କଟକ: ବିସିସିଆଇ ସ୍ବୀକୃତିପ୍ରାପ୍ତ ଓଡ଼ିଶାର ସ୍କୋରର ଏବଂ ଭିଡିଓ ଆନାଲିସିଷ୍ଟମାନେ ଦୀର୍ଘ ବର୍ଷ କେବଳ ମ୍ୟାଚ୍ ପ୍ରାପ୍ୟ ଛଡ଼ା ଆଉ କିଛି ପାଉନାହାନ୍ତି। ହେଲେ ଖେଳାଳି, ଅମ୍ପାୟାର ଓ ମ୍ୟାଚ୍ ରେଫରି ଯେପରି ଅବସରକାଳୀନ ସୁବିଧା ପାଉଛନ୍ତି, ସେଥିରୁ ସ୍କୋରର ଓ ଭିଡିଓ ଆନାଲିସିଷ୍ଟମାନେ ବଞ୍ଚିତ ହେଉଛନ୍ତି। ଏବେ ଜାତୀୟସ୍ତରରେ ଏହାକୁ ନେଇ ସ୍ବର ତୀବ୍ର ହୋଇଥିଲା ବେେଳ ରାଜ୍ୟର ସ୍କୋରର ଓ ଭିଡିଓ ଆନାଲିସିଷ୍ଟମାନେ ମଧ୍ୟ ସେମାନଙ୍କ ଦାବିକୁ ଓସିଏ (ଓଡ଼ିଶା କ୍ରିକେଟ୍ ସଂଘ) ଜରିଆରେ ବିସିସିଆଇ ନିକଟକୁ ଖୁବ୍ ଶୀଘ୍ର ପଠାଇବେ ବୋଲି ଜଣାପଡ଼ିଛି। ଗତବର୍ଷ ଦଲୀପ ଟ୍ରଫି ଆରମ୍ଭ ହେବାର ୨ଦିନ ପୂର୍ବରୁ ମ୍ୟାଚ୍ ପୋଷ୍ଟିଂ ପାଇଥିବା ୧୭ ଜଣ ବରିଷ୍ଠ ସ୍କୋରରଙ୍କୁ ୬୦ ବର୍ଷ ହୋଇଯାଇଥିବାରୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା। ହେଲେ ହଠାତ୍ ବୋର୍ଡର ଏଭଳି ନିଷ୍ପତ୍ତି ସେମାନଙ୍କ ଆର୍ଥିକ ଓ ପାରିବାରିକ ସମସ୍ୟା ବଢାଇ ଦେଇଥିବା କୁହାଯାଇଛି। ଯେଉଁଥିପାଇଁ ସମସ୍ତ ଅବସରପ୍ରାପ୍ତ ସ୍କୋରର ପେନସନ୍ ସୁବିଧା ପାଇଁ ପ୍ରଥମେ ପ୍ରଶାସନିକ ସମିତି ଓ ଏବେ ବିସିସିଆଇର ଦ୍ବାରସ୍ଥ ହୋଇଛନ୍ତି।
ବିସିସିଆଇ ହେଉ କିମ୍ବା ରାଜ୍ୟ ସଂଘର ଘରୋଇ ପ୍ରତିଯୋଗିତା ହେଲେ ସ୍କୋରରମାନଙ୍କ ଭୂମିକା ସବୁଠୁ ଅଧିକ ରହିଥାଏ। ମ୍ୟାଚ୍ର ଟିକିନିକି ବିବରଣୀକୁ ସେମାନେ ରେକର୍ଡ କରିଥା'ନ୍ତି। ସେମାନଙ୍କ ରିପୋର୍ଟକୁ ଆଧାରକରି ଖେଳାଳିଙ୍କ ଭବିଷ୍ୟତ ନିର୍ଧାରଣ ହୋଇଥାଏ। ଯଦି ସାମାନ୍ୟ ଭୁଲ୍ ହୁଏ, ତାହେଲେ ଜଣେ ଖେଳାଳିର ଖେଳଜୀବନ ହିିଁ ସେଠାରେ ନଷ୍ଟ ହୋଇଯାଇପାରେ। ତେଣୁ ଅତି ସତର୍କତାର ସହ ସ୍କୋରରମାନେ ମ୍ୟାଚ୍ର ପ୍ରତ୍ୟେକ ଘଟଣାବଳୀକୁ ରେକର୍ଡ କରିଥା'ନ୍ତି। ଏମାନଙ୍କ ସହ ଭିଡିଓ ଆନାଲିସିଷ୍ଟମାନଙ୍କର ଭୂମିକା ମଧ୍ୟ ସମପରିମାଣର ଗୁରୁତ୍ବ ରଖୁଛି। ମ୍ୟାଚ୍ ବେଳେ ତୃତୀୟ ଅମ୍ପାୟାର ନିଷ୍ପତ୍ତି ସହ କୌଣସି ବୋଲରଙ୍କ ତ୍ରୁଟି ଧରିବାରେ ଏମାନଙ୍କ ଦାୟିତ୍ବ ଅଧିକ ଥାଏ। ଏପରିକି କୌଣସି ବ୍ୟାଟ୍ସମ୍ୟାନ ନିଜ ପ୍ରଦର୍ଶନର ରେକର୍ଡର ଭିଡିଓ ଫୁଟେଜକୁ ଏମାନଙ୍କଠାରୁ ପାଇଥାଏ। ତେଣୁ ସ୍କୋରରମାନଙ୍କ ଭଳି ଭିଡିଓ ଆନାଲିସିଷ୍ଟମାନେ ମଧ୍ୟ ପ୍ରତ୍ୟେକ ମ୍ୟାଚ୍ର ଜୀବନ୍ତ ସାକ୍ଷୀ ହୋଇଥା'ନ୍ତି। ଏହି ଦୁଇ ବିଭାଗ ବିନା ଖେଳାଳି, ଅମ୍ପାୟାର କିମ୍ବା ମ୍ୟାଚ୍ ରେଫରି ସେମାନଙ୍କ କାର୍ଯ୍ୟ କରିବା ଅସମ୍ଭବ। ହେଲେ ସ୍କୋରର ଓ ଭିଡିଓ ଆନାଲିସିଷ୍ଟମାନଙ୍କୁ ଅଣଦେଖା କରିବା ଆଦୌ ଯୁକ୍ତିଯୁକ୍ତ ନୁହେଁ ବୋଲି ଜଣେ ବରିଷ୍ଠ ସ୍କୋରର କହିଛନ୍ତି।
