳୀନ ସଦସ୍ୟତା ଓ ମତଦାନ ଅଧିକାର ଅକ୍ଷୁଣ୍ଣ ରହିଛି। ରେଳବାଇ, ବିଶ୍ୱ ବିଦ୍ୟାଳୟ ସଂଘ, ସର୍ଭିସେସ୍ ଭଳି ବୃତ୍ତିଗତ ସଂସ୍ଥା ସହ ଦେଶର ସର୍ବପୂରାତନ କ୍ରିକେଟ୍ କ୍ଲବ୍ ସିସିଆଇ (କ୍ରିକେଟ୍ କ୍ଲବ୍ ଅଫ୍ ଇଣ୍ଡିଆ)ର ପୂର୍ଣ୍ଣ ସଦସ୍ୟତା ଉପରେ ମଧ୍ୟ ଉଚ୍ଚତମ ନ୍ୟାୟାଳୟ ମୋହର ଲାଗିଛି। ଏମାନଙ୍କ ପୂର୍ଣ୍ଣକାଳୀନ ସଦସ୍ୟତା ରଦ୍ଦ କରିବାକୁ ଲୋଧା ସମିତି ସୁପାରିସ କରିଥିଲା। ହେଲେ ଉଚ୍ଚତମ ନ୍ୟାୟାଳୟ ଏହାକୁ ଗ୍ରହଣ କରିନାହାନ୍ତି। ସେହିଭଳି ବିସିସିଆଇ ଏବଂ ରାଜ୍ୟ ସଂଘଗୁଡ଼ିକର କର୍ମକର୍ତାଙ୍କ ଦୁଇଟି କାର୍ଯ୍ୟକାଳ ମଧ୍ୟରେ ଥିବା କୁଲିଂ ଅଫ୍ ପିରିଅଡ୍ ବା ଶୀତଳିକରଣ ସମୟକୁ ନେଇ ଲୋଧା ସମିତି ଦେଇଥିବା ସୁପାରିସରେ କିଛିଟା ପରିବର୍ତନ କରାଯାଇଛି। କର୍ମକର୍ତାମାନେ ଏଣିକି ବିସିସିଆଇ କିମ୍ବା ରାଜ୍ୟ ସଂଘ ଅଥବା ଉଭୟ ସଂଗଠନର ବିଭିନ୍ନ ପଦ ପଦବିରେ ମିଳିତ ଭାବେ ଲଗାତାର ୬ ବର୍ଷ ପାଇଁ ରହିପାରିବେ। ଅର୍ଥାତ୍ ଦୁଇଟି କାର୍ଯ୍ୟକାଳ ପରେ ୩ ବର୍ଷର କୁଲିଂ ଅଫ୍ ନେବାକୁ ସେମାନେ ବାଧ୍ୟହେବେ। କର୍ମକର୍ତାଙ୍କ ସର୍ବୋଚ୍ଚ ବୟସ ସୀମାକୁ କିନ୍ତୁ ୭୦ ବର୍ଷରେ ଅପରିବର୍ତିତ ରଖାଯାଇଛି। ସେହିଭଳି ଜଣେ ବ୍ୟକ୍ତି ସର୍ବାଧିକ ୯ ବର୍ଷ ବିସିସିଆଇ କିମ୍ବା ରାଜ୍ୟ ସଂଘର ପଦ ପଦବିରେ ରହିପାରିବା ନିୟମକୁ ମଧ୍ୟ ସମ୍ବିଧାନରେ ସ୍ଥାନ ମିଳିଛି।
ବିସିସିଆଇର ପରିଚାଳନା ଦାୟିତ୍ୱରେ ଥିବା ପ୍ରଶାସନିକ ସମିତି (ସିଓଏ)ର ମୁଖ୍ୟ ତଥା ପୂର୍ବତନ ସିଏଜି ବିନୋଦ ରାଏ ଉଚ୍ଚତମ ନ୍ୟାୟାଳୟଙ୍କ ଏହି ରାୟକୁ ସ୍ୱାଗତ କରିଛନ୍ତି। କର୍ମକର୍ତାଙ୍କ କାର୍ଯ୍ୟକାଳ ଲଗାତାର ୬ ବର୍ଷ ହେଲେ, ମୋର କିଛି ଅସୁବିଧା ନାହିଁ। ଆମ ପାଖରେ ସ୍ପଷ୍ଟ ନିୟମ ଏବଂ ନୀତି ଅଛି। ଯାହା ନୂଆ ସମ୍ବିଧାନକୁ କାମରେ ଲଗାଇବା ଏବଂ ନିର୍ବାଚନ କରାଇବା ଦିଗରେ ସହାୟକ ହେବ ବୋଲି ରାଏ କହିଛନ୍ତି। ନୂଆ ସମ୍ବିଧାନକୁ ସବୁଜ ସଂକେତ ଦେବା ସହ ଆସନ୍ତା ୪ ସପ୍ତାହ ମଧ୍ୟରେ ଏହାକୁ ତାମିଲନାଡୁ ସମବାୟ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ପଞ୍ଜିକରଣ କରିବାକୁ ଉଚ୍ଚତମ ନ୍ୟାୟାଳୟ ବିସିସିଆଇକୁ ନିର୍ଦେଶ ଦେଇଛନ୍ତି। ସେହିଭଳି ରାଜ୍ୟ ସଂଘଗୁଡ଼ିକୁ ନିଜ ନିଜର ସଂଶୋଧିତ ସମ୍ବିଧାନକୁ ୩୦ ଦିନ ମଧ୍ୟରେ ପଞ୍ଜିକରଣ କରି ଏହାର ନକଲ ସିଓଏକୁ ଦେବାକୁ ଉଚ୍ଚତମ ନ୍ୟାୟାଳୟ କହିଛନ୍ତି। ରାଜ୍ୟସଂଘ ଏହି ନିର୍ଦେଶକୁ ଅବମାନନା କଲେ ତୁରନ୍ତ ପାଣ୍ଠି ଯୋଗାଣ ବନ୍ଦ କରିଦେବାକୁ ଉଚ୍ଚତମ ନ୍ୟାୟାଳୟ ବିସିସିଆଇକୁ ସ୍ପଷ୍ଟ ନିର୍ଦେଶ ଦେଇଛନ୍ତି।
