‘ନାଡ଼ା’ ଅଧୀନକୁ ଆସିଲା ବିସିସିଆଇ, କ୍ରି‌କେଟର୍‌ଙ୍କ ଡୋପ୍ ଟେଷ୍ଟ୍ ହେବ

ବିସିସିଆଇ ଏବେ ଜାତୀୟ କ୍ରୀଡ଼ା ମହାସଂଘ

ନୂଆଦିଲ୍ଲୀ: ବର୍ଷ ବର୍ଷ ଧରି ନାଡ଼ା (ନ୍ୟାସନାଲ୍‌ ଆଣ୍ଟି ଡୋପିଂ ଏଜେନସି) ଅଧୀନକୁ ଆସିବାକୁ ମନା କରୁଥିବା ବିସିସିଆଇ ଶେଷରେ ରାଜି ହୋଇଛି। ଏହା ଦ୍ବାରା କ୍ରିକେଟର୍‌ମାନଙ୍କର ଡୋପ୍ ଟେଷ୍ଟ୍ ‘ନାଡ଼ା’ କରିବା ନିଶ୍ଚିତ ହୋଇଛି। ଏଥି ସହିତ ଆର୍ଥିକ ଭାବେ ସ୍ବୟଂଶାସିତ ଥିଲେ ମଧ୍ୟ ବିସିସିଆଇ ଏକ ଜାତୀୟ କ୍ରୀଡ଼ା ମହାସଂଘ ଭାବେ ସ୍ବୀକୃତି ପାଇବାକୁ ଯାଉଛି। କ୍ରୀଡ଼ା ସଚିବ ରାଧେଶ୍ୟାମ ଝୁଲନିୟା ଏବଂ ‘ନାଡ଼ା’ ମହାପ୍ରବଂଧକ ନବୀନ ଅଗ୍ରୱାଲ ଶୁକ୍ରବାର ବିସିସିଆଇ ସିଇଓ ରାହୁଲ ଜୋହରି ଏବଂ କ୍ରିକେଟ୍‌ ପ୍ରବଂଧକ ସୟଦ ସବା କରିମଙ୍କୁ ଭେଟି ଆଲୋଚନା କରିଥିଲେ। ‘ନାଡ଼ା’ ଅଧୀନକୁ ଆସିବାକୁ ବିସିସିଆଇ ଲିଖିତ ଭାବେ ଜଣାଇ ଦେଇଛି ବୋଲି ରାଧେଶ୍ୟାମ ପ୍ରକାଶ କରିଥିଲେ। ଏହାର ଫଳସ୍ବରୂପ ବିସିସିଆଇ ମଧ୍ୟ ଅନ୍ୟ ଖେଳଗୁଡ଼ିକ ଭଳି ଜାତୀୟ କ୍ରୀଡ଼ା ସଂଘ ଭାବେ ସ୍ବୀକୃତି ପାଇବ। ବିସିସିଆଇ ପକ୍ଷରୁ ଆମ ନିକଟରେ ଡୋପ ଟେଷ୍ଟ୍‌ କିଟ୍‌ର ମାନ, ନମୂନା ସଂଗ୍ରହ ଏବଂ ପାଥୋଲଜିଷ୍ଟର କ୍ଷମତା ଉପରେ ଗୁରୁତ୍ବ ପ୍ରଦାନ କରାଯାଇଥିଲା। ଆମେ ପ୍ରତିଶ୍ରୁତି ଦେଇଛୁ, କିନ୍ତୁ ଏଥି ପାଇଁ ଆବଶ୍ୟକ ଅତିରିକ୍ତ ଖର୍ଚକୁ ସେମାନେ ବହନ କରିବେ। ଉଭୟ ପକ୍ଷ ସମସ୍ତ ସର୍ତରେ ଏକମତ ହୋଇଥିବାରୁ ବିସିସିଆଇ ଲିଖିତି ଭାବେ ‘ନାଡ଼ା’ ଅଧୀନକୁ ଆସିବାକୁ ରାଜି ହୋଇଯାଇଛି। ଫଳରେ ଏଣିକି ଯେତେ‌ବେଳେ ଏବଂ ଯେଉଁଠି ବି ‘ନାଡା’ କ୍ରିକେଟର୍‌ଙ୍କ ଡୋପ୍‌ ଟେଷ୍ଟ୍‌ ନେଇପାରିବ ବୋଲି ବିସିସିଆଇ ରାଜି ହୋଇଛି।

ଏବେ ଖେଳାଳିଙ୍କୁ ସେମାନଙ୍କ ଠିକଣା, ଅବସ୍ଥିତି ଏବଂ ବର୍ଷକୁ ୩ ଥର ପରୀକ୍ଷା ଲାଗି ତାରିଖରେ ରାଜି ହେବାକୁ ଏକ ଘୋଷଣା ପତ୍ର ପ୍ରଦାନ କରିବାକୁ ପଡ଼ିବ। କୌଣସି ଖେଳାଳି ଏଥିରେ ଖିଲାପ କଲେ ୱାଡା (ୱାର୍ଲଡ ଆଣ୍ଟି ଡୋପିଂ ଏଜେନସି) ଆଚରଣ ସଂହିତା ଉଲ୍ଲଂଘନ ଦଣ୍ଡ ଭୋଗିବ। ଏହାର ଏକ ସଦ୍ୟତମ ଉଦାହରଣ ହେଉଛି ନିକଟ ଅତୀତରେ ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର୍‌ ଆନ୍ଦ୍ରେ ରସେଲ ଜାମାଇକାନ୍‌ ଆଣ୍ଟି ଡୋପିଂ ଏଜେନସି ଦ୍ବାରା ବର୍ଷକ ପାଇଁ ନିଲମ୍ବିତ ହୋଇଥିଲେ। ଭାରତ ‘ଏ’ ଏବଂ ମହିଳା ଖେଳାଳିମାନେ ମଧ୍ୟ ଏହା ପରିସରଭୁକ୍ତ ହେବେ। ପୂର୍ବରୁ ମାର୍ଚ ମାସରେ ‘ନାଡ଼ା’ ଏବଂ ଆଇସିସି ସହିତ ବିସିସିଆଇ ଏକ ତ୍ରିପାକ୍ଷିକ ଚୁକ୍ତିରେ ଏହାକୁ ଗ୍ରହଣ କରିଥିଲା। ଝୁଲନିୟା କିନ୍ତୁ ସ୍ପଷ୍ଟ କରିଛନ୍ତି, ମନ୍ତ୍ରଣାଳୟର ଅନୁମତି ବିନା ସରକାରଙ୍କ ସହିତ ବିସିସିଆଇ‌ କୌଣସି ଚୁକ୍ତି କରିପାରିବ ନାହିଁ। ଅନ୍ୟତମ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସରକାରଙ୍କ ଅଧୀନସ୍ଥ ସୂଚନା ଅଧିକାର ପରିସରକୁ ମଧ୍ୟ ବିସିସିଆଇ ଚାଲି ଆସିବା ସମ୍ଭାବନା ରହିଛି। ଏହାକୁ ମଧ୍ୟ ବିସିସିଆଇ ବର୍ଷ ବର୍ଷ ଧରି ଏଡ଼ାଇ ଯାଉଥିଲା। କିନ୍ତୁ ଶୁକ୍ରବାରର ଆଲୋଚନାରେ ସୂଚନା ଅଧିକାର ପ୍ରସଙ୍ଗ ନ ଥିଲା ବୋଲି ଜୋହରି ସ୍ପଷ୍ଟ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର