ଅଧିକ ଗୋଲାପି ଟେଷ୍ଟ୍‌ ଆୟୋଜନ ସପକ୍ଷରେ ବିସିସିଆଇ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷରେ କୋଲ୍‌କାତାର ଇଡେନ୍‌ ଗାର୍ଡେନ୍ସଠାରେ ଦିବା-ରାତ୍ର ଟେଷ୍ଟ୍‌ ମ୍ୟାଚ୍‌ ଖେଳି ଭାରତ ଗୋଲାପି ବଲ୍‌ ଅଭିଯାନ ଆରମ୍ଭ କରିଥିଲା। ସଫଳତାର ସହ ଏହା ଆୟୋଜିତ ହେବା ପରେ ବିସିସିଆଇ ଅଧିକରୁ ଅଧିକ ‌ଗୋଲାପି ବଲ୍‌ ଟେଷ୍ଟ୍ ମ୍ୟାଚ୍‌ ଆୟୋଜନ ସପକ୍ଷରେ ଅଣ୍ଟା ଭିଡ଼ିଛି। ରବିବାର ବିସିସିଆଇର ବାର୍ଷିକ କାର୍ଯ୍ୟକାରିଣୀ ବୈଠକ (ଏଜିଏମ୍‌)ରେ ଏହି ବିଷୟରେ ମଧ୍ୟ ଆଲୋଚନା ‌ହୋଇଥିଲା। କୋଲ୍‌କାତା ଭଳି ଅନ୍ୟ ରାଜ୍ୟ ସଂଘଗୁଡ଼ିକ ଗୋଲାପି ବଲ୍‌ ଟେଷ୍ଟ୍‌ ଆୟୋଜନ କରିବାକୁ ଆଗକୁ ଆସନ୍ତୁ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଥିଲେ। ଦିବା-ରାତ୍ର ଟେଷ୍ଟ୍‌ ସଫଳ ଆୟୋଜନ କରିବାରେ ଶ୍ରେୟ ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ‌ଧୁମଲ ଏବଂ ସମ୍ପାଦକ ଜୟ ଶାହଙ୍କ ସହ ଆପେକ୍ସ କାଉନ୍‌ସିଲ୍‌କୁ ‌ଯିବ। ଭାରତ ଏ ପର୍ଯ୍ୟନ୍ତ ବିଶ୍ବର ଶ୍ରେଷ୍ଠ ଦଳ ଯଥା ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସହ ଦିବା-ରାତ୍ର ଟେଷ୍ଟ୍‌ ଖେଳିନି। ତଥାପି ଆମେ ପ୍ରଥମଥର ଲାଗି ‌ଗୋଲାପି ବଲ୍‌ରେ ଟେଷ୍ଟ୍‌ ଖେଳି ଏହାର ଅଭିଜ୍ଞତା ହାସଲ କରିଛୁ। ଏବେ ଘରେ ଓ ବାହାରେ ଅଧିକରୁ ଅଧିକ ଦିବା-ରାତ୍ର ଟେଷ୍ଟ୍‌ ଖେଳିବା ଲାଗି ଚିନ୍ତା କରିଛୁ ବୋଲି ଏଜିଏମ୍‌ ପରେ ଗାଙ୍ଗୁଲି ସୂଚନା ଦେଇଛନ୍ତି। ଦିବା-ରାତ୍ର ଟେଷ୍ଟ୍‌ ଲାଗି ଦର୍ଶକଙ୍କମନରେ ଅଧିକ ଆଗ୍ରହ ଥିଲା। କିନ୍ତୁ ଆମର ସନ୍ଦେହ ଦଳ ଉପରେ ଥିଲା। ହେଲେ କାକର ସ୍ପିନରଙ୍କୁ କୌଣସି ପ୍ରକାର ଅସୁବିଧାରେ ପକାଇ ନଥିଲା। ଆଲୋକ ଯୋଗୁଁ ତାପମାତ୍ରାରେ କୗଣସି ପ୍ରଭାବ ପଡ଼ିନଥିଲା। ଏଥିସହ ପିଚ୍‌ରେ ଅଧିକ ଘାସ ଥିବାରୁ ବଲ୍‌ର ରଙ୍ଗ ମଧ୍ୟ ବଦଳି ନଥିଲା। କୋଲ୍‌କାତା ଟେଷ୍ଟ୍‌ ୩ ଦିନରେ ଶେଷ ହୋଇଥିଲା। ଫଳରେ ଏସବୁ ସମସ୍ୟା ଦେଖାଯିବାର ସନ୍ଦେହ ଆମର ଦୂର ହୋଇଥିଲା ବୋଲି ପୂର୍ବତନ ଭାରତୀୟ ଅଧିନାୟକ ଗାଙ୍ଗୁଲି କହିଛନ୍ତି।

ସମ୍ବନ୍ଧିତ ଖବର