ଗୋଟିଏ ରାଜ୍ୟ, ଗୋଟିଏ ଭୋଟ ସୁପାରିସ ଗ୍ରହଣ ହେଲାନି
କର୍ମକର୍ତା ଲଗାତାର ୬ ବର୍ଷ ଗୋଟିଏ ପଦରେ ରହିପାରିବେ
ପଦାଧିକାରୀଙ୍କ ସର୍ବୋଚ୍ଚ ବୟସ ସୀମା ୭୦ ବର୍ଷ ରହିଲା
ପଞ୍ଜିକରଣ ପାଇଁ ବିସିସିଆଇକୁ ୪ ସପ୍ତାହ, ରାଜ୍ୟ ସଂଘକୁ ୩୦ ଦିନର ସମୟ
୫ ବର୍ଷର ଆଇନ ଯୁଦ୍ଧ
୨୦୧୩ ମସିହା ମେ ମାସରେ ଆଇପିଏଲ୍ ଦୁର୍ନୀତି ଓ ସ୍ପଟ୍ ଫିକ୍ସିଂ ଘଟଣା ପଦାକୁ ଆସିବା ପରେ ବିସିସିଆଇ ପରିଚାଳନାରେ ବ୍ୟାପକ ଦୁର୍ନୀତି ହେଉଥିବା ଦର୍ଶାଇ ବିହାର କ୍ରିକେଟ୍ ସଂଘ ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲା। ସେହିବର୍ଷ ଅକ୍ଟୋବରରେ ଉଚ୍ଚତମ ନ୍ୟାୟାଳୟ ପୂର୍ବତନ ବିଚାରପତି ମୁକୁଲ ମୁଦଗଲଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ ସମିତି ଗଠନ କରି ମାମଲାର ନିରପେକ୍ଷ ତଦନ୍ତ ନିର୍ଦେଶ ଦେଇଥିଲେ। ମୁଦଗଲ ସମିତି ୨୦୧୪ ନଭେମ୍ବରରେ ତା’ ଶେଷ ରିପୋର୍ଟ ଦେଇଥିଲା। ୨୦୧୫ ଜାନୁଆରିରେ ଉଚ୍ଚତମ ନ୍ୟାୟାଳୟ ଏହି ମାମଲାରେ ଜଡ଼ିତ ଥିବା ଆଇପିଏଲ୍ ଅଧିକାରୀଙ୍କ ବିରୋଧରେ ଉଚିତ ଦଣ୍ଡବିଧାନ ଧାର୍ଯ୍ୟ କରିବା ଲାଗି ପୂର୍ବତନ ପ୍ରଧାନ ବିଚାରପତି ଆରଏମ୍ ଲୋଧାଙ୍କ ଅଧ୍ୟକ୍ଷତାରେ ଆଉ ଏକ ସମିତି ଗଠନ କରିଥିଲେ। ୨୦୧୬ ଜାନୁଆରିରେ ଲୋଧା ସମିତି ବିସିସିଆଇରେ ପରିଚାଳନା ଗତ ସଂସ୍କାର ଲାଗି ଅନେକ ସୁପାରିସ ଦେଇଥିଲା। ଜୁଲାଇ ୨୦୧୬ରେ ଉଚ୍ଚତମ ନ୍ୟାୟାଳୟ ସମିତିର ଅଧିକାଂଶ ସୁପାରିସକୁ ଗ୍ରହଣ କରି ନେଇଥିଲେ। ସୁପାରିସ ଲାଗୁ କରିବା ଲାଗି ୨୦୧୭ ଜାନୁଆରିରେ ନ୍ୟାୟାଳୟ ରାଏଙ୍କ ଅଧ୍ୟକ୍ଷତାରେ ଏକ ପ୍ରଶାସନିକ ସମିତି ଗଠନ କରି ବିସିସିଆଇ ପରିଚାଳନା ଦାୟିତ୍ୱ ତାକୁ ପ୍ରଦାନ କରିଥିଲା। ସିଓଏ ଏବଂ ବିସିସିଆଇ କର୍ମକର୍ତାଙ୍କ ମଧ୍ୟରେ ଗତ ୧୮ ମାସ ଧରି ଏଥିନେଇ ଟଣାଓଟରା ଲାଗି ରହିଥିଲା। ୨୦୧୭ ଅଗଷ୍ଟରେ ବିସିସିଆଇ ରିଭ୍ୟୁ ପିଟିସନ ଦାୟର କରିଥିଲା। ଏହାର ଶୁଣାଣି ନୂଆ ସମ୍ବିଧାନକୁ ମଞ୍ଜୁରୀ ମିଳିବା ସହ ଶେଷ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/bcci.jpg)