କୁଲିଂ ଅଫ୍ ଧାରା ବିରୋଧରେ ବିସିସିଆଇ ପିଟିସନ: ମନିନ୍ଦର ସିଂହଙ୍କୁ ଅଦାଲତ ମିତ୍ର ନିଯୁକ୍ତ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୁଲିଂ ଅଫ୍ ପିରିୟଡ୍ ଧାରାର ଉଚ୍ଛେଦ ଲାଗି ଆବଶ୍ୟକ ସମ୍ବିଧାନ ସଂଶୋଧନକୁ ଅନୁମତି ଦେବା ପାଇଁ ବିସିସିଆଇ ଦାୟର କରିଥିବା‌ ପିଟିସନ୍ ମାମଲାରେ ସୁପ୍ରିମକୋର୍ଟ ବରିଷ୍ଠ ଓକିଲ ମନିନ୍ଦର ସିଂହଙ୍କୁ ଆମିକସ୍ କ୍ୟୁରି ବା କୋର୍ଟ ମିତ୍ର ନିଯୁକ୍ତ କରିଛନ୍ତି। ପୂର୍ବ ‘ଅଦାଲତ ମିତ୍ର’ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ପାଇଥିବା ଜାଣିବା ପରେ ପ୍ରଧାନ ବିଚାରପତି ଏନଭି ରମଣ, ଜଷ୍ଟିସ କୃଷ୍ଣ ମୁରାରୀ ଓ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିଯୁକ୍ତି ଦେଇଛନ୍ତି। ତା’ ସହ ମାମଲାର ପରବର୍ତ୍ତୀ ଶୁଣାଣି ଲାଗି ଚଳିତମାସ ୨୮ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି।

ସୂଚନାଯୋଗ୍ୟ ଯେ ଲୋଧା ସମିତି ସୁପାରିସ ମୁତାବକ ବିସିସିଆଇ ସମ୍ବିଧାନରେ ଥିବା ‘କୁଲିଂ ଅଫ୍ ପିରିୟଡ୍’ ଧାରା ଅନୁସାରେ କୌଣସି ବ୍ୟକ୍ତି ଭାରତୀୟ କ୍ରିକେଟ୍‌ର (ବିସିସିଆଇ ଓ ରାଜ୍ୟ ସଂଘକୁ ମିଶାଇ) ବିଭିନ୍ନ ପଦ ପଦବିରେ ଲଗାତାର ୬ ବର୍ଷରୁ ଅଧିକ କାଳ ରହିପାରିବେ ନାହିଁ। କୌଣସି ବ୍ୟକ୍ତି କ୍ରମାଗତ ୬ ବର୍ଷର କାର୍ଯ୍ୟକାଳ ପୂରଣ କରିଥିଲେ ତାଙ୍କୁ ୩ ବର୍ଷ ପାଇଁ କୁଲିଂ ଅଫ୍‌ରେ ଯିବାକୁ ହେବ। ଅର୍ଥାତ୍ ଏହି ୩ ବର୍ଷ ଭିତରେ ସେ ଭାରତୀୟ କ୍ରିକେଟ୍ ପରିଚାଳନା‌ର କୌଣସି ପଦବିରେ ରହିପାରିବେ ନାହିଁ। ଏହି ନିୟମ ବଳବତ୍ତର ରହିଲେ ବିସିସିଆଇର ଏବେକାର ସଭାପତି ସୌରଭ ଗାଙ୍ଗୁଲି ଏବଂ ସଂପାଦକ ଜୟ ଶାହଙ୍କୁ ନିଜ ନିଜ ପଦ ଛାଡ଼ିବାକୁ ହେବ। କାରଣ ଉଭୟ ଲଗାତାର ୬ ବର୍ଷ ଅବଧି ପୂରଣ କରିସାରିଲେଣି।

ସମ୍ବନ୍ଧିତ ଖବର