ମୁମ୍ବାଇ: ଷ୍ଟାର୍‌ ଇଣ୍ଡିଆ ସହିତ ହୋଇଥିବା ମିଡିଆ ଅଧିକାର ଚୁକ୍ତିରୁ ବିସିସିଆଇ ୭୮.୯୦ କୋଟି ଟଙ୍କା ଛାଡ଼ କରିଛି। ବିସିସିଆଇର ଘରୋଇ ଓ ଆନ୍ତର୍ଜାତିକ ମ୍ୟାଚ୍‌ଗୁଡ଼ିକ ପାଇଁ ମିଡିଆ ଅଧିକାର ଚୁକ୍ତି ଅବଧି ୨୦୧୮ରୁ ୨୦୨୩ ପର୍ଯ୍ୟନ୍ତ ଥିଲା ବେଳେ ଗତ ମାର୍ଚ୍ଚ ୩୧ରେ ଏହି ଚୁକ୍ତି ଶେଷହୋଇଥିଲା। ଚୁକ୍ତି ଅନୁଯାୟୀ ୧୦୨ ମ୍ୟାଚ୍‌ରୁ ଷ୍ଟାର୍‌ ଇଣ୍ଡିଆ ୬୧୩୮.୧ କୋଟି ଟଙ୍କା ବିସିସିଆଇକୁ ପ୍ରଦାନ କରିବ। କିନ୍ତୁ ବିସିସିଆଇ ଚୁକ୍ତି ଅବଧି ଶେଷ ବେଳକୁ ମ୍ୟାଚ୍‌ ସଂଖ୍ୟା ବୃଦ୍ଧି ହୋଇ ୧୦୩ରେ ପହଞ୍ଚିଥିଲା। ତେଣୁ ଗୋଟିଏ ମ୍ୟାଚ୍‌ର ଆୟକୁ ବିସିସିଆଇ ଛାଡ଼ କରିବାକୁ ନିଷ୍ପତ୍ତି ନେଇଛି।

Advertisment

ବିଭିନ୍ନ ବର୍ଷ ପାଇଁ ଷ୍ଟାର୍‌ ଇଣ୍ଡିଆ ପକ୍ଷରୁ ଯେଉଁ ପରିମାଣ ବିଡ୍‌ କରାଯାଇଥିଲା ସେଥିରେ ମ୍ୟାଚ୍‌ ପିଛା ୨୦୧୮-୧୯ ପାଇଁ ୪୬ କୋଟି, ୨୦୧୯-୨୦ ପାଇଁ ୪୭ କୋଟି, ୨୦୨୦-୨୧ ପାଇଁ ୪୬ କୋଟି, ୨୦୨୧-୨୨ ପାଇଁ ୭୭ କୋଟି ଏବଂ ୨୦୨୨-୨୩ ପାଇଁ ୭୮.୯୦ କୋଟି ଟଙ୍କା ବିସିସିଆଇକୁ ଦିଆଯାଇଥାନ୍ତା। ତେବେ କୋଭିଡ୍‌ ମହାମାରୀ ସମୟରେ କିଛି ମ୍ୟାଚ୍‌ ପୁନଃ ନିର୍ଦ୍ଧାରଣ ହୋଇଥିବାରୁ ୧୩୯ କୋଟି ଟଙ୍କା ଛାଡ଼ କରିବାକୁ ଷ୍ଟାର୍‌ ପକ୍ଷରୁ ବିସିସିଆଇକୁ ଅନୁରୋଧ କରାଯାଇଥିଲା। ତେବେ ୨୦୨୩-୨୦୨୭ ବର୍ଷ ପାଇଁ ମିଡିଆ ଅଧିକାରକୁ ଦୃଷ୍ଟିରେ ରଖି ବିସିସିଆଇ ଗୋଟିଏ ମ୍ୟାଚ୍‌ର ଆୟକୁ ଛାଡ଼ କରିଦେଇଛି। ଆଇପିଏଲ୍‌ ମିଡିଆ ଅଧିକାରରୁ ବିସିସିଆଇ ୪୮,୩୯୦ କୋଟି ଟଙ୍କା ଆୟ କରୁଥିବାରୁ ଆସନ୍ତା ଘରୋଇ ଋତୁରେ ଅଧିକ ଆୟ ଆସିବା ପାଇଁ ବିସିସିଆଇ ଆକଳନ କରୁଛି।