ଘରୋଇ କ୍ରିକେଟ୍‌, ଆଇସିସି ପ୍ରସ୍ତାବକୁ ବିସିସିଆଇର ବିରୋଧ

ନୂଆଦିଲ୍ଲୀ: ଘରୋଇ କ୍ରିକେଟ୍‌ ପ୍ରତିଯୋଗିତାଗୁଡ଼ିକ ଲାଗି ଆଇସିସି ଅନୁମୋଦନ ନିଆଯିବା ପ୍ରସ୍ତାବକୁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ବିରୋଧ କରିଛି। ଘରୋଇ ପ୍ରତିଯୋଗିତା ଏବଂ ଖେଳାଳିଙ୍କୁ ଅନ୍ୟତ୍ର ଛାଡ଼ିବା ଉପରେ ଆଇସିସି କଟକଣା ଲାଗୁ କରିବା ଯୋଜନା କରୁଥିବାରୁ ବିସିସିଆଇ ଏହାକୁ ଦୃଢ଼ଭାବେ ବିରୋଧ କରିଛି। ବିଶେଷ କରି ଆଇପିଏଲ୍‌କୁ ନଜରରେ ରଖି ଏଭଳି କରାଯାଉଥିବାରୁ ବିସିସିଆଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। ମିଳିଥିବା ସୂଚନା ଅନୁସାରେ ପ୍ରତି ଅନ୍ତର୍ଜାତୀୟ ଖେଳାଳିଙ୍କୁ ସେମାନଙ୍କ ଘରୋଇ‌ ବୋର୍ଡର ଟି-୨୦ ଲିଗ୍ ବାଦ୍‌ ଅନ୍ୟତ୍ର ଗୋଟିଏ ମାତ୍ର ଟି-୨୦ ଲିଗ୍‌ ଲାଗି ଅନୁମତି ପ୍ରଦାନ କରିବା କଥା ଆଇସିସି ପ୍ରସ୍ତାବ ରଖିଛି। ପ୍ରତି ବୋର୍ଡର ଘରୋଇ ପ୍ରତିଯୋଗିତାକୁ ମଧ୍ୟ ଆଇସିସି ଅନୁମୋଦନ ଜରୁରି ବୋଲି ନିୟମ ରଖିବାକୁ ଯାଉଛି। ଆଇପିଏଲ୍‌, ବିଗ୍ ବାସ୍ ଲିଗ୍‌, କାରବୀୟ ଲିଗ୍‌, ବାଂଲାଦେଶ ଲିଗ୍, ପାକିସ୍ତାନ ସୁପର୍ ଲିଗ୍ ସହିତ ଭାରତର ରଣଜୀ ଟ୍ରଫି ଏବଂ ଅନ୍ୟ ଘରୋଇ ପ୍ରତିଯୋଗିତା ଗୁଡ଼ିକ ଆଇସିସି ଅନୁମୋଦିତ ହେବା ଉଚିତ୍ ବୋଲି ମତ ଉଠିଛି। କିନ୍ତୁ ଆଇପିଏଲ୍‌ର ଲୋକପ୍ରିୟତା ଏବଂ ରାଜସ୍ବ ବୃଦ୍ଧିକୁ ନଜରରେ ରଖି ଏଭଳି ଈର୍ଷଣୀୟ ନିଷ୍ପତ୍ତି ନିଆଯାଉଛି ବୋଲି ବିସିସିଆଇ ଅନୁଭବ କରିଛି। ବିସିସିଆଇ, କ୍ରିକେଟ୍ ଅଷ୍ଟ୍ରେଲିଆ ଏବଂ ଇସିବି ଭଳି ଆର୍ଥିକ ସ୍ବଚ୍ଛଳ ବୋର୍ଡ ବ୍ୟତୀତ ଅନ୍ୟ ଦେଶର ସଂଘ ଖେଳାଳିଙ୍କୁ ଭଲ ଚୁକ୍ତିରେ ରଖୁନଥିବାରୁ ବହୁ ଖେଳାଳି ବୁଲି ବୁଲି ବିଭିନ୍ନ ଟି-୨୦ ଲିଗ୍‌ରେ ଖେଳୁଛନ୍ତି। ଏହା ଦ୍ବାରା ବହୁ ଖେଳାଳିଙ୍କୁ ଅନ୍ତର୍ଜାତୀୟ ଅବସର ନେବାକୁ ବାଧ୍ୟ କରାଯିବ ବୋଲି ଆଶଙ୍କା ଜାତ ହୋଇଛି। ଆନ୍ଦ୍ରେ ରସେଲଙ୍କ ଭଳି ଖେଳାଳିଙ୍କୁ ୱେଷ୍ଟଇଣ୍ଡିଜ୍ କେନ୍ଦ୍ରୀୟ ଚୁକ୍ତି ପର୍ଯ୍ୟାପ୍ତ ରାଶି ପ୍ରଦାନ କରୁନଥିବାରୁ ସେ କେବଳ ଦେଶ ପାଇଁ ନୁହେଁ ଅନ୍ୟତ୍ର ଖେଳୁଛନ୍ତି ବୋଲି ଉଦାହରଣ ଭାବେ ନିଆଯାଇଛି।

ଆଇସିସି ପକ୍ଷରୁ ଏକ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯାଇଛି। ବିସିସିଆଇକୁ ଏହାର ଅଂଶ ରଖାଯାଇଛି। ଆଇସିସି କିଭଳି ଭାବେ ଘରୋଇ ଏବଂ ଅନ୍ତର୍ଜାତୀୟ କ୍ରିକେଟ୍ ମଧ୍ୟରେ ସନ୍ତୁଳନ ରକ୍ଷା କରି ଖେଳାଳିଙ୍କୁ ସୁରକ୍ଷା ଯୋଗାଇ ଦେବ ଏହା ଉଦ୍ଦେଶ୍ୟ ରଖାଯାଇଛି। ସେହିଭଳି ସମସ୍ତ ଟି-୨୦ରେ ଅନ୍ୟୁନ ମାନ ବଜାୟ ରଖିବା ଏବଂ ଦୁର୍ନୀତି ନିବାରଣ ବ୍ୟବସ୍ଥାକୁ ସୁଚାରୁରୂପେ କାମ କରିବାର ସୁବିଧା ଦେବା ଆଭିମୁଖ୍ୟ ରଖାଯାଇଛି। ବିସିସିଆଇ କିନ୍ତୁ ଦାବି କରିଛି ଏସବୁ ଆଇପିଏଲ୍‌ରେ କରାଯାଇ ଆସୁଛି। ଆଇସିସି ପ୍ରସ୍ତାବକୁ ବିସିସିଆଇ ସହିତ ଇସିବି ଏବଂ ସିଏ ମଧ୍ୟ ବିରୋଧ କରିବାରେ ଏକମତ ଅଛନ୍ତି।

ସମ୍ବନ୍ଧିତ ଖବର