ବିସିସିଆଇର କଟକଣା : ମୁସ୍ତାକ ଅଲ୍ଲୀ ଟ୍ରଫିରେ କରମର୍ଦନ ମନା

ମୁମ୍ବାଇ : ଦେଶସାରା କରୋନା ମହାମାରୀ ସଂକଟ ଏବେ ବି ଟଳିନଥିବାରୁ ଏହାକୁ ଦୃଷ୍ଟିରେ ରଖି ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ଆଗାମୀ ଋତୁ ପାଇଁ କେତେକ କଟକଣା ଜାରି କରିଛି। ବିଶେଷକରି ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଘ‌ରୋଇ ଋତୁର ପ୍ରଥମ ପ୍ରତିଯୋଗିତା ସୟଦ୍‌ ମୁସ୍ତାକ ଅଲ୍ଲୀ ଟ୍ରଫି ପୂର୍ବରୁ ବିସିସିଆଇ ଏଭଳି କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏନେଇ ଗତ ବୁଧବାର ବୋର୍ଡ ପକ୍ଷରୁ ୩୦ ପୃଷ୍ଠା ସମ୍ବଳିତ କୋଭିଡ୍‌ ମାର୍ଗଦର୍ଶିକା ପଠାଯାଇଛି। ସେଥିରେ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଅଂଶଗ୍ରହଣ କରୁଥିବା ସମସ୍ତ ଦଳ ପାଇଁ ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର୍‌) ସାମିଲ ରହିଛି। ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଗୁରୁତ୍ବ ଦେଇ ଆଇପିଏଲ୍‌ (ୟୁଏଇ) ସମୟ ଭଳି ଆଗାମୀ ଘରୋଇ ପ୍ରତିଯୋଗିତା ବେଳେ ଖେଳାଳି ଏବଂ ଅନ୍ୟାନ୍ୟ ସପୋର୍ଟ ଷ୍ଟାଫ୍‌ମାନେ ନିଜ ନିଜ ମଧ୍ୟରେ କରମର୍ଦନ ନକରିବାକୁ ବିସିସିଆଇ ଚେତାଇ ଦେଇଛି। କରମର୍ଦନ ଉପରେ କଟକଣା ଜାରି କରିଥିଲା ବେଳେ କେହି ପରସ୍ପର ସଂସ୍ପର୍ଶରେ ନଆସିବାକୁ କହିଛି।

ଅନ୍ୟପକ୍ଷରେ ପଡ଼ିଆ ଭିତରେ ଗଣମାଧ୍ୟମ ପ୍ରତିନିଧିମାନେ ମ୍ୟାଚ୍‌ ପରେ ଖେଳାଳିଙ୍କଠୁ ସାକ୍ଷାତକାର ପାଇଁ ବୋର୍ଡ ଅନୁମତି ଦେଇନାହିଁ। କେବଳ ସାମ୍ବାଦିକ ସମ୍ମିଳନୀ ପାଇଁ ଭିଡ଼ିଓ କନ୍‌ଫରେନ୍ସକୁ ବିଚାରକୁ ନିଆଯାଇପାରିବ ବୋଲି ଏସ୍‌ଓପିରେ ବୋର୍ଡ ଉଲ୍ଲେଖ କରିଛି। ଏହି ମାର୍ଗଦର୍ଶିକା ଅନୁଯାୟୀ କାଗଜ ସିଟ୍‌ ବଦଳରେ କେବଳ ବୈଦ୍ୟୁତିକ ଟିମ୍‌ ସିଟ୍‌ ଉପରେ ବିଚାର କରିବାକୁ କହିଛି। ପୁଣି ଷ୍ଟାଡିୟମ୍‌କୁ ସାଧାରଣ ଲୋକଙ୍କୁ ପ୍ରବେଶ ଅନୁମତି ନଥିବାରୁ ଅଧିକାଂଶ ଆସନ ଫାଙ୍କା ରହିବ। ଏପରିସ୍ଥଳେ ଡଗ୍‌ଆଉଟ୍‌କୁ ସଂପ୍ରସାରିତ କରାଯାଇପାରିବ ବୋଲି ଏସ୍‌ଓପିରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର