ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ସାରା ବିଶ୍ବ ଏବେ ଆର୍ଥିକ ସଂକଟ ମଧ୍ୟରେ ଗତି କରୁଥିଲା ବେଳେ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) କିନ୍ତୁ ତା’ର ଅନୁବନ୍ଧିତ ଏବଂ ଗ୍ରାହକମାନଙ୍କୁ ଗତ ଜୁଲାଇ ମାସରେ ଆୟକର ଓ ଜିଏସ୍ଟି ବ୍ୟତୀତ ୪୬.୮୯ କୋଟି ଟଙ୍କା ବାଣ୍ଟି ଦେଇଛି। ଏନେଇ ବିସିସିଆଇ ତା’ର ୱେବ୍ସାଇଟ୍ରେ ଘୋଷଣା କରିଛି। ସ୍ବଚ୍ଛତା ଅନୁଯାୟୀ ପ୍ରତି ମାସରେ ପ୍ରାୟ ୨୫ ଲକ୍ଷରୁ ଅଧିକ ପାଉଣା ନିୟମିତ ପ୍ରଦାନ କରିବାର ଏହା ଏକ ଅଂଶବିଶେଷ ବୋଲି କହିଛି। ଫଳରେ ଜୁଲାଇରେ ସବୁଠୁ ଅଧିକ ଲାଭବାନ ହୋଇଛି ହିମାଚଳ ପ୍ରଦେଶ କ୍ରିକେଟ୍ ସଂଘ। ବିସିସିଆଇଠୁ ପ୍ରାପ୍ୟ ବାବଦରେ ଏହି ସଂଘ ଅସ୍ଥାୟୀ ଅଗ୍ରୀମ ଭାବେ ୧୬.୨୦ କୋଟି ଟଙ୍କା ଗ୍ରହଣ କରିଛି। ସଂଯୋଗବଶତଃ ଏହି ସଂଘ ହେଉଛି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୂମାଲଙ୍କ ନିଜ ରାଜ୍ୟ। ଏହା ପଛକୁ ଝାଡ଼ଖଣ୍ଡ ରାଜ୍ୟ କ୍ରିକେଟ୍ ସଂଘ ୧୦.୮୦ କୋଟି ପ୍ରାପ୍ୟ ପାଇ ଦ୍ବିତୀୟରେ ରହିଛି। ଉଭୟ ହିମାଚଳ ପ୍ରଦେଶ ଓ ଝାଡ଼ଖଣ୍ଡ ସଂଘକୁ ବିସିସିଆଇ ଜୁଲାଇ ୨୨ ତାରିଖରେ ପ୍ରାପ୍ୟ ପ୍ରଦାନ କରିଛି। ବିସିସିଆଇ ଏହାର ଭାଗ ବଣ୍ଟନ ସଂପର୍କରେ ପୂର୍ଣ୍ଣାଙ୍ଗ ତଥ୍ୟ ନିଜ ୱେବ୍ସାଇଟ୍ରେ ଉପସ୍ଥାପିତ କରିଛି।
ସେହିପରି ଜୁଲାଇ ୧ ତାରିଖରେ ମିଲାପୋର ତାଲୁକ ତହସିଲଦାର ବାକିଆ ପ୍ରାପ୍ୟ ବାବଦରେ ୩ କୋଟି ପାଇଥିଲା ବେଳେ ସେହିଦିନ ବିସିସିଆଇ ତାମିଲନାଡୁ କ୍ରିକେଟ୍ ସଂଘକୁ ୫୪ ଲକ୍ଷ ପ୍ରଦାନ କରିଛି। ଅନ୍ୟପକ୍ଷରେ ଜୁଲାଇ ୪ ତାରିଖରେ ଓଡ଼ିଶା କ୍ରିକେଟ୍ ସଂଘକୁ ବାକିଆ ପାଉଣା ବାବଦରେ ଅସ୍ଥାୟୀ ଅଗ୍ରୀମ ଭାବେ ୨.୭ କୋଟି ଟଙ୍କା ବିସିସିଆଇ ପ୍ରଦାନ କରିଛି। ପୁଣି ଜୁନ୍ ମାସ ପାଇଁ ଆୟକର ବାବଦରେ ୩.୫୨ କୋଟି ମଧ୍ୟ ଦେଇଛି। ଜୁଲାଇ ୧୫ରେ ଜିଏସ୍ଟି ବାବଦରେ ମଧ୍ୟ ବିସିସିଆଇ ୪୧.୧୬ ଲକ୍ଷ ଟଙ୍କା ପଇଠ କରିଛି। ଶେଷରେ ଜୁଲାଇ ୩୦ ତାରିଖରେ ଅନ୍ୟ ୩ ରାଜ୍ୟ ସଂଘ ଅରୁଣାଚଳ, ମିଜୋରାମ ଓ ସିକ୍କିମକୁ ୩.୨୪ କୋଟି ଲେଖାଏଁ ସେମାନଙ୍କ ବାକିଆ ବାବଦରେ ପ୍ରଦାନ କରିଛି।
କରୋନା ମହାମାରୀ ଯୋଗୁଁ ଭାରତରେ ଚଳିତ ବର୍ଷ ଏପର୍ଯ୍ୟନ୍ତ କୌଣସି ଜାତୀୟ କିମ୍ବା ଅନ୍ତର୍ଜତୀୟ କ୍ରିକେଟ୍ ଖେଳାଯାଇନାହିଁ। ତେବେ ଲକ୍ଡାଉନ୍କୁ କେନ୍ଦ୍ର କରି ଅଧିକାଂଶ ରାଜ୍ୟ ସଂଘ ବିସିସିଆଇଠାରୁ ଆର୍ଥିକ ସହାୟତା ମାଗିଛନ୍ତି।