ବର୍ତ୍ତମାନ ବିସିସିଆଇରେ ଓସିଏରୁ ୪ ଜଣ ସ୍କୋରର ସିଡି ସୁନୀଲ, ବୀରବର ନାୟକ, ସନ୍ଦୀପ ଜୀ, ବିରାଜ ଦାସ ଏବଂ ୭ ଜଣ ଭିଡିଓ ଆନାଲିସିଷ୍ଟ ଗଣେଶ କର, ସାୱନ ପାଢୀ, ସୁବାସିଷ ଜେନା, ରାଜକମଲ ସିଂହ, ତାପସ କୁମାର ନାୟକ, ଗୋବିନ୍ଦ ବେହେରା, ସାରଦା ପ୍ରସନ୍ନ ବିଶ୍ବାଳ କାର୍ଯ୍ୟ କରୁଛନ୍ତି। ସ୍କୋରରଙ୍କୁ ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ ଦାୟିତ୍ବ ସମ୍ଭାଳିବାକୁ ପଡ଼ୁଥିଲା ବେଳେ ସେମାନଙ୍କୁ ମ୍ୟାଚ୍ର ଗୋଟିଏ ଦିନ ପିଛା ୧୦ ହଜାର ଟଙ୍କା ପ୍ରାପ୍ୟ ମିଳୁଛି। ସେହିପରି ଭିଡିଓ ଆନାଲିସିଷ୍ଟ ମାନଙ୍କ ମଧ୍ୟରୁ ବରିଷ୍ଠମାନଙ୍କୁ ମ୍ୟାଚ୍ର ଦିନ ପିଛା ୧୦ ହଜାର ଓ କନିଷ୍ଠମାନଙ୍କୁ ୭୫୦୦ ଟଙ୍କା ଦିଆଯାଉଛି। ଏଥିସହ ସମସ୍ତଙ୍କର ରହିବା ଓ ଗସ୍ତ ଖର୍ଚ୍ଚ ବିସିସିଆଇ ବହନ କରୁଛି। ହେଲେ ଏହାବ୍ୟତୀତ ସେମାନଙ୍କୁ ବୋର୍ଡ ପକ୍ଷରୁ ଆଉ କୌଣସି ସୁବିଧା ମିଳୁନାହିଁ। ତେଣୁ ପ୍ରତ୍ୟେକ ରାଜ୍ୟର ସ୍କୋରର ଓ ଭିଡିଓ ଆନାଲିସିଷ୍ଟମାନେ ଏବେ ଏକାଠି ହୋଇଥିଲା ବେଳେ ସେମାନଙ୍କ ରାଜ୍ୟସଂଘ ଜରିଆରେ ବିସିସିଆଇକୁ ପେନସନ୍ ବ୍ୟବସ୍ଥା କରାଯିବା କିମ୍ବା ଅବସରକାଳୀନ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ ଦାବି ଉପସ୍ଥାପନ କରାଯିବ ବୋଲି ଓସିଏର ଜଣେ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି। ତେବେ ଏସଂକ୍ରାନ୍ତରେ ଓସିଏ ସିଇଓ ସୁବ୍ରତ ବେହେରାଙ୍କ କହିବା ଅନୁଯାୟୀ, ସ୍କୋରର ଓ ଭିଡିଓ ଆନାଲିସିଷ୍ଟଙ୍କ ପେନସନ୍ ଭଳି ଅବସରକାଳୀନ ସୁବିଧା ପାଇଁ ଓସିଏ କିମ୍ବା ବିସିସିଆଇରେ କୌଣସି ବ୍ୟବସ୍ଥା ନାହିଁ। ବର୍ତ୍ତମାନ ସୁଦ୍ଧା କେହି ବି ଏସଂପର୍କରେ ଲିଖିତ ଭାବେ ସଂଘକୁ ଜଣାଇନାହାନ୍ତି। ଯଦି ସେମାନେ ମିଳିତ ଭାବେ କିଛି ସ୍ମାରକପତ୍ର ଦିଅନ୍ତି, ତାହେଲେ ତାହାକୁ ଓସିଏ ପକ୍ଷରୁ ବିସିସିଆଇକୁ ଅବଗତ କରାଯିବ ବୋଲି ସୁବ୍ରତ କହିଛନ୍ତି।