ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ନିୟଂତ୍ରଣ ବୋର୍ଡ (ବିସିସିଆଇ) ଆଗାମୀ ଟି-୨୦ ବିଶ୍ବକପ୍ ପାଇଁ ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ)କୁ ୯ଟି ଭେନ୍ୟୁର ପ୍ରସ୍ତାବ ଦେଇଛି। ଏହି ଭେନ୍ୟୁଗୁଡ଼ିକ ହେଲା ଅହମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ଧର୍ମଶାଳା, ହାଇଦ୍ରାବାଦ, କୋଲ୍କାତା, ଲକ୍ଷ୍ନୌ ଓ ମୁମ୍ବାଇ। ଗତ ସପ୍ତାହରେ ଭର୍ଚୁଆଲି ବୈଠକରେ ବିସିସିଆଇ ଆପେକ୍ସ କାଉନସିଲ୍ ଏହି ଭେନ୍ୟୁ ତାଲିକାକୁ ଚୂଡାନ୍ତ କରିଛି। ଭାରତରେ ସାଂପ୍ରତିକ କରୋନା ମହାମାରୀ ସ୍ଥତିକୁ ଦୃଷ୍ଟିରେ ରଖି ଆଇସିସି ଏହା ମଧ୍ୟରୁ ଚୂଡାନ୍ତ ଭେନ୍ୟୁ ନେଇ ନିଷ୍ପତ୍ତି ନେବ।
୧୬ ଦଳୀୟ ଟି-୨୦ ବିଶ୍ବକପ୍ ଚଳିତ ବର୍ଷ ଅକ୍ଟୋବର ଓ ନଭେମ୍ବର ମଧ୍ୟରେ ଆୟୋଜିତ ହେବାର ସୂଚୀ ରହିଛି। ନଭେମ୍ବର ୧୩ରେ ଅହମଦାବାଦର ନବନିର୍ମିତ ମୋଟେରା ଷ୍ଟାଡିୟମ୍ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। କମ୍ ସଂଖ୍ୟକ ଭେନ୍ୟୁ ରଖିବା ପାଇଁ ଆଇସିସି ବିଚାର କରିଥିଲା। ହେଲେ କରୋନା ମହାମାରୀର ସାଂପ୍ରତିକ ଦ୍ବିତୀୟ ଲହର ଭାରତରେ ଭୟଙ୍କର ରୂପ ନେଉଥିବାରୁ ଆଇସିସି ବଡ଼ ଆହ୍ବାନର ସମ୍ମୁଖୀନ ହେବାକୁ ଯାଉଛି। ସେଥିପାଇଁ ଅଧିକ ଭେନ୍ୟୁ ତାଲିକା ପଠାଇବା ପାଇଁ ବିସିସିଆଇକୁ କହିଥିଲା। ପୁଣି ଆଇସିସିର ଏକ ଉଚ୍ଚସ୍ତରୀୟ ଦଳ ଆସନ୍ତା ୨୬ ତାରିଖରେ ଭାରତ ଗସ୍ତରେ ଆସୁଥିବା ଜଣାପଡ଼ିଛି।
ଏହି ଅବସରରେ ଉଭୟ ଆଇସିସି ଓ ବିସିସିଆଇ ବିଭିନ୍ନ ଯୋଜନା ଉପରେ ଆଲୋଚନା କରିବେ। ଆଇସିସି ଦଳ ମଧ୍ୟ ଏବେ ଭାରତରେ ଚାଲିଥିବା ଆଇପିଏଲ୍କୁ ନିକଟରୁ ନିରୀକ୍ଷଣ କରିବ। ଏହାପରେ ବିସିସିଆଇ ପଠାଇଥିବା ୯ ଭେନ୍ୟୁ ଉପରେ ଚୂଡାନ୍ତ ନିଷ୍ପତ୍ତି ନେବ।
କରୋନା ମାହାମାରୀ ସତ୍ତ୍ବେ ଟି-୨୦ ବିଶ୍ବକପ୍ ଭାରତରେ ଯୋଜନା ମୁତାବକ ଆୟୋଜିତ ହେବ ବୋଲି ଦୁଇ ସପ୍ତାହ ତଳେ ଆଇସିସି ସିଇଓ ଜିଓଫ ଆଲାରଡିସ୍ ଆଶା ବ୍ୟକ୍ତ କରିଥିଲେ। ଏହା ସତ୍ତ୍ବେ ଆଇସିସି ମଧ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିକଳ୍ପ ଯୋଜନା ଭାବେ ଶ୍ରୀଲଙ୍କା ଓ ୟୁଏଇକୁ ଭେନ୍ୟୁ ଭାବେ ମନରେ ରଖିଛି। କିନ୍ତୁ ବିଶ୍ବକପ୍ ବେଳକୁ ଭାରତରେ ଅଧିକାଂଶ ପ୍ରତିଶତ ଯୁବ ଗୋଷ୍ଠୀ କରୋନା ଟିକା ନେଇସାରିଥିବେ। ୧୮ ବର୍ଷରୁ ଅଧିକ ବୟସବର୍ଗର ଯୁବ ପିଢ଼ିଙ୍କ ପାଇଁ ଟିକାଦାନ ପ୍ରକ୍ରିୟା ମେ’ ୧ ତାରିଖରୁ ଆରମ୍ଭ କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଥିବାରୁ କରୋନା ସ୍ଥିତିରେ ସୁଧାର ଆସିପାରିବ ବୋଲି ବିସିସିଆଇ ବିଶ୍ବାସ ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/f5h4s5fh456fsh465fs56hfshfshfhsfhsfhsfshfhs.jpg)